ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ୫ ସେବକ: କୌଣସି ପରିସ୍ଥିତିରେ ପ୍ରକଳ୍ପ ବନ୍ଦ ନ ହେଉ

ଏଏସ୍‌ଆଇକୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ

କଟକ : ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବିନା ଅନୁମତିରେ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ଦାୟର ଦୁଇଟି ଜନସ୍ବାର୍ଥ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ଏପରିସ୍ଥଳେ, ପ୍ରକଳ୍ପ କାର୍ଯ୍ୟ ଯଥାଶୀଘ୍ର ଶେଷକରିବାକୁ ଆଉ ଏକ ମାମଲା ଦାୟର ହୋଇଛି। ଶ୍ରୀଜଗନ୍ନାଥଙ୍କ ପାଞ୍ଚ ଜଣ ସେବକଙ୍କ ପକ୍ଷରୁ ପ୍ରକଳ୍ପ ସପକ୍ଷ ସମ୍ବଳିତ ତଥ୍ୟ ସହିତ ଏହି ଆବେଦନ ଦାୟର ହୋଇଛି। ଏଥିରେ, ପ୍ରକଳ୍ପ ବନ୍ଦ ନକରିବା ସହିତ ଏଏସ୍‌ଆଇକୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି।

ସେବକ ରଘୁନାଥ ଗୋଚ୍ଛିକାର, ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ଦଇତାପତି ସେବକ ବିନାୟକ ଦାସ ମହାପାତ୍ର, ପ୍ରତିହାରୀ ନିଯୋଗ ସେବକ ହରେକୃଷ୍ଣ ଖୁଣ୍ଟିଆ, ବିମାନବଡୁ ସେବକ ବଟକୃଷ୍ଣ ମୁଦ୍ରାଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ମୃଣାଳିନୀ ପାଢ଼ୀ ବନାମ ‌ କେନ୍ଦ୍ର ସରକାରଙ୍କ ମାମଲାରେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଓ ବିଭିନ୍ନ ପକ୍ଷଙ୍କୁ ଯୁକ୍ତି ଶୁଣିବା ପରେ ୨୦୧୯, ନଭେମ୍ବର ୪ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଶ୍ରରମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ରାଜ୍ୟ ସରକାର ସେବକ ଓ ଶ୍ରଦ୍ଧାଳୁଙ୍କ ପାଇଁ କେତେକ ବ୍ୟବସ୍ଥା ଯଥା କ୍ଲୋକ୍ ରୁମ, ପାଭିଲିୟନ୍‌, ପୁରୁଷ ଓ ମହିଳାଙ୍କ ପାଇଁ ଟଏଲେଟ୍‌, ସେବକଙ୍କ ପାଇଁ ଟଏଲେଟ୍‌ ଭଳି ମୌଳିକ ସୁବିଧା ନିର୍ମାଣ କରୁଛନ୍ତି। ଏହି ପ୍ରକଳ୍ପ ଦ୍ବାରା ମନ୍ଦିରର ଉନ୍ନତୀକରଣ ସହିତ ସେବକ ଓ ଭକ୍ତଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ଏହି ପ୍ରକଳ୍ପକୁ ସାରା ରାଜ୍ୟବାସୀ ସ୍ବାଗତ କରିଥିଲେ।

ଏହି ପ୍ରସଙ୍ଗକୁ କ୍ୟାବିନେଟ ଅନୁମୋଦନ ମିଳିବାପରେ ବିଧାନସଭାରେ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ବିଧାନସଭାରେ ଏହି ପ୍ରକଳ୍ପକୁ ଦଳମତ ନିର୍ବିଶେଷରେ ଅନୁମୋଦନ ମିଳିଥିଲା। ଯେତେବେଳେ ପ୍ରକଳ୍ପ ଆରମ୍ଭ ହୋଇ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ କରାଗଲା, ସେତେବେଳେ ଜନସାଧାରଣ ଓ ପୁରୀକୁ ଆସୁଥିବା ଭକ୍ତମାନେ ଏହାର ପ୍ରଶଂସା କରିଥିଲେ। ପୁରୀବାସୀ ଏହାକୁ ହୃଦୟରୁ ସମର୍ଥନ ଦେଇଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କେଉଁକାଳରୁ ସେବକମାନେ ପରିବାର ସହିତ ରହିଆସୁଥିବାବେଳେ ଏହି ପ୍ରକଳ୍ପ ପାଇଁ ମନ୍ଦିର ନିକଟରେ ଥିବା ପୈତୃକ ଜମି ଦାନ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଆବେଦନକାରୀ ଏହି ପ୍ରକଳ୍ପ ସପକ୍ଷରେ ବାହାରିବା ସହିତ ମନ୍ଦିରର ଉନ୍ନତୀକରଣ ପାଇଁ ନିଜ ଜମି ଦେବାକୁ ପ୍ରସ୍ତାବ ଦେଇଥିଲେ। ସବୁ ସେବାୟତ ନିଯୋଗ ଏହି ପ୍ରକଳ୍ପ ନେଇ ଉତ୍ସାହୀ ଥିବାବେଳେ ସମୟରେ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସରକାର ଓ ପ୍ରଶାସନକୁ ସମର୍ଥନ କରିଥିଲେ। କିନ୍ତୁ, କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ରଖି ଏବେ ପ୍ରକଳ୍ପକୁ ନେଇ ନାନା ମିଛ କଥା ପ୍ରଚାର ପ୍ରସାର କରି ବାଧା ସୃଷ୍ଟି କରିବାକୁ ଚେ‌ଷ୍ଟା କରୁଛନ୍ତି। ଏହି ପ୍ରକଳ୍ପ ପାଇଁ ନ୍ୟାସନାଲ୍‌ ମନୁମେଣ୍ଟ ଅଥରିଟି ଓ ଏଏସ୍‌ଆଇର ଅନୁମତି ନିଆଯାଇ ନାହିଁ, ମନ୍ଦିର ପ୍ରତି ବିପଦ ରହିଛି, ସ୍ଥାନୀୟ ସେବକମ‌ାନେ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ବୋଲି ପ୍ରଚାର ପ୍ରସାର କରାଯାଉଛି। ଏଭଳି ବ୍ୟକ୍ତିମାନେ ନିଜ ସ୍ବାର୍ଥ ସାଧନ, ଆର୍ଥିକ ଲାଭ ଓ ରାଜନୈତିକ ଫାଇଦା ପାଇଁ ଏପରି କରୁଛନ୍ତି। ଏଭଳି ସ୍ଥିତି ପାଇଁ ଆବେଦନକାରୀଙ୍କ ହୃଦୟ ଭାଙ୍ଗି ଯାଇଛି ଓ ସେମାନେ ନିରାଶ ହୋଇଛନ୍ତି। ଏଭଳି ପ୍ରଚାର ପ୍ରସାର କରାଯାଉଥିବା ତଥ୍ୟରେ କୌଣସି ଆଧାର ନାହିଁ ବୋଲି ଗଜପତି ମହାରାଜା କହିଛନ୍ତି। ଏହି ପ୍ରକଳ୍ପ ଦ୍ବାରା ପୁରୀର ବାସିନ୍ଦା, ଜନସାଧାରଣ, ସେବକ ସମୂହ ଓ ଶ୍ରୀମନ୍ଦିର ହିତ ସାଧନ ହେବ। ତେଣୁ ଏହି ପ୍ରକଳ୍ପକୁ କୌଣସି ପରିସ୍ଥିତିରେ ବନ୍ଦ କରାଯିବା କଥା ନୁହେଁ। ୨୦୨୨, ଫେବ୍ରୁଆରିରେ ଗସ୍ତ ସମୟରେ ଏଏସ୍‌ଆଇ ଡିଜି ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଥିବାବେଳେ ଏବେ ତାଙ୍କ ତଳିଆ ଅଧିକାରୀମାନେ ଏହି ପ୍ରକଳ୍ପ ପାଇଁ ଅନୁମତି ନାହିଁ ବୋଲି କହିବା ଗ୍ରହଣୀୟ ନୁହେଁ। ମୃଣାଳିନୀ ପାଢ଼ୀଙ୍କ ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଆଧାରରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରାଯାଇ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଏଥିସହିତ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷକରିବାକୁ ଅନୁମତି ଓ ସହଯୋଗ ଦେବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଏଏସ୍‌ଆଇ ଡିଜି, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର