ଡାବୁଗାଁ: ସାମାନ୍ୟ କୁକୁଡ଼ାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଛି ରକ୍ତାକ୍ତ ସଂଘର୍ଷ। ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଏପରି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କାରାଗାଁ ନିକଟ ପଡ଼ାଗଡ ହାଟପଦା ଛକରେ।
ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କାରାଗାଁ ନିକଟ ପଡାଗଡ ହାଟପଦା ଛକରେ ରୁହନ୍ତି ସୁମନି ଭତରା। ତାଙ୍କର ଗୋଟିଏ ବନ ରାଜ କୁକୁଡ଼ା ଅଛି। ବନ ରାଜ କୁକୁଡ଼ା ପଡୋଶୀ ସୁବଳ ଶିକଦାର ଘର ପରିସରରେ ଗତ ଶୁକ୍ରବାର ୪ ତାରିଖ ଦିନ ଅପରାହ୍ନରେ ଖାଦ୍ୟ ଅନ୍ୱେଷଣରେ ଯାଇଥିଲା। ତେବେ ଏହି କୁକୁଡ଼ା କାହିଁକି ତାଙ୍କ ଘର ପରିସରରେ ଆସିଲା ବୋଲି କୁକୁଡ଼ାକୁ ପଥର ଗୋଡ଼ି ଫିଙ୍ଗି ଖଣ୍ଡିଆ ଖାବରା କରିଥିଲେ। ଏହା କୁକୁଡ଼ା ମାଲିକ ସୁମନି ଭତରା ଦେଖି କାହିଁକି ମୋ କୁକୁଡ଼ାକୁ ମାରୁଛ ବୋଲି ସୁବଳ ଓ ତା ସ୍ତ୍ରୀ ଶାରଳାକୁ କହିଥିଲେ। ଏଥିରେ ଦୁଇ ଜଣ ଉତ୍ୟକ୍ତ ହୋଇ ପାଟିତୁଣ୍ଡ ଆରମ୍ଭ କରି ଦେଇଥିଲେ।
ଝିମିଟି ଖେଳରୁ ମହାଭାରତ ପରି ଉଭୟ ପରିବାର ମଧ୍ୟରେ ହାତାହାତି ଆରମ୍ଭ ହୋଇ ଯାଇଥିଲା। କଥା ବହୁତ ଆଗକୁ ଯିବାରୁ ନିକଟରେ ଥିବା ସୁମିତ୍ରା ଢ଼ାଲି, ଗୋପାଳ ଢ଼ାଲି ଓ ସୁକେଶ ଶିକଦାର ଉଭୟ ପରିବାରକୁ ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ସମାଧାନ କରିବା ବଦଳରେ ମଧ୍ୟସ୍ଥି ପାଇଁ ଆସିଥିବା ସୁମିତ୍ରା, ଗୋପାଳ ଓ ଶୁକେଶ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ସୁବଳ ଓ ତା ସ୍ତ୍ରୀ ମଧ୍ୟସ୍ଥି ତିନି ଜଣ ସହ କୁକୁଡ଼ା ମାଲିକ ସୁମନିକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ସୁମିତ୍ରା ଢ଼ାଲି ର ସରକାରୀ ମୁଣ୍ଡରେ ପ୍ରବଳ ଆଘାତ ଲାଗି ଗୁରୁତର ହୋଇଥିବା ବେଳେ ଗୋପାଳ ଢ଼ାଲି, ସୁକେଶ୍ ସିକ ଦର ଓ ସୁମନି ଆହତ ହୋଇଥିଲେ।
ସେହିପରି ହାତାହାତି ପରେ ସୁବଳ ସିକ୍ ଦାର ଓ ତା ସ୍ତ୍ରୀ ଶାରଳା ଶିକ ଦାର ମଧ୍ୟ ଆହତ ହୋଇଥିଲେ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ ଘଣ୍ଟ ସମୟରେ ଏହି ସଂଘର୍ଷ ଘଟିଥିବା ବେଳେ ସମସ୍ତ ଆହତଙ୍କୁ ଉମରକୋଟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କେତେଜଣ ଡାକ୍ତରଖାନାରୁ ଆସିଥିବା ବେଳେ ଏବେ ସୁଦ୍ଧା ସୁବଳ ଓ ଶାରଳା ଶିକ୍ ଦାର୍ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ରକ୍ତାକ୍ତ ସଂଘର୍ଷ ପରେ ସୁମନି ଭତରା ଶୁକ୍ରବାର ରାତ୍ରରେ ହିଁ ଡ଼ାବୁଗାଁ ଥାନାରେ ନ୍ୟାୟ ପାଇଁ ଆଶ୍ରୟ ନେଇଥିବା ଜଣାପଡ଼ିଛି। ତେବେ ସାମାନ୍ୟ କୁକୁଡ଼ାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟଣା ଡାବୁଗାଁ ଓ ଉମରକୋଟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।