ସ୍ମାର୍ଟକ୍ଲାସ୍‌ରେ ନାଚିଥିବା ପାଞ୍ଚ ଛାତ୍ର କ୍ଷମା ମାଗିଲେ, ଭିଡିଓ ଭାଇରାଲ୍ ପାଇଁ ବିଜ୍ଞାନ ଶିକ୍ଷକଙ୍କୁ ଦାୟୀ କଲେ

ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ବରମୁଣ୍ଡଳି ଉନ୍ନୀତ ଉଚ୍ଚବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀକକ୍ଷରେ ପାଞ୍ଚଜଣ ଛାତ୍ର ‘ପୁଷ୍ପା’ ତେଲୁଗୁ ଚଳଚ୍ଚିତ୍ର ଏବଂ ‘ଗୁଆଘିଅ’ ଓଡ଼ିଆ ଆଲବମ୍ ଗୀତରେ ନାଚୁଥିବାର ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା। ଏହି ଘଟଣାରେ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ସୁଜାତା ପାଢ଼ୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ନିଲମ୍ବିତ କରିଥିଲେ। ତେବେ ଏହାର ୨୪ ଘଣ୍ଟା ଭିତରେ ଭିଡ଼ିଓରେ ନାଚୁଥିବା ଛାତ୍ରମାନେ ନିଜ ଭୁଲ ସ୍ବୀକାର କରି ପୂରା ଘଟଣା ଉପରୁ ପରଦା ହଟାଇଛନ୍ତି। ସ୍ମାର୍ଟ ଶ୍ରେଣୀକକ୍ଷରେ ନାଚିଥିବା ୫ ଜଣ ଛାତ୍ର ଲିଖିତ ସ୍ପଷ୍ଟୀକରଣ ରଖିଛନ୍ତି। ସେମାନେ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଏଥିପାଇଁ ଲିଖିତ ଭାବେ କ୍ଷମା ପ୍ରାର୍ଥନା କରିବା ସହିତ ଏହା ପଛରେ ସେମାନଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା କିମ୍ବା ଭିଡିଓ ସେମାନେ ଭାଇରାଲ୍‌ କରିନାହାନ୍ତି ବୋଲି ଦର୍ଶାଇଛନ୍ତି। ଏଥିପାଇଁ ସେମାନେ ବିଜ୍ଞାନ ଶିକ୍ଷକଙ୍କୁ ଦାୟୀ କହିଛନ୍ତି।

ସେମାନେ ଦର୍ଶାଇଛନ୍ତି, ଗତମାସ ୨୫ ତାରିଖରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ଅଗୋଚରରେ ସେମାନେ ସ୍ମାର୍ଟ ଶ୍ରେଣୀକକ୍ଷରେ ଲାଗିଥିବା ଏଲ୍‌ଇଡି ଚାଲୁ କରି ଏହାକୁ ମୋବାଇଲ୍‌ ସହ ସଂଯୋଗ କରି ଡ୍ୟାନ୍ସ୍ କରିଥିଲେ ଏବଂ ଏହାର ଭିଡ଼ିଓ କରିଥିଲେ। ଏହା ନିଶ୍ଚିତ ଭାବେ ଭୁଲ୍। କିନ୍ତୁ ଆମେ ଏହି ଭିଡ଼ିଓକୁ ଭାଇରାଲ୍ କରି ନଥିଲୁ। ବିଜ୍ଞାନ ଶିକ୍ଷକ ମୁନା ଦାସ କୌଣସି ସୂତ୍ରରୁ ଖବର ପାଇ ଭିଡ଼ିଓଗୁଡ଼ିକୁ ମାଗିବାରୁ ତାଙ୍କ ହ୍ବାଟସ୍‌ଆପ୍ ନମ୍ବରକୁ ଭିଡ଼ିଓଗୁଡ଼ିକୁ ଦିଆ ଯାଇଥିଲା। କିନ୍ତୁ ସେ ଫଟୋ ଓ ଭିଡ଼ିଓକୁ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ପରେ ଭାଇରାଲ୍ କରି ଦେଇଥିଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉକ୍ତ ଛାତ୍ରମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର