ଭୁବନେଶ୍ବର : ରାଜ୍ୟରେ ୫ଟି ସହରାଞ୍ଚଳ ସମବାୟ ବ୍ୟାଙ୍କ ଲିକ୍ବିଡେସନ୍(ସମାପିତ) ଅବସ୍ଥାରେ ରହିଛି। ଏଥିରେ ଭୁବନେଶ୍ବର, ଛତ୍ରପୁର, ଢେଙ୍କାନାଳ, ଆସ୍କା ଓ ଭଞ୍ଜନଗର କୋ-ଅପରେଟିଭ୍ ବ୍ୟାଙ୍କ ରହିଛି। ଏହି ସମାପିତ ବ୍ୟାଙ୍କଗୁଡ଼ିକରେ ୨୮,୦୩୩ ଜମାକାରୀ ଥିବା ବେଳେ ୨୭୬୫.୩୬ଲକ୍ଷ ଟଙ୍କା ଫେରସ୍ତ ଦିଆଯିବ। ସେହିପରି ୩୫,୧୫୫ ଅଂଶୀଦାରଙ୍କୁ ୧୩୯.୭୪ ଲକ୍ଷ ଟଙ୍କା ସେୟାର ପୁଞ୍ଜି ବାବଦରେ ଫେରସ୍ତ ଦିଆଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ନାୟକ କହିଛନ୍ତି ଯେ ଏହି ବ୍ୟାଙ୍କଗୁଡ଼ିକରେ ସମାପନ ଆଦେଶ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶକ୍ରମେ ରିଜର୍ଭ ବ୍ୟାଙ୍କର ନିଜସ୍ବ ସହଯୋଗୀ ସଂସ୍ଥା ଡିପୋଜିଟ୍ ଇନ୍ସ୍ୟୁରାନ୍ସ ଓ କ୍ରେଡିଟ୍ ଗ୍ୟାରେଣ୍ଟି କୋପରେସନ୍(ଡିଆଇସିଜିସି)ର ନିୟମାବଳୀ ଅନୁଯାୟୀ ଏହି ବ୍ୟାଙ୍କଗୁଡ଼ିକରେ ଜମାକାରୀମାନଙ୍କ ଜମାରାଶି ଫେରସ୍ତ ପ୍ରକ୍ରିୟା ଚାଲୁ ରହିଛି। ଏହି ବ୍ୟାଙ୍କଗୁଡ଼ିକରେ ଥିବା ଅନାଦେୟ ଋଣ ଆଦାୟ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଖାଲାପି ଋଣ ଆଦାୟ ପରେ ଓଡ଼ିଶା ସମବାୟ ସମିତ ଆଇନ ଅନୁଯାୟୀ ଅବଶିଷ୍ଟ ଜମାକାରୀଙ୍କ ଜମାରାଶି ଓ ସଭ୍ୟମାନଙ୍କ ଅଂଶଧନ ଫେରସ୍ତ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/cuoperative-bank.jpg)