ରାୟଗଡ଼ା : କଟକଣା ସତ୍ତ୍ବେ ସହରର ଏକ ଧାର୍ମିକ ଅନୁଷ୍ଠାନରେ ସମୂହ ପ୍ରାର୍ଥନା କରୁଥିବା ଅଭିଯୋଗରେ ରାୟଗଡ଼ା ଟାଉନ୍ ଥାନା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରାର୍ଥନା କରୁଥିବା ୧୧ ଜଣଙ୍କୁ ପୁଲିସ ନୋଟିସ୍ ଜାରି କରିବା ସହ ସେମାନଙ୍କ ମଧ୍ୟରୁ ୫ଜଣ ପୁରୁଷଙ୍କୁ କ୍ବାରାଣ୍ଟିନରେ ରଖିବାକୁ ନେଇଛି। ସେହିପରି ୬ ମହିଳାଙ୍କୁ ତାଗିଦ୍ କରିବା ସହିତ ସ୍ବାସ୍ଥ୍ୟ ପରୀକ୍ଷା କରି ଛାଡ଼ି ଦେଇଛି।
କରୋନା ମୁକାବିଲା ପାଇଁ ଗୋଟିଏ ସ୍ଥାନରେ ୭ରୁ ଅଧିକ ବ୍ୟକ୍ତିଙ୍କ ଉପସ୍ଥିତି ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ଏ ନେଇ ବାରମ୍ବାର ସଚେତନତା ସତ୍ତ୍ବେ ଆଜି ପୂର୍ବାହ୍ନରେ ଆଞ୍ଜିଆପେଟା ଅଞ୍ଚଳରେ ସାମୂହିକ ପ୍ରାର୍ଥନା ଚାଲିଥିବା ନେଇ ଟାଉନ୍ ଥାନା ପୁଲିସ ଖବର ପାଇଥିଲା। ପୁଲିସ ସଦଳବଳେ ପ୍ରାର୍ଥନାସ୍ଥଳୀରେ ପହଞ୍ଚିବା ପରେ ଉପସ୍ଥିତ କିଛି ଲୋକ ଦୌଡ଼ି ପଳାଇଥିବା ବେଳେ ୧୧ ଜଣଙ୍କୁ ପୁଲିସ କାବୁ କରିଥିଲା। ସମସ୍ତଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରିବା ପରେ ନୋଟିସ୍ ଜାରି କରିଥିଲା। ଅଟକଙ୍କ ମଧ୍ୟରେ ଥିବା ୫ଜଣ ପୁରୁଷଙ୍କୁ ପୁଲିସ କ୍ବାରାଣ୍ଟିନରେ ପଠାଇବା ପରେ କଟକଣା ନ ହଟିବା ପର୍ଯ୍ୟନ୍ତ ସାମୂହିକ ପ୍ରାର୍ଥନା ବନ୍ଦ ରଖିବାକୁ ତାଗିଦ୍ କରି ମହିଳାଙ୍କୁ ଛାଡ଼ି ଦେଇଥିଲା। ଏହା ପୂର୍ବରୁ ମଧ୍ୟ ପୁଲିସ ସାଇପ୍ରିୟା ନଗରରେ ଚଢ଼ାଉ କରି ସାମୂହିକ ପ୍ରାର୍ଥନାକୁ ବନ୍ଦ ରଖିବା ସହ ୧୫ ଜଣଙ୍କୁ ନୋଟିସ୍ ଜାରି କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/RGD_Medical-ferar-750x430-1.jpg)