ସୁନ୍ଦରଗଡ଼/ବୈପାରିଗୁଡ଼ା/କାଲିମେଳା/ଝରିଗାଁ: ପୋଖରୀରେ ବୁଡ଼ି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୫ଜଣଙ୍କ ଜୀବନ ଯାଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଗୋପାଳପୁର ପଞ୍ଚାୟତ ଝୁପୁରୁଙ୍ଗା ଚିଟକେନଢିପା ଗ୍ରାମରେ ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଉଥିବା ସାନଭାଇକୁ ଉଦ୍ଧାର କରିବାକୁ ଯାଇ ବଡ଼ଭାଇ ବି ପାଣିରେ ବୁଡ଼ି ଯାଇଥିଲେ। ମୃତ ଦୁଇଭାଇ ହେଲେ ଝୁପୁରୁଙ୍ଗା ଚିଟକେନଢିପାର ଚିତ୍ତ ମାକର (୪୦) ଓ ଦେବାଶିଷ ମାକର (୨୦)। ଶୁକ୍ରବାର ଅପରାହ୍ଣରେ ଘଟଣାଟି ଘଟିଥିବାବେଳେ ରାତିରେ ପରିବାର ଲୋକେ ବଲିଙ୍ଗା ଫାଣ୍ଡି ଓ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣା ସାମନାକୁ ଆସିଥିଲା। ଅଗ୍ନିଶମ ବାହିନୀ ପୋଖରୀ ଭିତରେ ପଶି ରାତିରେ ସାନଭାଇ ଚିତ୍ତର ମୃତଦେହ ଉଦ୍ଧାର କରିଥିବାବେଳେ ଆଜି ଭୋର୍ରୁ ବଡ଼ଭାଇର ମୃତଦେହ ମିଳିଥିଲା। ଦୁଇଭାଇଙ୍କ ମୃତ୍ୟୁରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବାବେଳେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ସେହିପରି ପୋଖରୀରେ ବୁଡ଼ି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ବୋଦାପୁଟ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡ୍ରିଗୁଡ଼ା ଗ୍ରାମର ଅଶୋକ ଡିଶାରୀ (୧୨), ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି-୭୪ ଗ୍ରାମର ବବୁଲ ଡାଙ୍ଗିଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଆୟୁଷ ଏବଂ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର କାନାକୋଟ ପଞ୍ଚାୟତ ଅନ୍ତର୍ଗତ ଡୁମରପର ଗ୍ରାମର ମଙ୍ଗନାଥ ଗଣ୍ଡ (୩୮)ଙ୍କ ମୃତ୍ୟୁ ଘଟିଛି। ପାଣ୍ଡ୍ରିଗୁଡ଼ା ଗ୍ରାମର ଲଇଛନ ଡିଶାରୀଙ୍କ ପୁଅ ଅଶୋକ ଶନିବାର ସକାଳୁ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡ଼ି ଯାଇଥିଲେ। ଗାଁର କିଛି ଯୁବକ ପୋଖରୀ ଭିତରୁ ଅଶୋକକୁ ଉଦ୍ଧାର କରି ବୈପାରିଗୁଡ଼ା ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୈପାରିଗୁଡ଼ା ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମାଲକାନଗିରି ଜିଲ୍ଲା ଏମ୍ଭି-୭୪ ଗ୍ରାମର ବବୁଲ ଡାଙ୍ଗିଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଆୟୁଷ ପରିବାରର ଅଜାଣତରେ ଚାଲି ଚାଲି ଘର ନିକଟରେ ଥିବା ପୋଖରୀକୁ ଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରିବା ପରେ ପୋଖରୀରେ ଶିଶୁପୁତ୍ର ବୁଡ଼ି ଯାଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଆୟୁଷଙ୍କୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନସ୍ଥ ଡୁମରପଦର ଗ୍ରାମର ମଙ୍ଗନାଥ ଗଣ୍ଡ ଶନିବାର ଅପରାହ୍ଣ ୩ଟାରେ ଘରଠାରୁ ଅଧା କିମି ଦୂରରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇ ବୁଡ଼ି ଯାଇଥିଲ। ପୋଖରୀ ହୁଡ଼ାରେ ମଙ୍ଗନାଥଙ୍କ ପୋଷାକ ଦେଖି ଉମରକୋଟ ପୁଲିସ ଓ ଡାବୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ମଙ୍ଗନାଥଙ୍କ ଶବ ଉଦ୍ଧାର କରିଥିଲେ। ଉମରକୋଟ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।