ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଏଡିଜେ କୋର୍ଟରେ ଶନିବାର ଗାଡ଼ି ଓଭରଟେକ୍କୁ କେନ୍ଦ୍ର କରି ଏକ ହତ୍ୟା ମାମଲାର ବିଚାରଣା ସହ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ବିଚାରପତି ପ୍ରବୀର କୁମାର ଚୌଧୁରୀ ଆଜି ପାଞ୍ଚଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ, ମଦନ ପୋଲାଇ, ଚନ୍ଦନ ପୋଲାଇ, ସୀମାଞ୍ଚଳ ପୋଲାଇ, ସତ୍ୟନାରାୟଣ ପରିଡ଼ା ଓ ପ୍ୟାରୀମୋହନ ପରିଡ଼ା। ୫ ହଜାର ଟଙ୍କା ଜରିମାନା ଦଣ୍ଡ ଓ ଅନାଦେୟ ଅଧିକ ଚାରିମାସ ଜେଲ୍ଦଣ୍ଡ ଭୋଗିବାକୁ ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି।
ସୂଚନାନୁସାରେ, ୨୦୨୦ ମସିହା ନଭେମ୍ବର ୨୬ ତାରିଖ ଅପରାହ୍ନରେ ଆସିକା ଥାନା କେ.ନୂଆପଲ୍ଲୀ ଛକରେ ଏକ କାର୍କୁ ଏକ ବାଇକ୍ ଓଭରଟେକ୍ କରିଥିଲା। ଫଳରେ କାର୍ରେ ବସିଥିବା ପୋଲସରା ଖଣ୍ଡିଆସାହିର ଅଜିତ ଖଟେଇ ଓ ପାଇଲିପଡ଼ାର ବାଦଲ ପାତ୍ର ମିଶି ବାଇକ୍ ଚାଳକ ମଦନ ପୋଲାଇଙ୍କ ସହ ପାଟିତୁଣ୍ଡ କରିଥିଲେ। ଉଭୟ ପକ୍ଷ ହାତାହାତି ହୋଇଥିଲେ। କିଛି ସମୟ ପରେ ମଦନଙ୍କ ସଂପର୍କୀୟମାନେ ପହଞ୍ଚି ବାଦଲ ଓ ଅଜିତଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ପରେ ଅଜିତ୍ଙ୍କୁ ଭୁବନେଶ୍ବରର ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ମୃତକଙ୍କ ମାଆ ବଙ୍ଗାଳିଙ୍କ ଏତଲା କ୍ରମେ ଆସିକା ଥାନାରେ କେସ୍ ନମ୍ବର ୬୧୮/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ମଦନ ପୋଲାଇ, ତାଙ୍କ ପୁଅ ଚନ୍ଦନ ପୋଲାଇ, ସୀମାଞ୍ଚଳ ପୋଲାଇ, ସତ୍ୟନାରାୟଣ ପରିଡ଼ା ଓ ପ୍ୟାରୀମୋହନ ପରିଡ଼ାଙ୍କୁ ଗିରଫ କରାଯାଇଥିଲା। ସେହିପରି ଜଣେ ନାବାଳକଙ୍କୁ ସ୍ବଧାରଗୃହକୁ ପଠାଯାଇଥିଲା। କାର୍ ଓ ବାଇକ୍ ଜବତ ସହ ହତ୍ୟାରେ ବ୍ୟବହୃତ ଠେଙ୍ଗା ଏବଂ ମାରଣାସ୍ତ୍ର ଜବତ ହୋଇଥିଲା। ଆସିକା ଏଡିଜେ କୋର୍ଟରେ (ଏସଟି ୪୨/୨୧ ଓ ୭୮/୨୧) ମାମଲାର ବିଚାରଣା ଚାଲିଥିବା ବେଳେ ତତ୍କାଳୀନ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ୨୦ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ଭିତ୍ତିରେ ବିଚାରପତି ଆଜି ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ସୁଧାଂଶୁ ପଣ୍ଡା ଓ ଜି.ସୂର୍ଯ୍ୟପ୍ରକାଶ ରାଓ ମକଦ୍ଦମା ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/court-generic.jpg)