ଦାନଗଦୀ : ନୀଳାଚଳ ଇସ୍ପାତ କାରଖାନାର କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ଗଠିତ ହୋଇଥିବା ନୀଳାଚଳ ବହୁମୁଖୀ ସମବାୟ ସମିତି ଲିମିଟେଡ୍ରୁ ୪ କୋଟିରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ। ଏହି ଅଭିଯୋଗ ପରେ କଳିଙ୍ଗନଗର ଥାନା ପୁଲିସ ୫ଜଣ ଅଧିକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଗିରଫ ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ସୋସାଇଟି ସଭାପତି ତଥା କାରଖାନା ଏଜିଏମ୍( ମେକାନିକାଲ) ଅଂଶୁମାନ ନାୟକ (୪୭), ସୋସାଇଟିର ସମ୍ପାଦକ ଆଲୋକ କୁମାର ଦାସ (ଓଏସ୍ଟି), ସୋସାଇଟିର ମୁଖ୍ୟ ପରିଚାଳକ ବିକାଶ ରଞ୍ଜନ ଖିଲାର (ଓଏସଟି), କୋଷାଧ୍ୟକ୍ଷ ମନୋଜ ବଳ (ଓଏସଟି) ଓ ଯୁଗ୍ମ ସମ୍ପାଦକ ସୁମନ୍ତ ମହାରଣା (ଓଏସଟି)।
ଅଭିଯୋଗ ଅନୁସାରେ, ନୀଳାଚଳ ଇସ୍ପାତ ନିଗମର କର୍ମଚାରୀଙ୍କ ପରିବାର କଲ୍ୟାଣ ନିମନ୍ତେ ନୀଳାଚଳ ବହୁମୁଖି ସମବାୟ ସମିତି ଲିମିଟେଡ୍ ଗଠନ ହୋଇଥିଲା। ଏହି ସୋସାଇଟିରୁ ୪ କୋଟି ଟଙ୍କା ଅଧିକ ହଡ଼ପ କରାଯାଇଛି। ଗତ ଅକ୍ଟୋବର ୧୯ ତାରିଖରେ ଡୁବୁରୀସ୍ଥିତ ନୀଳାଚଳ ଟାଉନସିପ୍ରେ ରହୁଥିବା ବନିତା ମହାପାତ୍ର, ନିବେଦିତା ପୁହାଣ (ରାଉଚରାୟ), ଓମ୍କାର ମଞ୍ଜୁରୀ ମିଶ୍ର ଓ ଅନ୍ୟ ୧୭ ଜଣ କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସଦସ୍ୟମାନେ ଅଭିଯୋଗ କରିଥିଲେ ଯେ ଗତ ୨୦୧୦ ରେ ନୀଳାଚଳ ଇସ୍ପାତ ନିଗମର କର୍ମଚାରୀ ପରିବାରକୁ ନେଇ ନୀଳାଚଳ ମଲ୍ଟି ପରପୋଜ୍ କୋପରେଟିଭ୍ ସୋସାଇଟି ଗଠନ କରାଯାଇଥିଲା। ଏହି ସୋସାଇଟି ରେଜିଷ୍ଟ୍ରେସନ୍ ନମ୍ବର ୨୦୪/ଜେ/ ତା୪/୮/୨୦୧୦। ଏହି ସୋସାଇଟିରେ ପ୍ରାୟ ୩ ଶହରୁ ଅଧିକ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଭ୍ୟସଭ୍ୟା ଥିଲେ। କଳିଙ୍ଗନଗର ଥାନାରେ ଏତଲା ହେବାପରେ ଥାନାଧିକାରୀ ପ୍ରିୟବ୍ରତ ରାଉତ କାରଖାନା ଦୁଇ ନିର୍ଦ୍ଦେଶକ ବିକାଶ ଖିଲାର ଓ ଶ୍ରେୟାଶ୍ରୀ ନାୟକଙ୍କ ନାମରେ କେସ୍ ନମ୍ବର ୨୨୪/୨୦୨୨ ଦଫା ୪୦୬ /୪୨୦ /୪୬୭ /୪୬୮ /୪୭୧/୧୨୦ବି ଆଇପିସିରେ ତଦନ୍ତ ଆରମ୍ଭ କରିଥିଲେ। ଆଜି ୫ଜଣ କାରଖାନା ଅଧିକାରୀଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା ବେଳେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।