ଓଡ଼ିଶା ମାଟିରେ ଗଛ କାଟୁଥିଲେ, ଗିରଫ ହେଲେ ଆନ୍ଧ୍ରର ୫ ଯୁବକ

ବୈପାରିଗୁଡା: ଆନ୍ଧ୍ରପ୍ରଦେଶରୁ ଆସି ଗୁପ୍ତେଶ୍ୱର ବନାଞ୍ଚଳରେ ଗଛ କାଟୁଥିବା ସମୟରେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି ପାଞ୍ଚ ଜଣ ଗଛ କଟାଳି। ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରୁ ପାଞ୍ଚ ଜଣ ଗଛ କଟାଳି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର ଭିଙ୍ଗ୍ରାଯୋଡି ଜଂଗଲ ଭିତରେ ଗଛ କାଟୁଥିଲେ। ତେବେ ଗୁପ୍ତେଶ୍ୱର ବନାଞ୍ଚଳର କର୍ମଚାରୀ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପାଞ୍ଚ ଜଣଙ୍କୁ ଗିରଫ କରିବା ସହ ବିଭିନ୍ନ ସରଞ୍ଜାମ ସହ ଦୁଇଟି ବାଇକ୍ ଜବତ କରିଛନ୍ତି।

ଗିରଫ ଅଭିଯୁକ୍ତମାନେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା ଅନ୍ତର୍ଗତ କୋନାଡା ଗ୍ରାମର। ସେମାନେ ହେଲେ ସିଏଚ୍. ରାମୁ,କେ. ସୁରେଶ,ବି. ଆପାନ୍ନା, ଆର୍. ମାରାୟା ଏବଂ ଏସ୍. ଆରାୟା। ସେମାନଙ୍କ ନିକଟରୁ ମେସିନ କରତ ଦୁଇଟି,ଶାବଳ ଦୁଇଟି ଏବଂ ଦୁଇଟି ମୋଟର ସାଇକେଲ ଜବତ ହୋଇଛି। ଏହି ଚଢ଼ଉରେ ଗୁପ୍ତେଶ୍ୱର ରେଞ୍ଜ ଅଫିସର କାର୍ତ୍ତିକେଶ୍ବର ଖଣ୍ଡାଇ, ଡେପୁଟି ରେଞ୍ଜର ପ୍ରସନ୍ନ ସାହୁ, ଫରେଷ୍ଟର ଚୈତନ୍ୟ ତନ୍ତୀ ଏବଂ ଗଦାଧର ଚୈଧୁରୀଙ୍କ ସମେତ ପାରା କର୍ମଚାରୀ ଅଂଶଗ୍ରହଣ କରିଥିଲେ। ତେବେ ସୁଦୂର ଆନ୍ଧ୍ରପ୍ରଦେଶରୁ କୋରାପୁଟ ଜିଲ୍ଲାର ଦଣ୍ଡାବାଡି ଅଞ୍ଚଳକୁ ଆସି ଗଛ କାଟୁଥିବା ଘଟଣାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ହୁଏତ ଏହି ଗଛ କଟାଳି ଦଳ ଅନ୍ୟ କାହାର ଇଙ୍ଗିତରେ ଏହି କାର୍ଯ୍ୟରେ ଲିପ୍ତ ଥିଲେ କିମ୍ବା ସ୍ଥାନୀୟ ମାଫିଆଙ୍କ ସହ ସେମାନଙ୍କର ପୂର୍ବରୁ ଯୋଗାଯୋଗ ରହିଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ରେଂଜ ଅଫିସର ଶ୍ରୀ ଖଣ୍ଡାଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର