ଗୋରୁ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ: ୫ ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଲୁଟେରା ଗିରଫ

ରାଇଫଲ୍‌ ସହ ୨୬ ରାଉଣ୍ଡ ଜୀବନ୍ତ ଗୁଳି ଜବତ
ଲୁଟ୍ ଟଙ୍କାରେ କିଣିଥିଲେ ନୂଆ ଟ୍ରାକ୍ଟର ଓ ବାଇକ୍
ଓଡ଼ିଶା ଓ ଝାଡ଼ଖଣ୍ଡର ଏକାଧିକ ଥାନାରେ ରହିଛି ମାମଲା

ବାରିପଦା : ଗତ ୨୫ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡ଼ା ହାଟରେ ପଶ୍ଚିମବଙ୍ଗର ଜଣେ ଗୋରୁ ବ୍ୟବସାୟୀଙ୍କୁ ଗୁଳି ହତ୍ୟା କରିବା ସହ ୧୧ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ମୟୂରଭଞ୍ଜ ପୁଲିସ। ଏହି ଘଟଣାରେ ଝାଡ଼ଖଣ୍ଡର ୪ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହ ମୋଟ୍‌ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ଏକ ଅତ୍ୟାଧୁନିକ ଇନ୍‌ସାସ୍‌ ରାଇଫଲ୍‌ ଓ ୨୬ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଏଥି ସହ ଲୁଟ୍ ଟଙ୍କାରେ କିଣାଯାଇଥିବା ଏକ ନୂଆ ଟ୍ରାକ୍ଟର, ଟିଭିଏସ୍‌ ବାଇକ୍‌, ନଗଦ ୫୦ ହଜାର ଟଙ୍କା, ମୋବାଇଲ ଓ କିଛି ମାଗାଜିନ୍ ମଧ୍ୟ ପୁଲିସ ଜବତ କରିଛି। ଏହି ଘଟଣାରେ ଆଉ ୩-୪ ଜଣଙ୍କ ସଂପୃକ୍ତ ଥିବାବେଳେ ସେମାନଙ୍କୁ ଧରିବାକୁ ଚଢ଼ଉ ଜାରି ରହିଛି। ତେଣୁ ତଦନ୍ତ ବାଧାପ୍ରାପ୍ତ ହେବା ଆଶଙ୍କାରେ ଗିରଫ ଅଭିଯୁକ୍ତଙ୍କ ନାଁ ଓ ଠିକଣା ପ୍ରକାଶ କରିନାହିଁ ପୁଲିସ।

ପୁଲିସର ସୂଚନା ଅନୁଯାୟୀ; ଗିରଫ ଅଭିଯୁକ୍ତମାନେ ଏକ ଦୁର୍ଦ୍ଦାନ୍ତ ଡକାୟତୀ ଗ୍ୟାଙ୍ଗର ସଦସ୍ୟ ଥିଲେ। ସେମାନେ ମୁଖ୍ୟତଃ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଓ ଚାଇଁବସା ଅଞ୍ଚଳରୁ ରହି ନିଜର ଗ୍ୟାଙ୍ଗ ଚଳାଉଥିଲେ। ଏହି ଅଭିଯୁକ୍ତମାନେ ଝାଡ଼ଖଣ୍ଡ ଏବଂ ଓଡ଼ିଶା ପୁଲିସ ଦ୍ବାର ଅନେକ ଥର ଗିରଫ ହୋଇ ଜେଲ୍‌ ବି ଯାଇଛନ୍ତି। ତେବେ ଜେଲ୍‌ରେ ରହିବା ଭିତରେ ସ୍ଥାନୀୟ ଅଞ୍ଚଳର ଛୋଟମୋଟ ଅପରାଧୀଙ୍କ ସହ ସେମାନେ ସମ୍ପର୍କ ବଢ଼ାଉଥିଲେ ଓ ଜେଲ୍‌ରୁ ମୁକୁଳିବା ପରେ ସେହି ଅପରାଧୀଙ୍କ ସହଯୋଗରେ ବିଭିନ୍ନ ଅଞ୍ଚଳରୁ ନିଜର ଟାର୍ଗେଟ ବାଛୁଥିଲେ। ଯେଉଁ ବ୍ୟକ୍ତିଙ୍କୁ ଟାର୍ଗେଟ କରାଯାଉଥିଲା ତାଙ୍କ ବାବଦରେ ସବିଶେଷ ତଥ୍ୟ ଦେଉଥିଲା ସ୍ଥାନୀୟ ଅପରାଧୀ। ଏମିତିକି ଅପରାଧ ଘଟଇବାର କିଛି ଦିନ ଆଗରୁ ଏହି ଗ୍ୟାଙ୍ଗର ସଦସ୍ୟମାନେ ସାଧାରଣ ଲୋକଙ୍କ ଭିତରେ ସ୍ଲିପର ସେଲ୍‌ ଭଳି କିଛି ଦିନ ଏମିତି ମିଶିଯାଉଥିଲେ ଯେ ସେମାନଙ୍କ ଉପରେ କାହାର ସନ୍ଦେହ ହେଉନଥିଲା। ଅପରାଧ ପରେ ଘଟଣାସ୍ଥଳରୁ ଶୀଘ୍ର ଖସିଯିବା ପାଇଁ ସେମାନେ ୟାମ୍‌ହା ଏଫ୍‌ଜେଡ୍‌ ଏବଂ ହୋଣ୍ଡା ହର୍ନେଟ ଭଳି ରେସିଂ ବାଇକ୍‌ ବ୍ୟବହାର କରୁଥିଲେ।

ଜେଲ୍‌ରେ ଚିହ୍ନା ହୋଇଥିବା ରାଇରଙ୍ଗପୁର ଅଞ୍ଚଳର ଜଣେ ସ୍ଥାନୀୟ ଅପରାଧୀଙ୍କ ମାଧ୍ୟମରେ ସେମାନେ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଜିଲ୍ଲା ଜାମବଣି ଥାନା ଚିଚଳା ଗ୍ରାମର ଜାମ୍‌ସୁ ଅଲ୍ଲୀ (୪୫)ଙ୍କୁ ଟାର୍ଗେଟ କରିଥିଲେ। ଭୋର୍‌ ପ୍ରାୟ ୫ଟା ୩୦ ସମୟରେ ସେମାନେ ହାଟରେ ବୁଲାବୁଲି କରୁଥିବା ବେଳେ ଯୋଜନା ମୁତାବକ ୪ଜଣ ଡକାୟତ ବାଇକ୍‌ରେ ଆସି ଜାମ୍‌ସୁଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ। ଜାମ୍‌ସୁ ଟଙ୍କା ଦେବାକୁ ମନା କରିବା ସହ ପାଟି କରିବାରୁ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି କରି ୧୧ ଲକ୍ଷ ଟଙ୍କା ନେଇ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ରାସ୍ତାରେ ଚମ୍ପଟ ମାରିଥିଲେ। ଜାମ୍‌ସୁଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାର ୪ଦିନ ତଳେ ଯଶିପୁର ଥାନା ଅଞ୍ଚଳରେ ଗୋସୁରକ୍ଷା କର୍ମଚରୀଙ୍କ ଉପରକୁ ୬ ରାଉଣ୍ଡ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ।

ଏହାକୁ ନେଇ ଜିଲ୍ଲା ପୁଲିସ ଉପରେ ଚାପ ବଢ଼ୁଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ। ରାଇରଙ୍ଗପୁର ଏସ୍‌ଡିପିଓ ରତିକାନ୍ତ ଗିରି, କରଞ୍ଜିଆ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ, ବଡ଼ବିଲ ଏସ୍‌ଡିପିଓ ହିମାଂଶୁ ଭୂଷଣ ବେହେରା, ବାରିପଦା ଏସ୍‌ଡିପିଓ କେକେ ହରିପ୍ରସାଦ, ଉଦଳା ଏସ୍‌ଡିପିଓ ସାର୍ଥକ ରାୟ, ବାରିପଦା ଟାଉନ୍‌ ଥାନା ଆଇଆଇସି ବୀରେନ୍ଦ୍ର କୁମାର ସେନାପତିଙ୍କ ସହ କେନ୍ଦୁଝର ପୁଲିସର ଏକ ଟିମ୍‌ ଓ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଥାନା ପୁଲିସ ତଦନ୍ତରେ ଲାଗିଥିଲା। ଶେଷରେ ଝାଡ଼ଖଣ୍ଡରୁ ୪ଜଣ ଓ ରାଇରଙ୍ଗପୁରରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ। ଏଥିସହ ଗୋରୁ ବେପାରକୁ ନେଇ ଗୁଳିକାଣ୍ଡ ହୋଇ ନଥିଲା। କେବଳ ଟଙ୍କା ଲୁଟ୍ ପାଇ ଏହା ହୋଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ଦୁର୍ବୃତ୍ତଙ୍କ ପାଖକୁ ରାଇଫଲ୍‌ କେଉଁଠି ଆସିଲା ବୋଲି ପ୍ରଶ୍ନରେ ଏ ନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି ଏସ୍‌ପି ଶ୍ରୀ ଖିଲାରୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ପୁଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର