ରାଉରକେଲା: ରାଉରକେଲା ସହରକୁ ଦେଶୀ ମଦ ଚୋରାଚାଲାଣ କରୁଥିବା ୫ ଜଣ ଅଭିଯୁକ୍ତଙ୍କୁ ରାଉରକେଲା ଅବକାରୀ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପ୍ରଶାନ୍ତ ଏକ୍କା, ଦୂତୀଲାଲ ସାହୁ, ରେଶ୍ମା ଓରାମ, ରାମସାଇ ଭୂମିଜ ଓ ଉଷା ଓରାମ। ଏମାନଙ୍କଠାରୁ ୩୦୭ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହାସହ ମଦ ଚୋରାଚାଲାଣରେ ବ୍ୟବହୃତ ୫ଟି ଦୁଇ ଚକିଆ ଯାନ(୨ ସ୍କୁଟି ଓ ୩ ବାଇକ୍‌) ମଧ୍ୟ ଜବତ ହୋଇଛି।

Advertisment

ଇସ୍ପାତ ସହର ଭିତରକୁ ଦେଶୀ ମଦ ଚୋରାଚାଲାଣ ନିତିଦିନିଆ ହେଲାଣି। ବିଶେଷକରି ଝୀରପାଣି ବ୍ରିଜ୍‌ଦେଇ ପ୍ରତିଦିନ ଶହଶହ ଲିଟର ମଦ ସହର ଭିତରକୁ ପସୁଛି। ଏହା ଉପରେ ଅଙ୍କୁଶ ଲଗାଇବାକୁ ଆଜି ଅବକାରୀ ପୁଲିସ ପକ୍ଷରୁ ଝୀରପାଣି ବ୍ରିଜ୍‌ ପାଖ ତଥା ବାଗୁଡ଼ି ବସ୍ତି, ନୟାବଜାର ଅଞ୍ଚଳର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ଉ କରାଯାଇଥିଲା। ଝୀରପାଣି ବ୍ରିଜ୍‌ ଦେଇ ମଦ ଆଣୁଥିବାବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ଦୁଇ ଅଭିଯୁକ୍ତ ସହର ଭିତରେ ମଦ ଗଚ୍ଛିତ ରଖି ବିଭିନ୍ନ ଅଞ୍ଚଳକୁ ସ୍କୁଟି, ବାଇକ୍‌(ଓଡି-୧୪-ଏସ୍‌-୪୫୧୯/ ଓଆର୍‌-୧୪-ପି-୬୬୮୫/ ଓଆର୍‌-୧୪-ଟି-୨୯୨୩/ ଓଆର୍‌-୧୪-ପି-୪୧୬୦/ ଓଡି-୧୪-ଭି-୫୭୯୪)ରେ ଚୋରାଚାଲାଣ କରୁଥିଲେ। ଏତିକିବେଳେ ଅବକାରୀ ପୁଲିସ ସମସ୍ତଙ୍କୁ କାବୁ କରିନେଇଥିଲା। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ବିଭାଗର ଅନ୍ୟ କର୍ମଚାରୀ, ମୋବାଇଲ ସ୍କ୍ବାଡ୍‌ କର୍ମଚାରୀ ସାମିଲ ଥିଲେ।