ବିଶ୍ରା: ଆଜି ରାତି ପ୍ରାୟ ଦଶଟା ବେଳେ ଚକ୍ରଧରପୁର ରେଳମଣ୍ଡଳର ସୋନୁଆ ଓ ଟୁନିୟା ରେଳ ଷ୍ଟେସନ୍ ମଝିରେ ମାଓବାଦୀ ହମଲା ହୋଇଥିବା ଚର୍ଚ୍ଚା ପରେ ପ୍ରାୟ ଗୋଟିଏ ଘଣ୍ଟା ଧରି ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଏହି କାରଣରୁ ଝାରସୁଗଡ଼ାରୁ ଚକ୍ରଧରପୁର ରେଳ ଷ୍ଟେସନ୍ ମଝିରେ ପାଞ୍ଚଟି ଟ୍ରେନ୍ ଅଟକି ରହିଥିଲା।
ମିଳିଥିବା ସୂଚନା ଅନୁଯାୟୀ ଏକ ମାଲବାହୀ ଟ୍ରେନ୍ ଚକ୍ରଧରପୁରରୁ ରାଉରକେଲା ଅଭିମୁଖେ ଯାତ୍ରା କରୁଥିବାବେଳେ ସୋନୁଆ ଓ ଟୁନିୟା ରେଳ ଷ୍ଟେସନ୍ ମଝିରେ ହଠାତ୍ ଟ୍ରେନରେ ଖୁବ୍ ଜୋରରେ ଝଟ୍କା ଲାଗିଥିଲା। ଟ୍ରେନ୍ର ଲୋକୋ ପାଇଲଟ୍ କଣ୍ଟ୍ରୋଲ ରୁମ୍କୁ ସୂଚନା ଦେବା ପରେ ରେଳବାଇ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରେଳଧାରଣା ଉପରେ ପଥର ଗୁଡ଼ିକୁ ସଜାଇ ରଖାଯାଇଥିବା ଦେଖିଥିଲେ। ଏହି ପଥର ଉପରେ ମାଲବାହୀ ଟ୍ରେନ୍ଟି ଚଢ଼ିବା ଯୋଗୁଁ ଟ୍ରେନ୍ରେ ଝଟ୍କା ଲାଗିଥିଲା। ମାଓବାଦୀ ବିସ୍ଫୋରଣ ଘଟାଇଥିବା ଚର୍ଚ୍ଚା ହେବାରୁ ଚକ୍ରଧରପୁରରୁ ଝାରସୁଗୁଡ଼ା ରେଳ ଷ୍ଟେସନ୍ ମଝିରେ ୫ଟି ଟ୍ରେନ୍କୁ ଅଟକାଇ ଦିଆଯାଇଥିଲା। କାମାକ୍ଷା ଏଲଟିଟି ଏକ୍ସପ୍ରେସ୍, ଶାଲିମାର୍ ଏଲଟିଟି ଏକ୍ସପ୍ରେସ୍, ଟାଟାନଗର-ଏତୱାରି ଏକ୍ସପ୍ରେସ୍, ପୁଣେ-ହାୱଡ଼ା ଆଜାଦ ହିନ୍ଦ୍ ଏକ୍ସପ୍ରେସ୍କୁ ବିଭିନ୍ନ ଷ୍ଟେସନ୍ରେ ଅଟକାଇ ଦିଆଯାଇଥିଲା। ତେବେ ଏହି ଘଟଣା ପଛରେ ନକ୍ସଲଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ରେଳ ପ୍ରଶାସନ ଅବଗତ ହେବା ପରେ ରାତି ପ୍ରାୟ ୧୧ଟା ୫ ମିନିଟ୍ରେ ପୁଣି ଟ୍ରେନ୍ ଚଳାଚଳ ହୋଇଥିଲା।