ଝଡ଼ାଫୁଙ୍କା ଆଳରେ ମହିଳାଙ୍କୁ ହତ୍ୟା: ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ ଜେଲ୍‌

ବାରିପଦା: ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଝଡ଼ାଫୁଙ୍କା ଆଳରେ ଜଣେ ମହିଳାଙ୍କୁ ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। ଗୋଟିଏ ପରିବାରର ୫ଜଣ ଆସାମୀଙ୍କୁ ବାରିପଦା ଅତିରିକ୍ତ ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଓ ଜରିମାନା ଅନାଦେୟ ଅଧିକ ୫ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି।

୨୦୧୮ ମସିହା ଅପ୍ରେଲ ୨୪ ତାରିଖରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ ଡୁମୁରୁଡ଼ିହା ଗାଁରେ ଘଟିଥିଲା ଏହି ଅଘଟଣ। ଗ୍ରାମର ରାମ ମୁର୍ମୁ ନିଜ ଅସୁସ୍ଥ ମା’ ଭାଗାଙ୍କୁ ଡାକ୍ତରଖାନା ନନେଇ ଝଡ଼ାଫୁଙ୍କା କରିବାକୁ ସେହି ଗ୍ରାମର ରାମେ ମୁର୍ମୁଙ୍କ ପାଖକୁ ନେଇଥିଲେ। ରାମେ ଝଡ଼ାଫୁଙ୍କା ଆରମ୍ଭ କରିବା ବେଳେ ଭାଗାଙ୍କ ଝିଅ ସମ୍ଭାରୀ ମୁର୍ମୁ ପହଞ୍ଚି ଏହାର ବିରୋଧ କରିଥିଲେ।

ତେ‌ବେ ରାମେ ସମ୍ଭାରୀଙ୍କ କଥା ନଶୁଣି ଓଲଟା ତାଙ୍କ ଦେହରେ ପ୍ରେତ ଲାଗିଥିବା କହି ଭାଗାଙ୍କକୁ ଛାଡ଼ି ସମ୍ଭାରୀଙ୍କୁ ଝଡ଼ାଫୁଙ୍କା ଆରମ୍ଭ କରି ଦେଇଥିଲେ। ସମ୍ଭାରୀ ସେଠାରୁ ଖସି ଆସିବାକୁ ଚେଷ୍ଟା କରିବା ବେଳେ ରାମେଙ୍କ ପତ୍ନୀ, ପୁଅ,‌ ବୋହୂ ପହଞ୍ଚି ତାଙ୍କୁ ମାଡ଼ି ବସିଥିଲେ। ପ୍ରେତ ଛଡ଼ାଇବା ଆଳରେ ସମସ୍ତେ ମିଶି ତ୍ରିଶୁଳରେ ତାଙ୍କ ଦେହକୁ ଆଘାତ କରିବା ସହ ଠେଙ୍ଗାରେ ମାଡ଼ ମାରିଥିଲେ। ପରେ ସମ୍ଭାରୀଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଭାଇ ରାମଙ୍କ ଅଭିଯୋଗ କ୍ରମେ ଏ ନେଇ କୁଳିଅଣା ଥାନାରେ କେସ୍‌ ନଂ ୩୫/୨୦୧୮ରେ ମାମଲା ରୁଜୁ ହୋଇଥିଲା। ପୁଲିସ ରାମେ ମୁର୍ମୁ, ପତ୍ନୀ ମାହି, ପୁଅ ନରସିଂହ ଓ ସୁକୁଳୁ, ବୋହୂ ଚିତ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଉ ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ସେମାନଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ସରକାରଙ୍କ ପକ୍ଷରୁ ଏପିପି କୃଷ୍ଣଚନ୍ଦ୍ର ଦାସ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର