ଜଗତସିଂହପୁର ଟାଉନ୍ : ବଙ୍ଗୋପସାଗରରେ ସୃଷ୍ଟ ଭୟଙ୍କର ସାମୁଦ୍ରିକ ଝଡ଼ ‘ଅମ୍ଫାନ୍’ ବାତ୍ୟାପ୍ରବଣ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ଆତଙ୍କିତ କରିଛି। ସମ୍ଭାବ୍ୟ ବାତ୍ୟାର ଭୟରେ କରେନା ଭୟ ଯେମିତି ନିଷ୍ପ୍ରଭ ହୋଇ ଯାଇଛି। ସବୁଠି ବାତ୍ୟାକୁ ନେଇ ଚର୍ଚ୍ଚା। ପ୍ରଶାସନ ରାତି ଉଜାଗର ହୋଇ ବାତ୍ୟା ମୁକାବିଲାର ପ୍ରସ୍ତୁତି ଚଳାଇଛି। ଏହି ବାତ୍ୟା ଜିଲ୍ଲା ପାଇଁ ପ୍ରଭୂତ କ୍ଷତି ସାଧନ କରିବ ବୋଲି ପୂର୍ବାନୁମାନ କରାଯାଇଥିବାରୁ ପ୍ରଶାସନ ‘ଜିରୋ’ କାଜୁଆଲ୍ଟି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଷଣ୍ଢକୁଦର ୫୦୦୦ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମସ୍ତ ବିଡ଼ିଓଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଜିଲ୍ଲା ମୁଖ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ନବନିଯୁକ୍ତ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ନିବେଦିତା ମିଶ୍ରଙ୍କ ତତ୍ବାବଧାନରେ ଏହି କେନ୍ଦ୍ର କାମ ଆରମ୍ଭ କରିଛି। ସଂଧ୍ୟା ସୁଦ୍ଧା ପାରାଦୀପରେ ୩୦ ଜଣିଆ ଓଡ୍ରାଫ୍ ଓ ୨୧ ଜଣିଆ ଏନ୍ଡିଆର୍ଏଫ୍ ଟିମ୍ ମଧ୍ୟ ପହଞ୍ଚିଛନ୍ତି। ଜିଲ୍ଲାରେ ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୫୬୨ଟି ଅଙ୍ଗନବାଡ଼ି ଓ ସ୍କୁଲ୍ ଘରକୁ ପ୍ରସ୍ତୁତ କରି ରଖାଯାଇଛି। କରୋନା ପାଇଁ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ। ସେହି ଘରଗୁଡ଼ିକୁ ସାନିଟାଇଜ୍ କରାଯାଉଛି। ସଂଗରୋଧରେ କମ୍ ଲୋକ ଥିବାରୁ ଓ ଅଧିକାଂଶଙ୍କ ସ୍ବାବ୍ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଥିବାରୁ ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ସଂଗରୋଧ ରହିବାକୁ ପରାମର୍ଶ ଦିଆଯିବ। ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ଜିଲ୍ଲାପାଳ ବାତିଲ୍ କରି ଦେଇଛନ୍ତି।
୧୯୯୯ ମହାବାତ୍ୟାକୁ ଅତି ନିକଟରୁ ଦେଖିଥିବା ଜଗତସିଂହପୁରବାସୀ ଏ ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ମଧ୍ୟ ପ୍ରସ୍ତୁତ ରହିଛି। ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ବ୍ଲକ୍ ଗୋଦାମରେ ଶୁଖିଲା ଖାଦ୍ୟ, କିରୋସିନ୍, ମହମବତୀ ମହଜୁତ ରଖାଯାଇଛି। ସମୁଦ୍ର ନିକଟବର୍ତୀ ବ୍ଲକ୍ ବାଲିକୁଦା, କୁଜଙ୍ଗ, ଏରସମା ବ୍ଲକ୍ ଓ ପାରାଦୀପ ପୌରାଞ୍ଚଳରେ ବସ୍ତି ଓ ନିକଟବର୍ତୀ ଗାଁରେ ବିପଦପୂର୍ଣ୍ଣ ଭାବେ ରହୁଥିବା ଲୋକଙ୍କୁ ବାତ୍ୟାର ଗତିବିଧି ଦେଖି ସ୍ଥାନାନ୍ତର କରାଯିବ। ଆଜି ଜିଲ୍ଲାପାଳ ଶ୍ରୀ ମହାପାତ୍ର ପାରାଦୀପ ଗସ୍ତ କରି ଷଣ୍ଢକୁଦ ବସ୍ତି ବୁଲି ସ୍ଥିତି ପରଖିଥିଲେ। ସେଠାକାର ପାଖାପାଖି ୫୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିସହ ପାରାଦୀପ ପୋର୍ଟ ଅଧ୍ୟକ୍ଷ ରିଙ୍କେଶ ରୟଙ୍କ ସହ ଆଲୋଚନା କରିଛନ୍ତି। ଏରସମାର ଗଡ଼ବିଷ୍ଣୁପୁର, ଗୋଡା, ଗଡ଼ହରିଶପୁର, ପଦ୍ମପୁରର ଲୋକମାନଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ ରଖାଯାଇଛି। ଡାକବାଜି ଯନ୍ତ୍ର ଦ୍ବାରା ଆଜି ସମୁଦ୍ର କୂଳବର୍ତୀ ଗାଁ ଓ ବସ୍ତିରେ ମାଇକ୍ ପ୍ରଚାର କରାଯାଇଛି। ୧୦ ହଜାର ଖାଦ୍ୟ ପ୍ୟାକେଟ୍ ସହ ୨୦ଟା ଜେସିବି, ହାଇଡ୍ରୋଲିକ୍ ଲିଫ୍ଟ୍ ସହ ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଟିମ୍ ସଜାଗ ରହିଛି। ଜିଳ୍ଲାବାସୀ ଭୟଭୀତ ନହେବାକୁ ଜିଲ୍ଲା ପ୍ରଶାସନ ନିବେଦନ କରିଛି।