ଯାଜପୁରସଦର : ବେଆଇନ ବାଲି ପରିବହନ ଯୋଗୁଁ ମୁଖ୍ୟ ରାସ୍ତା ବାଲିକୁଢ଼ ପାଲଟିଛି। ଏହାକୁ ବିରୋଧ କରି ସୋମବାର ସ୍ଥାନୀୟ ଲୋକ ଯାଜପୁର-କୁଆଖିଆ ରାସ୍ତାର ଗୋଖନା ଛକଠାରେ ରାସ୍ତାରୋକ କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା। ପରେ ଥାନା ଅଧିକାରୀଙ୍କ ନି​ର୍ଦେଶରେ ସଫେଇ ହୋଇଥିଲା।

Advertisment

ଜିଲ୍ଲା ମୁଖ୍ୟାଳୟକୁ ଯାତାୟାତ ପାଇଁ ଯାଜପୁର-କୁଆଖିଆ ୨୦ ନମ୍ବର ଜାତୀୟ ରାଜପଥ ମୁଖ୍ୟ ମାଧ୍ୟମ। ଏହି ରାସ୍ତା ଦେଇ ଶହଶହ ବେଆଇନ ବାଲି ଗାଡ଼ି ଭଦ୍ରକ ଓ ବାଲେଶ୍ବର ସମେତ ଯାଜପୁରର ବିଭିନ୍ନ ଜାଗାକୁ ଚଳାଚଳ କରୁଛି। ଅନେକ ଗାଡ଼ିରୁ ବାଲି ପଡ଼ି ଓ ଉଡ଼ି ରାସ୍ତାରେ ପଡ଼ୁଛି। ଧୀରେଧୀରେ ରାସ୍ତା ଓ ପୋଲ ଉପରେ ବାଲିର ଆସ୍ତରଣ ସୃଷ୍ଟି ହେଉଛି। ବହଳବହଳ ବାଲି ଜମିରହି ଯାତାୟାତରେ ବାଧା ସୃଷ୍ଟି କରୁଛି। ନିକଟରେ ଥିବା ସରକାରୀ ସ୍କୁଲ ଓ ଏନସି କଲେଜର ଛାତ୍ରଛାତ୍ରୀ ବିପଦ ମୁହଁରେ ଯାତ୍ରା କରୁଛନ୍ତି। ଏହାକୁ ବିରୋଧ କରି ‌ଗୋଖନାର ଯୁବକମାନେ ରାସ୍ତାରୋକ କରିବା ସହ ବେଆଇନ ବାଲି ଗାଡି ପରିବହନକୁ ବନ୍ଦ କରିବା ଏବଂ ଗଦା ହେଉଥିବା ବାଲିକୁ ନିୟମିତ ସଫା କରିବାକୁ ଦାବି କରିଥିଲେ।

ଖବର ପାଇ ଟାଉନ ଥାନାଧିକାରୀ ଅଜୟ କୁମ‌ାର ଜେନା, ସ୍ଥାନୀୟ ସରପଞ୍ଚ ଦେବାଶିଷ ପଣ୍ଡା ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଅତିରିକ୍ତ ତହସିଲଦାର କ୍ଷ‌ୀରୋଦ କୁମାର ଦାଶ ପହଞ୍ଚି ବେଆଇନ ପରିବହନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ଦେଇଥିଲେ। ଥାନାଧିକାରୀ ଶ୍ରୀ ଜେନାଙ୍କ ନିର୍ଦେଶକ୍ରମେ ସଙ୍ଗେସଙ୍ଗେ ରାସ୍ତା ସଫେଇ ଆରମ୍ଭ ହୋଇଥିଲା। ସେହି ସମୟରେ ବେଆଇନ ବାଲି ପରିବହନ କରୁଥିବା ୫ଟି ଗାଡ଼ିକୁ ଟାଉନ ପୁଲିସ ଜବତ କରିଥିଲା। ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ସ୍ଥାନୀୟ ୱାର୍ଡ ସଭ୍ୟ ଅଚ୍ୟୁତାନନ୍ଦ ସ୍ବାଇଁ, ପ୍ରଭାତ ସ୍ବାଇଁ, ସେକ୍ ଚାନ୍ଦ ବାବୁ, ବିରଞ୍ଚି ନାରାୟଣ ପୃଷ୍ଟି, କିଶୋର ସାହୁ, କୁଳଜିତ ସାହୁ, ଚନ୍ଦନ ପୃଷ୍ଟି, ଲିପୁ ସାମଲ, ନିହାର ସ୍ବାଇଁ, କ୍ଷୀରୋଦ ସାହୁ, ରତିକାନ୍ତ ବେହେରା, ସୁରେନ୍ଦ୍ର ବେହେରା, ରାକେଶ ବେହେରା, ପ୍ରକାଶ ବେହେରା ଓ ସ୍ଥାନୀୟ ଯୁବକମାନେ ରାସ୍ତାରୋକରେ ସାମିଲ ହୋଇଥିଲେ।