ରାଜଧାନୀରେ ଅପହରଣ: ଦେଢ଼ କୋଟି ଟଙ୍କା ଦାବି କରିଥିଲେ, ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଦେଢ଼ କୋଟି ଟଙ୍କା ଦାବିରେ ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରୁ ତିନି ଜଣଙ୍କୁ ଅପହରଣ ଘଟଣାରେ କମିସନରେଟ୍‌ ପୁଲିସର ସ୍ପେଶାଲ ସ୍କ୍ବାର୍ଡ ୫ ଜଣ ଅପହରଣକାରୀଙ୍କୁ ଗିରଫ କରିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମନୋଜ ମହାପାତ୍ର, ଜଣେ ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସିଭିଲ ସପ୍ଲାଏ ଅଫିସରଙ୍କୁ ଅପହରଣକାରୀମାନେ ଅପହରଣ କରିଥିଲେ ।

ପୁଲିସ କହିଛି ମନୋଜ ଜଗନ୍ନାଥ ନଗରରେ ଏକ ଘର ନିର୍ମାଣ କରୁଥିଲେ। ଗତ ୨୪ ତାରିଖ ଘର କାମ ଦେଖିବାକୁ ଯାଇଥିଲେ। ହେଲେ ସେଦିନ ସେ ଆଉ ଫେରି ନଥିଲେ। ରାତିରେ ତାଙ୍କ ପତ୍ନୀଙ୍କ ନିକଟକୁ ଅପହରଣକାରୀମାନଙ୍କ ଫୋନ୍‌ କଲ ଆସିଥିଲା। ଦେଢ଼ କୋଟି ଟଙ୍କା ଦେଲେ ମନୋଜଙ୍କୁ ଛାଡିବେ ବୋଲି ଅପହରଣକାରୀମାନେ କହିଥିଲେ। ମନୋଜଙ୍କ ପତ୍ନୀ ତୁରନ୍ତ ଏନେଇ ଲକ୍ଷ୍ମୀସାଗର ଥାନାରେ ଜଣାଇଥିଲେ।

ଅଭିଯୋଗ ଆଧାରରେ ସ୍ପେଶାଲ ସ୍କ୍ୱାର୍ଡ ଓ ଲକ୍ଷ୍ମୀସାଗର ପୁଲିସ ତୁରନ୍ତ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ୨୪ ଘଣ୍ଟା ଭିତରେ ପୁଲିସ ଟିମ୍‌ ଜାଣିବାକୁ ପାଇଥିଲେ ଯେ ଅପହରଣକାରୀ ଉକ୍ତ ବୟସ୍କ ଲୋକଙ୍କୁ ଡେଲାଙ୍ଗ ଅଞ୍ଚଳରେ ରଖିଛନ୍ତି। ଏହା ପରେ ପୁଲିସ ଚଢ଼ଉ ଆରମ୍ଭ କରିଥିଲା । ହେଲେ ସେତେବେଳେ ଅପହରଣକାରୀମାନେ ଫେରାର ହେବାକୁ ସକ୍ଷମ ହେଇଥିଲେ। ପୁଲିସ ୨୪ ଘଂଟା ଭିତରେ ଅପହୃତଙ୍କୁ ଉଦ୍ଧର କରିଥିଲା। ପୁଲିସ ଏହି ମାମଲାର ତଦନ୍ତ ଭିତରେ ଆଜି ୫ ଜଣ ଅପହରଣକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର