ସିନ୍ଧେକେଲା/ସାଲେଭଟା/ ନାଉଗାଁ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୫ଜଣଙ୍କ ଜୀବନ ଯାଇଛି। ବଲାଙ୍ଗୀରଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା-ଖରିଆର ୧୬ ନମ୍ବର ରାଜ୍ୟ ରାଜପଥର ଜାମଖୁଣ୍ଟା ବୁଲାଣି ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଖଡ଼ିଆଳ ଥାନା ଖାସବାହାଲ ଗାଁର ଉପେନ୍ଦ୍ର ଶବର (୪୦) ଓ ପୁଅ ହରିଓମ୍ (୧୨)।
ସୂଚନାନୁସାରେ ଉପେନ୍ଦ୍ର କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଗୁରଜୁମରେ ସଂପର୍କୀୟଙ୍କ ଘରେ ରହି ପାଠପଢ଼ୁଥିବା ପୁଅ ହରିଓମ୍ଙ୍କୁ ଆଣିବାକୁ ଯାଇଥିଲେ। ସୋମବାର ପୁଅକୁ ନେଇ ବାଇକ୍ (ଓଡି୨୬ଏସ୍-୩୩୪୭)ରେ ଘରକୁ ଫେରୁଥିବାବେଳେ ଜାମଖୁଣ୍ଟା ବୁଲାଣିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଘଟଣାସ୍ଥଳରେ ଉଭୟ ବାପ ପୁଅଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ସିନ୍ଧେକେଲା ପୁଲିସ ଓ ବଙ୍ଗୋମୁଣ୍ଡା ତହସିଲଦାର ପହଞ୍ଚି ବୁଝାସୁଝା କରିବା ସହ ୨୦ ହଜାର ଟଙ୍କା ସହାୟତା ଦେବାପରେ ରାସ୍ତାରୋକ ହଟିଥିଲା।
ସେହିପରି ବଲାଙ୍ଗୀର ଜିଲ୍ଲା ରୁଗୁଡ଼ିଖାଲ ଗୁଗୁଲ ଢାବା ନିକଟରେ ସୋମବାର ସକାଳେ ବାଇକ୍-ସ୍କୁଟି ଧକ୍କା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ବରଗଡ଼ ମଙ୍ଗଳପଡ଼ାର ଶୁକଦେବ ତାଣ୍ଡିଙ୍କ ପତ୍ନୀ ଜ୍ୟୋତ୍ସ୍ନା ତାଣ୍ଡି (୪୦)। ଉଭୟ ସ୍ୱାମୀ-ସ୍ତ୍ରୀ କୌଣସି କାମରେ ବଲାଙ୍ଗୀରରୁ ବାଇକ୍ରେ ଫେରୁଥିବାବେଳେ ସାଲେଭଟା ଗୁଗୁଲ ଢାବା ନିକଟରେ ଏକ ସ୍କୁଟି ସହ ଧକ୍କା ହୋଇଥିଲେ। ଜ୍ୟୋତ୍ସ୍ନା ବାଇକ୍ରୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍କୁଟିରେ ଚାଳକ ଆଗଲପୁର ବ୍ଲକ୍ ରୋତ ଗାଁର ଏଲ୍ଆଇ ବିନୋଦ ସାହୁ ଏବଂ ରୋହିତ ସାହୁ ଆହତ ହୋଇଥିବା ଜଣାପଡ଼ିଛି। ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ସାଲେଭଟା ଫାଣ୍ଡି ଅଧିକାରୀ ଭରତ ସାହୁ କହିଛନ୍ତି।
ସେହିପରି ଜଗତ୍ସିଂହପୁର ଜିଲ୍ଲାର ନାଉଗାଁ-ଅଲଣାହାଟ ମୁଖ୍ୟ ରାସ୍ତାରେ ବସ୍ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଶ୍ରାବଣ ମାସ ସୋମବାର ଥିବାରୁ ପୁରୀ ଜିଲ୍ଲା ବାସେଳିସାହିର ଚାରି ଜଣ ସାଙ୍ଗ ବାଇକ୍ରେ ଗୋରେଖନାଥଙ୍କ ଦର୍ଶନ କରିବାକୁ ଆସିଥିଲେ। ଆଜି ସକାଳୁ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ପାଳସାହି ନିକଟରେ ସାଇକ୍ରିଷ୍ଣା ବସ୍ ସହ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ପୁରୀ ଜିଲ୍ଲା ବାସେଳିସାହିର ଅମିତ ସାହୁଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଅନ୍ୟ ଜଣେ ସାଙ୍ଗ ବ୍ରହ୍ମଗିରି ଛୋଟପୁରର ଚିତ୍ତରଞ୍ଜନ ରାଉତରାୟ ଗୁରୁତର ଥିବାରୁ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଚିତ୍ତରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ ଅମିତଙ୍କ ମୃତଦେହ ରଖି ରାସ୍ତାରୋକ କରିଥିଲେ। ଅମିତଙ୍କ ସମ୍ପର୍କୀୟ ମାମୁ ଲକ୍ଷ୍ମୀଧର ସାହୁ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରିଛି।