ରାୟଗଡ଼ା: ସାର ଦୁର୍ନୀତି ଲ୍ୟାମ୍ପସ ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଚାଷୀଙ୍କ ନାଁରେ ଡିଲରଙ୍କୁ ମନଇଚ୍ଛା ସାର ବିକ୍ରି କରିବା ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ତଦନ୍ତ ରିପୋର୍ଟ ପରେ ଦୋଷୀ ଅଧିକାରୀଙ୍କୁ ବାଜିଛି ପ୍ରଶାସନିକ ଛାଟ। ଦୁର୍ନୀତି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ କୃଷି ବିଭାଗ ୭ ଡିଲରଙ୍କ ଲାଇସେନସ୍ ରଦ୍ଦ କରିବା ପରେ ସମବାୟ ବିଭାଗ ଲ୍ୟାମ୍ପସ୍ ବ୍ରାଞ୍ଚ ଇନଚାର୍ଜ, ସଂପାଦକଙ୍କ ସମେତ ୫ କର୍ମଚାରୀଙ୍କୁ ନିଲମ୍ବନ କରିଛି।
ରାୟଗଡ଼ା ଜିଲ୍ଲାରେ ହୋଇଥିବା ସାର ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପରେ ଅକଳରେ ପଡିଛି ସମବାୟ ବିଭାଗ। ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ୍-ଲ୍ୟାମ୍ପସ ଅଧିକାରୀ-ଡିଲରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାର ପ୍ରମାଣ ତଦନ୍ତ ରିପୋର୍ଟରେ ସ୍ପଷ୍ଟ ହେବା ପରେ ଦୀର୍ଘ ବର୍ଷ ଧରି ସାର ଦୁର୍ନୀତିକୁ ପ୍ରଶୟ ଦେଇ ଆସୁଥିବା ସମବାୟ ବିଭାଗ ଚଳିତ ବର୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରାଥମିକ ପର୍ଯ୍ୟାୟରେ ସମବାୟ ବିଭାଗ ସାର ହେରଫେର ଅଭିଯୋଗରେ ଚିଠି ନଂ-୩୨,ତା:୭.୯.୨୦୨୦ରେ କୋଲନରା ଲ୍ୟାମ୍ପସ ବ୍ରାଞ୍ଚ ଇନଚାର୍ଜ କେ. ଗୌରୀଙ୍କୁ ସସପେଣ୍ଡ କରିଛି।
ସେହିପରି ବିଭାଗୀୟ ଚିଠି ନଂ-୩୪/ତା:୮.୯.୨୦୨୦ ଅନୁଯାୟୀ ରାୟଗଡ଼ା ବହୁମୁଖୀ ସମବାୟ ସମିତି ଭାରପ୍ରାପ୍ତ ସଂପାଦକ ଡି. ଭେଙ୍କଟ ରମଣା, ଚିଠି ନଂ-୩୪/ତା:୭.୯.୨୦୨୦ରେ ମୁନିଗୁଡା ଲ୍ୟାମ୍ପସର ଆକାଉଣ୍ଟାଣ୍ଟ୍ ତଥା ଷ୍ଟକ୍ ଇନଚାର୍ଜ ମନୋଜ କୁମାର ସାହୁ, ଚିଠି ନଂ-୪୭/ତା:୭.୯.୨୦୨୦ରେ ରାୟଗଡ଼ା ଲ୍ୟାମ୍ପସର ଷ୍ଟକ୍ ଇନଚାର୍ଜ ଟି. ମହେଶ କୁମାର, ଚିଠି ନଂ-୩୬/ତା:୮.୯.୨୦୨୦ରେ କଲ୍ୟାଣସିଂହପୁର ଲ୍ୟାମ୍ପସ ଷ୍ଟକ୍ ଇନଚାର୍ଜ ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ନିଲମ୍ବନ କରାଯାଇଛି।
କଲ୍ୟାଣସିଂହପୁର ଲ୍ୟାମ୍ପସ ପରିଚାଳନା ନିର୍ଦେଶକ ମୋହନ ଚରଣ ଧୀରଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସମବାୟ ବିଭାଗ କେସିସି ବ୍ୟାଙ୍କ ଜୟପୁର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି। ସାର ଦୁର୍ନୀତିରେ ଆହୁରି ଅନେକ ଲ୍ୟାମ୍ପସ କର୍ମଚାରୀଙ୍କ ସଂପୃକ୍ତି ରହିଛି। ହେଲେ ଟପ୍ ଟେଣ୍ଟ୍ବି ବାଏରର୍ସଙ୍କୁ ନେଇ ହୋଇଥିବା ତଦନ୍ତ ରିପୋର୍ଟ ଆଧାରରେ ସମବାୟ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇ ଅନ୍ୟମାନଙ୍କୁ ଘଣ୍ଟ ଘୋଡ଼ାଇଛି।