ରାୟଗଡ଼ା: ଜମ୍ମୁ-କଶ୍ମୀରର ଅମରନାଥରେ ଶୁକ୍ରବାର ସଂଧ୍ୟାରେ ବାଦଲ ଫଟା ବର୍ଷା ଯୋଗୁ ଶତାଧିକ ଶ୍ରଦ୍ଧାଳୁ ଫସି ରହିଛନ୍ତି। ଗୁମ୍ଫା ଓ ପାର୍ବତ୍ୟ ଅଞ୍ଚଳରେ ଫସି ରହିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ରାୟଗଡ଼ାର ୫ ଜଣ ଅଛନ୍ତି। ବର୍ଷା ଜଳ ହଠାତ୍ ଗୁମ୍ଫା ପାର୍ଶ୍ବରୁ ମାଡ଼ି ଆସିବା ପରେ ଅସ୍ଥାୟୀ ଟେଣ୍ଟ୍ ସହ ସମସ୍ତ ସାମଗ୍ରୀ ଭାସି ଯାଇଥିଲା। ସୌଭାଗ୍ୟବଶତଃ ଜୀବନ ବଞ୍ଚି ଯାଇଥିବା କହିଛନ୍ତି ରାୟଗଡ଼ାର ବସନ୍ତ ସେନାପତି। ବସନ୍ତଙ୍କ ସହ ଫସିଥିବା ଅନ୍ୟ ଶ୍ରଦ୍ଧାଳୁମାନେ ହେଲେ ସୌମ୍ୟରଞ୍ଜନ ପାତ୍ର, ନିହାର ରଞ୍ଜନ ପାତ୍ର, କେ. ରବି କୁମାର ଓ ଟୁକୁନା ପ୍ରଧାନ। ସମସ୍ତ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ବୋଲି ଜିଲ୍ଲାପାଳ ସ୍ବଧାଦେବ ସିଂହ କହିଛନ୍ତି।
ଜୁଲାଇ ୧ ତାରିଖରେ ରାୟଗଡ଼ାରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ସଭିଁଏ। ୬ ତାରିଖରେ ଦର୍ଶନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଭିଡ଼ ଯୋଗୁ ୭ ତାରିଖରେ ଦର୍ଶନ ପାଇଁ ଅନୁମତି ମିଳିଥିଲା। ୭ ତାରିଖରୁ ଯାତ୍ରା ଆରମ୍ଭ କରି ୮ ତାରିଖ ସଂଧ୍ୟା ୫ଟାରେ ସମସ୍ତ ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ ସାରିଥିଲେ। ଦର୍ଶନ ସାରି ଅସ୍ଥାୟୀ କ୍ୟାମ୍ପକୁ ଆସିବା କ୍ଷଣି ଆରମ୍ଭ ହୋଇଥିଲା ବର୍ଷା। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ହଠାତ୍ ପାଣି ମାଡ଼ି ଆସି ଗୁ୍ମ୍ଫା ନିକଟରେ ଥିବା ଶହ ଶହ ଅସ୍ଥାୟୀ ଟେଣ୍ଟ୍ ସହ ବହୁ ଶ୍ରଦ୍ଧାଳୁଙ୍କୁ ଭସାଇ ନେଇଥିଲା। ଅତଡ଼ା ଖସିବା କାରଣରୁ କିଛି ଶ୍ରଦ୍ଧାଳୁ ମାଟି ତଳେ ଫସି ରହିଥିଲେ।
/sambad/media/post_attachments/wp-content/uploads/2022/07/RGD_Amarnath-Jatra-2-1.jpg)
ଖବର ପାଇ ସିଆରପିଏଫ୍, ଆଇଟିବିପି ଯବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସତର୍କତାର ସହ ରାୟଗଡ଼ାର ୫ ଶ୍ରଦ୍ଧାଳୁ ଅସ୍ଥାୟୀ କ୍ୟାମ୍ପରୁ ଚାଲି ଚାଲି ଆସି ରାତି ୩ଟାରେ ପଞ୍ଚତରଣୀରେ ପହଞ୍ଚି ଥିଲେ। ସେଠାରେ ବିଶ୍ରାମ ପରେ ସକାଳୁ ପୁଣି ଚାଲିବା ଆରମ୍ଭ କରି ୧୮ ହଜାର ଫୁଟ୍ ଉଚ୍ଚରେ ଥିବା ବାଲତାଲ୍ ଅଭିମୁଖେ ଯାତ୍ରା କରିଛନ୍ତି। ବାଲତାଲରେ ପହଞ୍ଚିବା ପରେ ଜମ୍ମୁ ଅଭିମୁଖେ ଯାତ୍ରା କରିବେ ବୋଲି ବସନ୍ତ ସେନାପତି କହିଛନ୍ତି। ତେବେ ଦୁଇ ଦିନ ହେଲା ଭଲ ଭାବରେ କିଛି ଖାଇନଥିବା ଏବଂ ବର୍ଷା ଜଳରେ ସମସ୍ତ ଶ୍ରଦ୍ଧାଳୁଙ୍କ ସାମଗ୍ରୀ ଓ ବ୍ୟାଗ୍ ଭାସି ଯାଇଥିବାରୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ମୋବାଇଲରେ ଭିଡ଼ିଓ ଜାରି କରି ଓଡ଼ିଶା ସରକାର, ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ଶ୍ରଦ୍ଧାଳୁ। ସହାୟତା ପାଇଁ ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ହେଲପ ଲାଇନ୍ ନମ୍ବର ମଧ୍ୟ କେହି ଉଠାଉ ନଥିବା ଶ୍ରଦ୍ଧାଳୁ କହିଛନ୍ତି। ପାଖରେ ନଗଦ ଟଙ୍କା କିଛିନଥିବା ବେଳେ ରାସ୍ତାରେ ଥିବା ଦୋକାନୀ ଫୋନ୍ ପେ’ କିମ୍ବା ଗୁଗୁଲ୍ ପେ’ ପେମେଣ୍ଟ ମନା କରୁଛନ୍ତି। ରାୟଗଡ଼ା ସମେତ ଓଡ଼ିଶାର ଅନ୍ୟ ଜିଲ୍ଲାରୁ ମଧ୍ୟ ଶ୍ରଦ୍ଧାଳୁ ଫଶି ରହିଥିବାରୁ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/adc88cc9-4773-4af8-b8c2-1d7cf8e0fb42.jpg)