ଅବକାରୀ ବିଭାଗର ଚଢ଼ଉ; ବିପୁଳ ମଦ ସହ ପୋଚ ଜବତ, ୫ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ନୂତନ ଅବକାରୀ ଅଧୀକ୍ଷକ ଭାବେ ଅଭିରାମ ବେହେରା ଦାୟିତ୍ବ ଗ୍ରହଣ କରିବା ପରେ ଆକ୍ସନ୍ ମୁଡକୁ ଆସିଛି ଅବକାରୀ ବିଭାଗ। ଆଜି ଦିନକରେ ଜିଲ୍ଲାର ରାୟଗଡ଼ା, ଗୁଣପୁର, ବିଷମକଟକ, କଲ୍ୟାଣସିଂହପୁରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୩୨ ଲିଟର ଦେଶୀ ମଦ ଜବତ ସହ ୨୨୦୦ ଲିଟର ପୋଚ ନଷ୍ଟ କରାଯାଇଛି। ସେହିପରି ୧୨ କ୍ବିଣ୍ଟାଲ୍ ମହୁଲ ଜବତ କରାଯାଇଛି। ଚୋରା ମଦ କାରବାର ଅଭିଯୋଗରେ ୮ଟି ମାମଲା ରୁଜୁ ହୋଇଥିବା ବେଳେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବେଆଇନ ମଦ କାରବାର ରୋକିବାକୁ ଅବକାରୀ କମିସନର ଆଶିଷ ସିଂହ, ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦେଶ ପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ପାଇଁ ଯୋଜନା ହୋଇଥିଲା। ଆଜି ଭୋରରେ ପିଣ୍ଡାପଦର ଗ୍ରାମରେ ଚଢ଼ାଉ କରାଯାଇଥିଲା। ଗ୍ରାମ ନିକଟରେ ଥିବା ନଦୀକୂଳରେ ବେଆଇନ ଭାବେ ଦେଶୀ ମଦ ରନ୍ଧା ଯାଉଥିବା ଖବର ପାଇବା ପରେ ଅବକାରୀ ବିଭାଗ ଅଧିକାରୀ ଓ କନେଷ୍ଟବଳ ଚଢ଼ାଉରେ ସାମିଲ୍ ହୋଇଥିଲେ। ନଦୀକୂଳରେ ମାଟି ତଳେ ପୋତା ହୋଇଥିବା ୧୪୦୦ ଲିଟର ପୋଚକୁ ଉଦ୍ଧାର କରି ଅବକାରୀ ବିଭାଗ ନଷ୍ଟ କରିଥିଲା।

ସେହିପରି ରନ୍ଧା ଯାଇଥିବା ୪୭୦ ଲିଟର ମଦ ଜବତ ସହ ବେଆଇନ ମଦ କାରବାର ଅଭିଯୋଗରେ ମୋହନ ରାଓ ଲିମାକୁ ଗିରଫ କରିଛି। ତାଣ୍ଡିପୁର ଗ୍ରାମରେ ହୋଇଥିବା ଚଢ଼ାଉରେ ୧୨୦୦ ଲିଟର ପୋଚ ନଷ୍ଟ କରାଯିବା ସହ ୪୦ ଲିଟର ଦେଶୀ ମଦ ଜବତ ହୋଇଛି। ଜେକେପୁର ମାର୍କେଟରେ ହୋଇଥିବା ଚଢ଼ାଉରେ ୧୮ ଲିଟର ଦେଶୀ ମଦ ଜବତ ସହ ବେଆଇନ ମଦ ବିକ୍ରି ଅଭିଯୋଗରେ ଦୁର୍ଗା ଦାଶକୁ ଗିରଫ କରାଯାଇଛି। ସଂଧ୍ୟାରେ ଥେରୁବାଲି ଡିପି କ୍ୟାମ୍ପରେ ସଂଧ୍ୟାରେ ହୋଇଥିବା ଚଢ଼ାଉରେ ୧୨ କ୍ବିଣ୍ଟାଲ୍ ମହୁଲକୁ ଜବତ କରିଛି ଅବକାରୀ ବିଭାଗ। ବେଆଇନ ଭାବେ ଗଚ୍ଛିତ ରଖିବା ଅଭିଯୋଗରେ ମହୁଲ ଜବତ ହୋଇଥିବା ବେଳେ ମାମଲାରେ କାମନା ମହାନନ୍ଦିଆକୁ ଗିରଫ କରାଯାଇଛି। ଜିଲ୍ଲା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ବରେ ହୋଇଥିବା ଚଢ଼ାଉରେ ରାୟଗଡ଼ା ଇନସପେକ୍ଟର୍ ସୀମାକିରଣ ବେଗ୍, ସଦର ଓଆଇସି ସୂର୍ଯ୍ୟନାରାୟଣ ରଥ, ଏସଆଇ ରଘୁନାଥମୁଣ୍ଡା ଲୁହାର, ମୋବାଇଲ୍ ସ୍କ୍ବାର୍ଡ, ଗୁଣପୁର ଇନସପେକ୍ଟର୍ ହିତାଂଶୁ ଶେଖର ମଲ୍ଲିକ୍, ଓଆଇସି ବୃନ୍ଦାବନ ମଣ୍ଡଳ, ବିଷମକଟକ ଓଆଇସି ରାଶି ନାୟକ ପ୍ରମୁଖ ଚଢ଼ାଉରେ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର