ବ୍ରହ୍ମପୁରରେ ପ୍ରସ୍ତୁତ କରି ଗାଁରେ ବିକ୍ରି ହେଉଛି ନକଲି ମଦ, ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ

ସ୍ପିରିଟ୍‌, ଲେବଲ୍‌, ବୋତଲ, ଷ୍ଟିକର୍‌ ଜବତ, କୋଲକାତାରୁ ଆଣୁଥିଲେ ସାମଗ୍ରୀ

ବ୍ରହ୍ମପୁର: ଭେଜାଲ୍‌ ଖାଦ୍ୟ ସାମଗ୍ରୀ ପରେ ବ୍ରହ୍ମପୁରରେ ଠାବ ହୋଇଛି ନକଲି ବିଦେଶୀ ମଦ କାରଖାନା। ବଡ଼ ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ତୃପ୍ତିନଗରରେ ଏକ ଭଡ଼ାଘରେ ଚାଲିଥିବା ଏହି କାରବାର ପର୍ଦ୍ଦାଫାସ୍‌ କରିଛି ଅବକାରୀ ଗୁଇନ୍ଦା ବିଭାଗ। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଏକ ଟିମ୍‌ ଆଜି ସେହି ଭଡ଼ାଘରେ ଚଢ଼ଉ କରିଥିଲା। ଯାଞ୍ଚ ପରେ ସେଠାରୁ ବିପୁଳ ପରିମାଣ ନକଲି ବିଦେଶୀ ମଦ ଜବତ ହୋଇଥିଲା। ଏ ସଂକ୍ରାନ୍ତରେ ମୋଟ ୫ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କାଳୁପାତ୍ରସାହିର ନାରାୟଣ ବିଷୋୟୀ, ସୁକୁଣ୍ଡାର ରବୀନ୍ଦ୍ର ପାଣିଗ୍ରାହୀ, ଶାନ୍ତିନଗର ତୃତୀୟ ଲାଇନ୍‌ର ଏମ୍. ଆଶିଷ କୁମାର ରାଓ, ବେଗୁନିଆପଡ଼ାର ଶ୍ରୀକାନ୍ତ କୁମାର ବେହେରା ଓ ଗଣେଶନଗରର ସନ୍ତୋଷ ସ୍ବାଇଁ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।

ହରିଡ଼ାଖଣ୍ଡି ଅଞ୍ଚଳରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ନେଇ ଖବର ମିଳିଥିଲା। ଏହାର ଖବର ପାଇ ଅବକାରୀ ବିଭାଗର ଏକ ଟିମ୍‌ ହରିଡ଼ାଖଣ୍ଡି ତୃପ୍ତିନଗରରେ ଚଢ଼ଉ କରିଥିଲା। ଏକ ଭଡ଼ାଘରେ ଚାଲିଥିବା ନକଲି ମଦ କାରଖାନା ଠାବ ହୋଇଥିଲା। ସେଠାରେ ସ୍ପିରିଟ୍‌ ସହିତ ବିଭିନ୍ନ ପ୍ରକାର ରଙ୍ଗ ଓ ଆସେନ୍ସ ମିଶ୍ରଣ କରି ନକଲି ମଦ ତିଆରି କରାଯାଉଥିଲା। ସେଠାରୁ ବିଭିନ୍ନ ବ୍ରାଣ୍ଡ୍‌ର ନକଲି ମଦ ଜବତ ହୋଇଥିଲା। ସେହିପରି ଶହେ ଲିଟର୍‌ ସ୍ପିରିଟ୍‌, ବୋଟଲିଂ ପାଇଁ ରହିଥିବା ୨୦ଲିଟର୍‌ ନକଲି ମଦ, ୩ ପେଟି ମଦ, ୫ହଜାର ଠିପି, ଲେବଲ୍‌ ଓ ଷ୍ଟିକର୍‌ ସହିତ ୫ଶହରୁ ଊର୍ଦ୍ଧ୍ବ ଖାଲି ବୋତଲ ଜବତ ହୋଇଥିଲା। ଏହା ସହିତ ଏକ ପ୍ୟାକିଂ ମେସିନ୍‌ ମଧ୍ୟ ଜବତ ହୋଇଛି।

କିଛିଦିନ ହେଲା ଏଠାରେ ଏଭଳି ନକଲି ମଦ ପ୍ରସ୍ତୁତ କରି ବିଭିନ୍ନ ଗ୍ରାମାଞ୍ଚଳକୁ ଚାଲାଣ କରାଯାଉଥିଲା ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନେ ଏହି ସମସ୍ତ ସାମଗ୍ରୀ କୋଲକାତାରୁ ଆଣି ବ୍ରହ୍ମପୁରରେ ବେପାର କରୁଥିଲେ ବୋଲି ସୂଚନା ମିଳିଛି। ଚଢ଼ଉରେ ଅବକାରୀ ଗୁଇନ୍ଦା ବିଭାଗ ଇନ୍‌ସ୍ପେକ୍ଟର୍‌ ହୃଦୟ ଚନ୍ଦ୍ର ସାମନ୍ତ, ଏସ୍‌ଆଇ ବିଶ୍ବଜିତ ଦାଶ, ଏସ୍‌ଆଇ ସଂଜୟ କୁମାର କାଣ୍ଡି, ଏଏସ୍‌ଆଇ ବ୍ରଜ କି‌ଶୋର ନାୟକ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର