କୋରାପୁଟ: କିଛି ମାସର ବ୍ୟବଧାନ ପରେ କୋରାପୁଟ ଜିଲ୍ଲାରେ ପୁଣି ଥରେ ଡଙ୍ଗାବୁଡ଼ି ଘଟଣା ଦେଖିବାକୁ ମିଳିଛି। ପାତାଳୀ ନଦୀରେ ଡଙ୍ଗା ବୁଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ଅଛନ୍ତି। ଗୋଟିଏ ମୃତଦେହ ପାଣିରେ ଭାସୁଛି। ତେବେ ଏହି ମୃତଦେହ କାହାର ସେନେଇ ଜଣାପଡ଼ି ନାହିଁ।

Advertisment

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତର ତାନସିଂ ଗ୍ରାମର ସ୍ବର୍ଗତ କାର୍ତ୍ତିକ ସିସାଙ୍କ ସ୍ତ୍ରୀ ଲାଲମଣି ସିସା(୫୦), ସ୍ବର୍ଗତ ଜଗନ୍ନାଥ ଆର୍ଲାବଙ୍କ ସ୍ତ୍ରୀ ଶଶୀରେଖା ଆର୍ଲାବ (୩୫), ମିଶ୍ର ଆର୍ଲାବଙ୍କ ଝିଅ ନବୀନା ଆର୍ଲାବ୍(୧୪), ପୁଷ୍ପାଞ୍ଜଳି ଆରଲାବ(୫) ଓ ଦେବ ସିସିାଙ୍କ ଝିଅ କ୍ରାନ୍ତି ସିସା(୧୩) ଗତକାଲି ଏକ ବାହାଘରରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି।

୨ ମହିଳା ଏବଂ ତିନି ନାବାଳିକା ଆଜି ଏକ ଦେଶୀଡଙ୍ଗାରେ ବାଡ଼େଲା ଗ୍ରାମକୁ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିଲେ। ନିଜ ଗାଁକୁ ଫେରିବା ସମୟରେ ଡଙ୍ଗାଟି ପାତାଳୀ ନଦୀରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରିପୋର୍ଟ ଲେଖାଯିବା ବେଳକୁ ସମସ୍ତ ଜଣଙ୍କର ମୃତଦେହ ପାଣିରେ ଭାସୁଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ନିଖୋଜ ୪ ଜଣଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ। ଘଟଣାସୁଳରେ ପହଞ୍ଚି ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୩ରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକର କୋଲାବ ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡ଼ିଥିଲା। ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନେ ଥିଲେ ସେମିଳିଗୁଡା ବ୍ଲକ ରଜପୁଟ ପଞ୍ଚାୟତ ମୁଖିବିଡ଼ାଇର ବବିତା କିର୍ଷାନୀ(୧୮), ସାବିତ୍ରୀ କିର୍ଷାନୀ(୧୯), ନୀଳା କିର୍ଷାନୀ (୧୮) ଓ କମଳୁ ବାଲଦି(୧୯)।