କରୋନା ଭୂତାଣୁ ଜେନମ୍ ସିକ୍ୱେଏନ୍ସ ଅନାଲିସିସ୍ : ଓଡ଼ିଶାରେ ୫ ଶ୍ରେଣୀର ଭୂତାଣୁ ସକ୍ରିୟ, ୩ ଅଧିକ ସଂକ୍ରମଣଶୀଳ

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଆଇଏଲଏସ୍ ନିର୍ଦ୍ଦେଶକ

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ୱବାସୀଙ୍କୁ କଲବଲ କରୁଛି । ଓଡ଼ିଶାରେ ମଧ୍ୟ ଏହି ମାରାତ୍ମକ ଭାଇରସ ନିଜର କାୟା ବିସ୍ତାର କରିଚାଲିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ ପ୍ରକାରର କରୋନା ଭାଇରସ ଠାବ କରାଯାଇଛି । ଏଗୁଡ଼ିକ ହେଲା ୧୯-ଏ, ୧୯-ବି, ୨୦-ଏ, ୨୦-ବି ଓ ୨୦-ସି । ତେବେ ୨୦-ଏ ଓ ୨୦-ବି ଅଧିକ ସକ୍ରିୟ ଅଛନ୍ତି । କରୋନା ଭାଇରସ ପ୍ରକାରକୁ ନେଇ ଆରଏମଆରସି ଓ ଆଇଏଲଏସ ପକ୍ଷରୁ କରାଯାଇଥିବା ପ୍ରେସମିଟରେ ଏହି ସୂଚନା ଦିଆଯାଇଛି ।

ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନସେସ୍ (ଆଇଏଲଏସ)ର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା କହିଛନ୍ତି, ରାଜ୍ୟର ୧୮ଟି ଜିଲ୍ଲାରୁ ସଂଗୃହୀତ ୨୨୫ ନମୁନାକୁ ନେଇ ଗବେଷଣା କରାଯାଇଛି । ଭୁବନେଶ୍ୱରସ୍ଥିତ ଆଇଏଲଏସରେ ହୋଇଥିବା ଭୂତାଣୁର ଜେନମ୍ ସିକ୍ୱେଏନ୍ସ ଅନାଲସିସରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ୫ ପ୍ରକାରର କରୋନା ଭାଇରସ ଚିହ୍ନଟ ହୋଇଛି । ୧୩ଟି ରାଜ୍ୟରୁ ଆସିଥିବା ପ୍ରବାସୀମାନଙ୍କଠାରୁ ଏହା ସଂଗ୍ରହ ହୋଇଛି । ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ, ଗୋଆ ଆଦି ରାଜ୍ୟରୁ ଓଡ଼ିଶାକୁ ଫେରିଥିବା ପ୍ରବାସୀଙ୍କ ସ୍ବାବ ନମୁନାରୁ ଏହି ଭୂତାଣୁ ଜଣାପଡ଼ିଛନ୍ତି । ଅଧ୍ୟୟନ ପରେ ଏହି ୫ ପ୍ରକାରର କରୋନା ଭାଇରସ ସଂପର୍କରେ ଜଣାପଡ଼ିଛି ।

ଏହି ଗବେଷଣାରେ ସାମିଲ ଥିବା ଆଇଏଲଏସର ବୈଜ୍ଞାନିକ ସୁନିଲ ରାଘବ କହିଛନ୍ତି, ୧୩ଟି ବିଭିନ୍ନ ରାଜ୍ୟରୁ ଆସିଥିବା ୨୨୫ଟି ନମୁନା ସଂଗ୍ରହ ହୋଇଛି । ମାର୍ଚ୍ଚଠାରୁ ଜୁନ ମାସ ମଧ୍ୟରେ ଏହି ନମୁନା ଗୁଡ଼ିକୁ ସଂଗ୍ରହ କରାଯାଇଛି । ସୁନିଲ ରାଘବଙ୍କ ଅନୁସାରେ ଉପରୋକ୍ତ ୫ଟି ଭୂତାଣୁ ମଧ୍ୟରୁ ୨୦ଏ, ୨୦ବି ଓ ୨୦ସି ଅଧିକ ସଂକ୍ରାମକ । ଏହି ଶ୍ରେଣୀର ଭୂତାଣୁ ଶରୀରରେ ଥିବା ପ୍ରୋଟିନ ମଧ୍ୟ ଶରୀରରେ ସଂକ୍ରମଣକୁ ବ୍ୟାପକ କରିଦିଏ । ୧୯ଏ ଓ ୧୯ବି ଶ୍ରେଣୀର ଭୂତାଣୁ ଦେଶ ବାହାରୁ ଆସିଥିବା ବେଳେ ୨୦ଏ, ୨୦ବି ଓ ୨୦ସି ଶ୍ରେଣୀର ଭୂତାଣୁ ଏଥିରୁ ଉଦ୍ଭବ ହୋଇଛନ୍ତି, ଯାହାକି ସଂକ୍ରମଣ ବଢ଼ିଥିବାରେ ମୁଖ୍ୟ ବାହକ ସାଜିଛି ।

ଆଇଏଲ୍ଏସ୍ ନିର୍ଦ୍ଦେଶକ ଡ.ପରିଡ଼ା କହିଛନ୍ତି, ଭାଇରସ ପ୍ରକାର ମିଳିବା ପରେ ଭ୍ୟାକସିନ ପାଇଁ ସୁବିଧା ହେବ । ଗୋଟିଏ ପ୍ରକାର ଭ୍ୟାକସିନରେ ସମସ୍ତ ଭୂତାଣଙ୍କୁ ରୋକି ହେବ ନାଁ ଅଲଗା ଅଲଗା ଟିକା ଦରକାର ପଡ଼ିବ, ତାହା ସ୍ପଷ୍ଟ ହୋଇପାରିବ ।  ସର୍ବଭାରତୀୟ ସ୍ତରରେ ଆଇସିଏମଆର ପକ୍ଷରୁ କରାଯାଇଥିବା ଭାଇରସ ଜେନମ୍ ସିକ୍ୱେନସ ଆନାଲିସିସ କାର୍ଯ୍ୟକ୍ରମରେ ଓଡ଼ିଶାରୁ ସାମିଲ ଥିଲା ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ । ସମଗ୍ର ଦେଶରେ ଆଇଏଲଏସ ଭଳି ୫ଟି ଅନୁଷ୍ଠାନ ଦ୍ୱାରା ଏହି ଗବେଷଣା କରାଯାଇଛି । ୧୦୩୬ ନମୁନାରୁ ସଂଗୃହୀତ ଭୂତାଣୁର ଜେନମ ସିକ୍ୱେନ୍ସ ଆନାଲିସିସ ହୋଇଛି ।

ସମ୍ବନ୍ଧିତ ଖବର