ସିରିଜ୍ ଛିନ୍‌ତାଇ ଘଟଣାରେ ୫ ଅପରାଧୀ ଗିରଫ

ବାଲେଶ୍ବର: ବାଲେଶ୍ବର ସହରରେ ଗତ କିଛିଦିନ ହେଲା ବଢ଼ିଚାଲିଥିବା ଡକାୟତି ଘଟଣା ସହରବାସୀଙ୍କୁ ଆତଙ୍କିତ ଅବସ୍ଥାରେ ରଖିଥିବା ବେଳେ ସେମାନଙ୍କୁ ସାବାଡ଼ କରିବାରେ ପୁଲିସ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ଜାରି ରହିଥିଲା। ଫଳରେ ବିଳମ୍ବରେ ହେଉପଛେ ବିଭିନ୍ନ ଡକାୟତି ମାମଲାରେ ୫ ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କ ଠାରୁ ଏକ ଖେଳନା ବନ୍ଧୁକ, ଧାରୁଆ ମାରଣାସ୍ତ୍ର, ଟଙ୍କା, ମୋବାଇଲ, ଗାଡ଼ି ଆଦି ଜବତ କରାଯାଇଥିବା ଆଜି ସାମ୍ବାଦିକ ସମ୍ମିଳନୀ ଡକାଇ ସୂଚନା ଦେଇଛନ୍ତି ବାଲେଶ୍ବର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର।

ସହଦେବଖୁଣ୍ଟା ମଡେଲ ଥାନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଶ୍ରୀ ମିଶ୍ରଙ୍କ ସମେତ ସିଟି ଡିଏସ୍‌ପି ଅମୂଲ୍ୟ ଧର ଏବଂ ସଦର ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ ଉପସ୍ଥିତ ଥିଲେ। ବାଲେଶ୍ବର ସହରର ସହଦେବଖୁଣ୍ଟା, ଟାଉନ୍‌ ଓ ସଦର ଥାନାରେ ଗତ କିଛିଦିନ ମଧ୍ୟରେ ହୋଇଥିବା ଲୁଟ୍‌ ତଥା ଡକାୟତି ମାମଲାରେ ସମ୍ପୃକ୍ତ ଥିବା ଅପରାଧୀମାନଙ୍କୁ ଧରିବା ଲାଗି ସମ୍ପୃକ୍ତ ଥାନାର ଆଇଆଇସିଙ୍କ ସମେତ ସିଟି ଏବଂ ସଦର ଏସ୍‌ଡିପିଓଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ଏସ୍‌ପି ସୂଚନା ଦେଇଥିଲେ। ସମ୍ପୃକ୍ତ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୩ଟି ମୋବାଇଲ ଫୋନ୍, ୩ ବାଇକ(ଓଡି-୦୧ୟୁ-୨୬୬୨, ଓଡି-୨୩ଇ-୮୬୮୮ ଓ ଓଡି-୦୧ଜେ-୪୨୨୦ ), ଗୋଟିଏ ଖେଳଣା ବନ୍ଧୁକ, ୩ଟି ତେଲେଙ୍ଗା କଟୁରି ଏବଂ ନଗଦ ୫୭ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ୍ ଥାନା ବାଲୁବଜାର ଅଂଚଳର ସେକ୍‌ ଜାଫର, ଅବଦୁଲ ହମିଦ ଖାନ୍, ଜାହିଦ୍‌ ଖାନ୍, ସେକ୍ ଅରବାଜ୍‌ ଖାନ୍‌ ଏବଂ ବସ୍ତା ଥାନା ରେଣୁପଦା ଅଂଚଳର ମାନସ ନାୟକ। ଏହି ଲୁଟେରାମାନେ ପ୍ରତିଦିନ ବାଇକ୍‌ରେ ଆସି ସହରର ବିଭିନ୍ନ ବ୍ୟାଙ୍କ୍ ନିକଟରେ ପଇଁତରା ମାରୁଥିଲେ।

ବ୍ୟାଙ୍କକୁ ଆସୁଥିବା ଲୋକମାନେ ଟଙ୍କା ଉଠାଇ ବାହାରୁ ଥିବା ବେଳେ ଲୁଟେରା ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ଅଭିଯୁକ୍ତ ମାନସ ନାୟକ କୌଶଳ କ୍ରମେ ସେମାନଙ୍କର ଫଟୋ‌ ଉଠାଇ ତା’ର ସହଯୋଗୀମାନଙ୍କୁ ହ୍ବାଟ୍‌ସଆପ୍‌ରେ ସେୟାର କରେ। ସେହି ଅନୁସାରେ ଲୁଟେରମାନେ ଲୋକଙ୍କ ପିଛା କରି ନିଛାଟିଆ ସ୍ଥାନରେ ଅଟକାଇଥାନ୍ତି। ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଭୟ ସୃଷ୍ଟି କରି କରାଇ ଟଙ୍କା ଲୁଟି ଫେରାର ହୋଇଯାଇଥାନ୍ତି। ଏମିତି ଭାବେ ଗତ କିଛିମାସ ମଧ୍ୟରେ ଏହି ଲୁଟେରାମାନେ ବାଲେଶ୍ବର ସହର ଏବଂ ଏହାର ଆଖପାଖ ଅଞ୍ଚଳରୁ ୧୦ ଲକ୍ଷ ୫୫ ହଜାର ଟଙ୍କା ଲୁଟିଥିବା ଜଣାଯାଇଛି। ଏନେଇ ସହରର ଟାଉନ ଥାନା, ସଦର ଥାନା ଏବଂ ସହଦେବଖୁଂଟା ଥାନାରେ ଅଭିଯୋଗ ହୋଇଥିଲା। ଲୁଟ୍‌ର ଶିକାର ହୋଇଥିବା ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ବାଲେଶ୍ବର ଟାଉନ୍ ଥାନାରେ ଜୁନ୍ ୩ ତାରିଖ ଦିନ ୧୩୦/୨୨, ଜୁନ୍ ୪ ତାରିଖରେ ସହଦେବଖୁଂଟା ଥାନାରେ ୧୭୩/୨୨ ଏବଂ ମାର୍ଚ୍ଚ ୨ ତାରିଖରେ ୬୨/୨୨, ଏପ୍ରିଲ ୧୨ ତାରିଖ ଦିନ ସୋର ଥାନାରେ ୧୬୭/୨୨ ଓ ସଦର ଥାନାରେ ଏପ୍ରିଲ୍ ୨୪ ତାରିଖ ଦିନ ୧୨୪/୨୨ ନମ୍ବରରେ ମାମଲା ରୁଜୁ ହେବା ପରେ ସ୍ବତନ୍ତ୍ର ଟିମ୍‌ ଦ୍ବାରା ଲୁଟେରା ଗ୍ୟାଙ୍ଗ୍‌କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ଏହିସବୁ ମାମଲାରେ ସମୁଦାୟ ୭ ଜଣ ଅଭିଯୁକ୍ତଙ୍କ ସଂପୃକ୍ତି ଥିବାବେଳେ ୫ ଜଣଙ୍କୁ ଗିରଫ ହୋଇଛନ୍ତି ବାକି ୨ ଜଣ ଖୁବ୍‌ଶୀଘ୍ର ଧରାପଡ଼ିବେ ଏବଂ ଖୁବ୍‌ଶୀଘ୍ର ବାଲେଶ୍ବର ସହରକୁ ଅପରାଧମୁକ୍ତ କରିବାକୁ ପ୍ରଚେଷ୍ଟା ଚାଲିଥିବା ଏସପି ଶ୍ରୀ ମିଶ୍ର କହିଛନ୍ତି।

ଅନ୍ୟପକ୍ଷରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେଉଁ ୫ଟି ମାମଲାକୁ ନେଇ ଏସ୍‌ପି ଆଜିର ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ସେଥିରୁ ୪ଟି ମାମଲାରେ ଆର୍ମସ୍‌ ଆକ୍ଟ୍‌ ଲାଗିଥିବା ବେଳେ ପୁଲିସ ଜବତ କରିଥିବା ସାମଗ୍ରୀ ମଧ୍ୟରେ ଗୋଟିଏ ଖେଳନାବନ୍ଧୁକ ରହିଥିବା ଦର୍ଶାଯାଇଛି। ସହରରେ ବନ୍ଧୁକମୂନରେ ଅପରାଧୀମାନେ ଏବେ ଅଧିକାଂଶ ଅପରାଧ ଘଟାଉଥିବା ବେଳେ ଜୀବନଜୀବିକା ଦିନକଦିନ ବିପଦପୂର୍ଣ୍ଣ ହେଉଥିବା ସହରବାସୀ ଅଭିଯୋଗ କରୁଛନ୍ତି। କିନ୍ତୁ ପୁଲିସ ସେମାନଙ୍କୁ ଗିରଫ କରିବା ବେଳେ କେବଳ ଯଦି ଖେଳନା ବନ୍ଧୁକ ଜବତ ‌କରି ଅପରାଧ ମୁକାବିଲା କଥା ଚିନ୍ତା କରିବ ତାହେଲେ ଏହା କିପରି ସମ୍ଭବ ହୋଇପାରିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର