ସାଂସଦଙ୍କ ଦ୍ୱାରା ମନୋନୀତ: ‘ଆର୍ନ୍ତଜାତୀୟ ବିଜ୍ଞାନ ମେଳା’ରେ ଯୋଗଦେବେ ନୟାଗଡର ୫ ଜଣ ଛାତ୍ରୀ

ଭୁବନେଶ୍ୱର: ‘ଆର୍ନ୍ତଜାତୀୟ ବିଜ୍ଞାନ ମେଳା’ରେ ନୟାଗଡ଼ ଜିଲ୍ଲାର ୫ ଜଣ ଛାତ୍ରୀ ଯୋଗଦେବେ। ଅପହଂଚ ଗ୍ରାମାଞ୍ଚଳରେ ପଢୁଥିବା ଏହି ଛାତ୍ରୀମାନଙ୍କୁ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ମନୋନୀତ କରିଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଜାତୀୟ ବଟାନିକାଲ ରିସର୍ଚ୍ଚ ପ୍ରତିଷ୍ଠାନ ପକ୍ଷରୁ ୪ର୍ଥ ଭାରତୀୟ ଆର୍ନ୍ତଜାତୀୟ ବିଜ୍ଞାନ ମେଳା ଆୟୋଜନ ହେଉଛି। ଏହି ବିଜ୍ଞାନ ମେଳାରେ ଯୋଗଦେବା ପାଇଁ ନୟାଗଡ଼ ଜିଲ୍ଲାର ବନମାଳିପୁରର କେଳା ସୁବୁଦ୍ଧି ବାଳିକା ଉଚ୍ଚବିଦ୍ୟାଳୟର ୫ଜଣ ଛାତ୍ରୀ ତାଙ୍କ ବିଜ୍ଞାନ ଶିକ୍ଷଙ୍କ ସହିତ ଲକ୍ଷ୍ନୌ ଅଭିମୁଖେ ମଙ୍ଗଳବାର ଗସ୍ତ କରିଛନ୍ତି।

ଆଗାମୀ ଅକ୍ଟୋବର ୫ରୁ ଆରମ୍ଭ ହେଉଥିବା ଏହି ବିଜ୍ଞାନ ମେଳାରେ ଗ୍ରାମର ମଡେଲ ଉପସ୍ଥାପନ କରିବା ସହ ନିଜ ଗ୍ରାମର ସମସ୍ୟା ଓ ସମାଧାନ ସଂପର୍କରେ ଓଡ଼ିଆ ଛାତ୍ରୀମାନେ ମତାମତ ରଖିବେ। ଏହି ୪ ଦିବସୀୟ ବିଜ୍ଞାନ ମେଳାରେ ଛାତ୍ରୀମାନେ ନିଜ ଗ୍ରାମକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ଉଦ୍ୟମ କରିବେ।

ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ପ୍ରଥମ ଥର ପାଇଁ ଏହି ୫ ଜଣ ଓଡ଼ିଆ ଛାତ୍ରୀ ଆର୍ନ୍ତଜାତୀୟ ବିଜ୍ଞାନ ମେଳାରେ ଯୋଗ ଦେଉଥିବାରୁ ବହୁ ଜାଣିବାକୁ ପାଇବେ ଓ ନିଜ ଗ୍ରାମର ଉନ୍ନତି ସାଧନ କରିପାରିବେ। ଏଥି ସହିତ ସାଂସଦ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ସ୍ୱାଗତ କରିଛନ୍ତି।

ସମ୍ବନ୍ଧିତ ଖବର