ରାଜ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରେ ଆତଙ୍କ: ଲମ୍ବିବାରେ ଲାଗିଛି ବାଧ୍ୟତାମୂଳକ ଅବସରର ତାଲିକା

ଭୁବନେଶ୍ୱର: ବାଧ୍ୟତାମୂଳକ ଅବସର ନେବା ଅଧିକାରୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ରାଜ୍ୟ ସରକାର ଶୁକ୍ରବାର ପୁଣି ଜଣେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ନୂଆପଡ଼ା ଜିଲ୍ଲାର କୋମନାର ପୂର୍ବତନ ବିଡିଓ ପ୍ରଦୀପ କୁମାର ବେହେରାଙ୍କୁ ସରକାର ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି। ବର୍ତ୍ତମାନ ପ୍ରଦୀପ କୁମାର ମୟୂରଭଂଜ ଜିଲ୍ଲାର କପ୍ତିପଦା ତହସିଲଦାର ଅଛନ୍ତି। କୋରାପୁଟ ଭିଜିଲାନସ୍‌ ମାମଲାରେ ସେ ସଂପୃକ୍ତ ଥିଲେ।

ସୂଚନାଯୋଗ୍ୟ ରାଜ୍ୟ ସରକାର ଆଜି ଗୋଟିଏ ଦିନରେ ୫ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ପ୍ରଦୀପ ବେହେରାଙ୍କ ସମେତ ବସନ୍ତ ବେହେରା, ଦୀଲିପ ନାଗ, ଅଶୋକ ମାଝୀ ଓ ଶରତ ଚନ୍ଦ୍ର ପଣ୍ଡାଙ୍କୁ ବି ବାଧ୍ୟତାମୂଳକ ଅବସର ମିଳିଛି। ବସନ୍ତ ବେହେରା ଢେଙ୍କାନାଳ ଓଟିଇଏସ୍‌ ଆରଟିଓ ଥିଲେ। ବସନ୍ତଙ୍କ ନାଁରେ ଥିଲା ୩ କୋଟି ୬୧ ଲକ୍ଷ ଟଙ୍କାର ସମ୍ପତ୍ତି ଥିଲା। ସେହିପରି ଅବକାରୀ ଦିଲୀପ କୁମାର ନାଗ ଡେପୁଟି କମିସନର ଥିଲେ। ତାଙ୍କ ନାଁରେ ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଥିଲା।

ନୂଆଁପଡ଼ା ଜିଲ୍ଲା ଖରିଆର ଡିଭିଜନର ପୂର୍ବତନ ଡିଏଫ୍‌ଓ ଶରତ ଚନ୍ଦ୍ର ପଣ୍ଡାଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଶରତଙ୍କ ନାଁରେ ସାଢ଼େ ୪ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସହକାରୀ ସାଧାରଣ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝୀ ବାତ୍ୟା ଫନି ସମୟରେ କାର୍ଯ୍ୟରେ ଅନୁପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଅଚାନକ ଏପ୍ରକାରର ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବେ ରାଜ୍ୟର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର