ମାଲକାନଗିରି: ଅବକାରୀ ବିଭାଗ ପକ୍ଷରୁ ବୁଧବାର ୨ଟି ସ୍ଥାନରୁ ଗଞ୍ଜେଜ ଜବତ କରିବା ସହ ୫ ଜଣକୁ ଗିରଫ କରିଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ୨ଟି ପୃଥକ ମାମଲା ରୁଜୁ କରାଯାଇଛି। ଦୁଇଟି ସ୍ଥାନରୁ ମୋଟ ୭୫ କିଲୋଗ୍ରାମ ଗଞ୍ଜେଇ ସହିତ ଗୋଟିଏ ବାଇକ ଓ କାର ଜବତ କରାଯାଇଛି।
ସୂଚନା ଅନୁଯାୟୀ, ବୁଧବାର ସକାଳ ୮ଟା ବେଳେ ମାଲକାନଗିରି ଅବକାରୀ ବିଭାଗ ମୋବାଇଲ ଟିମ୍ କୋଇଲିପାରି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ ଗୋଟିଏ ଇନୋଭା କାର ମାଲକାନଗିରି ଆଡକୁ ଦ୍ରୁତଗତିରେ ଯାଉଥିବାର ଦେଖି ଅବକାରୀ ଟିମ୍ କାରକୁ ଅଟକାଇ ଯାଞ୍ଚ କରିଥିଲେ। କାର ଭିତରେ ଥିବା ୨ଟି ବସ୍ତାରୁ ୫୦ କିଲେଗ୍ରାମ ଗଞ୍ଜେଇ ବାହାରିଥିଲା। ପୁଲିସ ଘଟଣାସ୍ଥଳରୁ ୩ ଜଣ ଅଭିଯୁକ୍ତକୁ କାବୁ କରିଥିଲେ। ଅଭିଯୁକ୍ତମାନେ ହେଲେ ଛତିଶଗଡ ରାଜ୍ୟ ରାଇପୁର ଅଞ୍ଚଳର ଘୁରାନ ରାମ, ଦେବେନ୍ଦ୍ର ସିଂ ଓ ରାକେଶ ସୋନି। ଏନେଇ ମାଲକାନଗିରି ଅବକାରୀ ଥାନାରେ ମାମଲା ରୁଜୁ କରି ଆଜି ୩ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ଉରେ ଅବକାରୀ ମୋବାଇଲ ୟୁନିଟର ଏସଆଇ ଅଶେଷ କୁମାର ନାୟକ, ଜ୍ଞାନରଞ୍ଜନ ସାହୁ, ଅକ୍ଷୟ କୁମାର ଜେନା, ପ୍ରଦୀପ ଖରା, ପାଣ୍ଡବ ଟୁଡୁ ପ୍ରମୁଖ ସାମିଲ ହୋଇଥିଲେ।
ସେହିପରି ଭାବେ ବାଲିମେଳା ଅବକାରୀ ଥାନାର କର୍ମଚାରୀମାନେ ଆପନମାଲା ଗ୍ରାମ ଛକ ଠାରେ ଗାଡି ଯାଞ୍ଚ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ବାଇକକୁ ଅଟକାଇ ଥିଲେ। ବାଇକରେ ଧରିଥିବା ବସ୍ତାକୁ ଯାଞ୍ଚ କରିବାରୁ ସେଥିରୁ ୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲେ। ବାଇକ ଚାଳକ ଓ ତାର ସହଯୋଗୀକୁ ଗିରଫ କରିଥିଲେ। ଏହି ଦୁଇ ଜଣ ଅଭିଯୁକ୍ତ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳର ପ୍ରତାପ ବେଗାମୀ ଓ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅଞ୍ଚଳର ଇନ୍ଦ୍ରଜିତ୍ ବିଷୋୟୀ। ବାଲିମେଳା ଅବକାରୀ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ ଦୁଇ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।