ବଣାଇଗଡ଼ : ବଣାଇ ଉପଖଣ୍ତର ଗୁରୁଣ୍ତିଆ ବ୍ଳକ୍ ଅନ୍ତର୍ଗତ ଭାଲୁଡୁଙ୍ଗୁରି ପଞ୍ଚାୟତର ୫ଟି ଗ୍ରାମ ନଳଘଟି, ରାଣୀଅମରାବତୀପୁର, ଖଣ୍ତାମୁନି, ବାରତେଙ୍ଗଳା ଓ ମାଙ୍କଡ଼ଚୁଆଁ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିବା କାରଣରୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ନିଷ୍ପତ୍ତି ନେଇଛନ୍ତି। ଗ୍ରାମବାସୀ ବିଭିନ୍ନ ସମୟରେ ଗୁରୁଣ୍ତିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏଥିନେଇ ଅବଗତ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ପାଇପାରିଲେ ନାହିଁ। ଗତକାଲି ବାରତେଙ୍ଗଳା ଗ୍ରାମର ଖେଳପଡ଼ିଆଠାରେ ଏହି ୫ଟି ଗ୍ରାମର ମତଦାତାଙ୍କୁ ନେଇ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ବାରତେଙ୍ଗଳା ଓ ମାଙ୍କଡ଼ଚୁଆଁ ଗ୍ରାମ ଓ ଓ୍ବାର୍ଡରେ ୪୫୮ଜଣ ଭୋଟର ରହିଥିବା ବେଳେ ସେମାନେ ସର୍ବସମ୍ମତି କ୍ରମେ କୁମୁଦିନୀ କାଲୋଙ୍କୁ ଓ୍ୱାର୍ଡସଭ୍ୟା ଭାବେ ମନୋନୀତ କରିଛନ୍ତି। ସେହିପରି ଖଣ୍ତାମୁନି ଓ ବ୍ରାହ୍ମଣୀନଦୀ(କ) ଓ୍ୱାର୍ଡରେ ୬୬ ଜଣ ଭୋଟର ରହିଥିବା ବେଳେ ସେମାନେ ଶୃଗାଳ ବୁଡ଼ଙ୍କୁ ଓ୍ବାର୍ଡସଭ୍ୟ ଭାବେ ମନୋନୀତ କରିଥିଲେ। ଅନ୍ୟପକ୍ଷରେ ନଳଘଟି ଓ ରାଣୀଅମରାବତୀପୁର ଓ୍ବାର୍ଡରେ ୩୩୬ ଜଣ ମତଦାତା ରହିଥିବା ବେଳେ ମାରିୟମ ଲାକ୍ରାଙ୍କୁ ୱାର୍ଡସଭ୍ୟା ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି। ତେବେ ଜିଲ୍ଲା ପରିଷଦ, ସମିତିସଭ୍ୟ ଓ ସରପଞ୍ଚ ନିର୍ବାଚନରେ ଏହି ୫ଟି ଗ୍ରାମରୁ କାହାରିକୁ ପ୍ରାର୍ଥୀ ନକରି ସମସ୍ତେ ଭୋଟ୍ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ଏହି ୫ଟି ଗ୍ରାମରେ ଧୁବାକଚାଠାରୁ ଭାଲୁଡୁଙ୍ଗୁରିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା, ବିଭିନ୍ନ ସାହି ରାସ୍ତାର କଂକ୍ରିଟ୍କରଣ, ପାଇପ୍ ପାନୀୟଜଳ ଯୋଗାଣ ଓ ଗ୍ରାମରେ ପୋଖରୀ ଖୋଦନ, ଷ୍ଟ୍ରିଟ୍ ଲାଇଟ ବ୍ୟବସ୍ଥା, କଲ୍ଭର୍ଟ ନିର୍ମାଣ, ସ୍ୱାସ୍ଥ୍ୟକେନ୍ଦ୍ର, ଧାନ ବିକ୍ରୟ ପାଇଁ ଗୋଦାମ ଗୃହ ତଥା ଖେଳପଡ଼ିଆ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ଗ୍ରାମସଭା ଓ ପଲ୍ଲୀସଭାରେ ମଞ୍ଜୁର କରି ସରପଞ୍ଚ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଦାବି କରୁଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇପାରୁନାହିଁ। ବହୁ ମୌଳିକ ସୁବିଧାରୁ ବଞ୍ଚିତ ରହିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଶାନ୍ତନୁ ଦାସଙ୍କ ନେତୃତ୍ବରେ ମାଙ୍ଗରା ଓରାମ, ମଙ୍ଗଳୁ ପାତ୍ର, ବାଣେଶ୍ବର କିଷାନ, ମାତାଜୀ ଓରାମ, ଶାନ୍ତି ଓରାମ, ଭୀମସେନ ଓରାମ, ବାସୁଦେବ ଟେଟେ, ରଶ୍ମି ମୁଣ୍ତା, ସୁବାସିନୀ ଓରାମ ପ୍ରମୁଖ ଏକ ପ୍ରତିନିଧି ଦଳରେ ବଣାଇ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିବା ବେଳେ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଡାଙ୍ଗ ପ୍ରକାଶ କରିଛନ୍ତି। ଏହି ଦାବିପତ୍ରକୁ ସୁନ୍ଦରଗଡ ଜିଲ୍ଲାପାଳ ଏବଂ ଗୁରୁଣ୍ତିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।