ପର ପିଣ୍ଡାରେ ଆଶ୍ରୟ ନେଇଛନ୍ତି ୫ ଅନାଥ ଶିଶୁ

ଜାଡ଼ରେ କମ୍ପୁଛନ୍ତି, ବିକଳରେ କାନ୍ଦୁଛନ୍ତି; ଆହା ପଦେ କହିବାକୁ କେହିନାହିଁ

ଖିଚିଂ : ଅନାଥ ହୋଇଗଲେ କୋମଳମତି ୫ ଶିଶୁ। ବର୍ଷକ ତଳେ ବାପାଙ୍କୁ ହରାଇଥିଲେ। ଆଉ ଗୁରୁବାର ରାତିରେ ମା ବି ଛାଡ଼ି ଚାଲିଗଲେ। ଖାଇବାକୁ ଦାନା ନାହିଁ କି ପିନ୍ଧିବାକୁ ବସ୍ତ୍ର ନାହିଁ। ଘର ନ ଥିବାରୁ ଶୀତକାକରରେ ପଡ଼ୋଶୀଙ୍କ ପିଣ୍ଡାରେ ଆଶ୍ରୟ ନେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅନ୍ତର୍ଗତ ତେରଣ୍ଟି ପଞ୍ଚାୟତ ଭାଳିଆଡିହା ଗାଁର ରବି ତିରିଆଙ୍କ ବଡ଼ଝିଅ ଶାନ୍ତି (୧୨), ପଦ୍ମିନୀ (୪), ପୁଅ ଜଙ୍ଗା (୧୦), ମୁକେଶ (୫) ଓ ଦେଢବର୍ଷର ଶିଶୁ ପାପୁନଙ୍କ କରୁଣ ଅବସ୍ଥା ଦେଖିଲେ ଭଗବାନଙ୍କ ଆଖରେ ବି ଲୁହ ଆସିଯିବ।

ଭାଳିଆଡ଼ିହା ରେମଚାସାହିର ଏକ ଝୁମ୍ପୁଡ଼ି ଘରେ ମୁଣ୍ଡ ଗୁଞ୍ଜିଥିଲେ ରବି ତିରିଆ, ତାଙ୍କ ସ୍ତ୍ରୀ ସୋମବାରୀ ଓ ୫ ଶିଶୁ ସନ୍ତାନ। ମୂଲମଜୁରି ଲାଗି ଦୁଃଖକଷ୍ଟେ ଚଳୁଥିଲା ପରିବାର। ହେଲେ ଦଇବ ସହିଲାନି। ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ବର୍ଷକ ତଳେ ଆରପାରିକୁ ଚାଲିଗଲେ ରବି। ଅଭାବ ଅନଟନ ଯୋଗୁଁ ସୋମବାରୀ ୫ ପିଲାଙ୍କୁ ପାଳିବା କଷ୍ଟକର ହୋଇପଡ଼ିଲା। ନିଜେ ଭୋକଉପାସରେ ରହିବାରୁ ରକ୍ତହୀନତା ଓ ଅପପୃଷ୍ଟି କାରଣରୁ ଗତ ଗୁରୁବାର ରାତିରେ ସୋମବାରୀ (୨୮) ୫ ସନ୍ତାନଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ। ୫ ଶିଶୁ ଏବେ ସଂପୂର୍ଣ୍ଣ ବେସାହାରା। ଖାଦ୍ୟ ଅଭାବରୁ ଦେଢ଼ବର୍ଷ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ। ସୋମବାରୀଙ୍କ ମୃତ୍ୟୁ ପରେ ପଞ୍ଚାୟତକୁ ଖବର ଦିଆଯାଇଥିଲେ ମଧ୍ୟ ଅନ୍ତିମ କ୍ରିୟାକର୍ମରେ ଫୁଟା କଉଡ଼ିଟେ ବି ସହାୟତା ମିଳିଲାନି। ପିଲାମାନଙ୍କ ବିକଳ କ୍ରନ୍ଦନ ସହି ନପାରି ଗ୍ରାମବାସୀ ଶେଷକୃତ୍ୟ ସଂପନ୍ନ କରିଥିଲେ।
ଏବେ ପରପିଣ୍ଡା ହିଁ ଆଶ୍ରା। ଦାରିଦ୍ର୍ୟ କଷାଘାତରେ ଥିବା ବାପା, ମା’ ଛେଉଣ୍ଡ ଏହି ଶିଶୁମାନଙ୍କୁ ସରକାରୀସ୍ତରରେ ଥଇଥାନ କରାଗଲେ ତାହା ସେମାନଙ୍କ ଲାଗି ବଞ୍ଚିବାର ରାହା ହେବ।

ସମ୍ବନ୍ଧିତ ଖବର