ପୁଣି ଖସିଗଲା ଦୁର୍ଦ୍ଦାନ୍ତ ଅପରାଧୀ

ଦୁର୍ଘଟଣା ପରେ ଚିକିତ୍ସାଧୀନ ଥିଲା, ୫ ପୁଲିସ କର୍ମଚାରୀ ନିଲମ୍ବିତ

ବ୍ରହ୍ମପୁର : ୨ ମାସ ତଳେ ଭଂଜନଗର ଜେଲରୁ ଚମ୍ପଟ୍ ମାରିବା ପରେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାଇକ ଗତମାସ ୯ ତାରିଖରେ ଭଂଜନଗର ବାଇପାସ୍ ନିକଟରେ ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇ ପୁଲିସ ହାତରେ ଧରାପଡ଼ିିଥିଲା। ହେଲେ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସା ଚାଲିଥିବାବେଳେ ଆଜି ବାବୁ ପୁଣି ପୁଲିସ୍‌ ଆଖିରେ ଧୂଳି ଦେଇ ଖସିିଯାଇଛି। ଏହା ଗଂଜାମ ଜିଲ୍ଲା ପୁଲିସର ନିଦ ହଜାଇ ଦେଇଥିବା ବେଳେ ଦାୟିତ୍ବହୀନତା ପାଇଁ ଗଂଜାମ ଏସପି ବ୍ରିଜେଶ କୁମାର ରାୟ ୫ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।

ବୁଗୁଡ଼ା ଥାନା ମାଣିତରା ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ଲୁଟର ମାଷ୍ଟରମାଇଣ୍ଡ ହେଉଛି ବାବୁ। ୨୦୧୭ ମସିହା ଅଗଷ୍ଟ ୩ ତାରିଖରେ ପୁଲିସ ଏନ୍‌କାଉଣ୍ଟରରେ ସେ ଆହତ ହୋଇଥିଲା। ବ୍ରହ୍ମପୁର ବଡ଼ମେଡିକାଲରେ ତା’ର ଚିକିତ୍ସା ପରେ ତାକୁ ଭଂଜନଗର ଜେଲ୍ ପଠାଯାଇଥିଲା। ହେଲେ ଗତ ସେପ୍ଟେମ୍ବର ୧୧ ତାରିଖରେ ଜେଲରୁ ଚମ୍ପଟ ମାରିବା ପରେ ତା’ର ପଲଟଣ ସହ ଖୁଲମଖୁଲା ଜଗନ୍ନାଥପ୍ରସାଦ ଓ ଭଂଜନଗର ଥାନା ଇଲାକାରେ ବୁଲୁଥିଲା। ଏପରିକି ଗତମାସ ୫ ତାରିଖରେ ଜଗନ୍ନାଥପ୍ରସାଦ ବ୍ଲକ ପଞ୍ଚଭୂତି ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଗେ‌ାକୁଳଚନ୍ଦ୍ର ଦୋରାଙ୍କୁ ଅପହରଣ କରିବାକୁ ବ୍ଲୁ’ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଫଳରେ ପୁଲିସ ପାଇଁ ଏହା ଚିନ୍ତାର କାରଣ ପାଲଟିଥିବା ବେଳେ ବାବୁର ଥଳକୁଳ ମିଳୁ ନଥିଲା।

ହେଲେ ଗତ ୧୧ ତାରିଖରେ ତା’ର ଗତିବିଧି ବିଷୟରେ ପୁଲିସକୁ ଖବର ମିଳିଥିଲା। ହେଲେ ବାବୁ ନିଜ ସହଯୋଗୀ ସହ ପୁଲିସକୁ ଚକମା ଦେଇ ବାଇକରେ ଚମ୍ପଟ ମାରିବାକୁ ସେ ଉଦ୍ୟମ କରୁଥିବା ବେଳେ ଭଂଜନଗର ବାଇପାସ୍ ନିକଟରେ ଆଉ ଏକ ବାଇକ୍ ସହ ମୁହାମୁହିଁ ଧକ୍କା ହୋଇଥିଲା। ଆଉ ‌ବାବୁ ଧରିଥିବା ବ୍ୟାଗରୁ କିଛି ବୋମା ଖସି ଯାଇ ବିସ୍ଫୋରଣ ଘଟିଥିଲା। ଏଥିରେ ବାବୁ ସମେତ ତା’ର ସହଯୋଗୀ ଜଗନ୍ନାଥପ୍ରସାଦ ବ୍ଲକ ଅଳସୁ ଗ୍ରାମର ବଳରାମ ନାଇକ ଏବଂ ଅଗ‌ଝୋଳର ପରିବା ବ୍ୟବସାୟୀ ପ୍ରଶାନ୍ତ ପ୍ରଧାନ ଗୁରୁତର ହୋଇଥିଲେ। ବାବୁକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡିକାଲ ଅଣାଯାଇ ଚିକିତ୍ସା ଜାରି ରହିଥିଲା। ଆଉ ଆଜି ପୁଣି ଥ‌େର ପୁଲିସକୁ ଚକମା ‌ଦେଇ ସେ ଚମ୍ପଟ୍ ମାରିବା ପୁଲିସ ପ୍ରଶାସନର ମୁଣ୍ଡବ୍ୟଥା ବଢାଇ ଦେଇଛି।

ଆଜି ଅପରାହ୍ନରେ ବାବୁ ସୁରକ୍ଷା ଦାୟିତ୍ବରେ ଥିବା ୫ଜଣ ପୁଲିସ କର୍ମଚାରୀଙ୍କୁ ଚକମା ଦେଇ ଫେରାର୍ ହୋଇଯିବାରେ ସଫଳ ହୋଇଥିଲା। ବାବୁକୁ ଧରିବା ପାଇଁ ଏସପିଙ୍କ ତତ୍ତ୍ବାବଧାନରେ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ବେଳେ ବିଭିନ୍ନ ଆଡ୍ଡାରେ ପୁଲିସ ଚଢଉ ଜାରି ରଖିଛି।

ସମ୍ବନ୍ଧିତ ଖବର