ଭୁବନେଶ୍ୱର : ଦୀର୍ଘ ୫ ବର୍ଷ ପରେ ଘୋଷଣା ହୋଇଛି ଓଡ଼ିଶା ଲଳିତ କଳା ଏକାଡେମିର ସର୍ବୋଚ୍ଚ ପୁରସ୍କାର। ଚାରୁକଳା ଓ କାରୁକଳା କ୍ଷେତ୍ରରେ ଶେଷଥର ପାଇଁ ୨୦୧୫ରେ ଘୋଷଣା ହୋଇଥିଲା। ସେଥିରେ ୨୦୦୯ରୁ ୨୦୧୫ ମସିହା ପର୍ଯ୍ୟନ୍ତ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଧନା ଘୋଷଣା ହୋଇଥିବା ବେଳେ ଏଥର କିନ୍ତୁ ତ୍ବରିତ ପଦକ୍ଷେପ ନେଇଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଆଜି ୨୦୧୬ରୁ ୨୦୨୦ ମସିହା ପର୍ଯ୍ୟନ୍ତ ୫ ବର୍ଷର ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଧନା ଘୋଷଣା କରାଯାଇଛି। ଆସନ୍ତା ୨୯ ତାରିଖରେ ଶିଳ୍ପୀମାନଙ୍କୁ ସମ୍ବର୍ଧିତ କରାଯିବ।
୨୦୧୬ ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବନବିହାରୀ ପରିଡ଼ା, ୨୦୧୭ ମସିହା ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ସୁନ୍ଦର ପଟ୍ଟନାୟକ, ୨୦୧୮ ମସିହା ନିମନ୍ତେ ଜଗଦୀଶ ଚନ୍ଦ୍ର କାନୁନ ଗୋ, ୨୦୧୯ ମସିହା ପାଇଁ ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଏବଂ ୨୦୨୦ ମସିହା ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ରଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ କରାଯିବ। ଏହି ୫ଜଣ ଶିଳ୍ପୀଙ୍କୁ ଜୀବନବ୍ୟାପୀ ଅବଦାନ ଲାଗି ୫ ଲକ୍ଷ ଟଙ୍କାର ଅର୍ଥରାଶି, ତାମ୍ରଫଳକ ଓ ଉପଢୌକନ ସହ ସମ୍ବର୍ଧିତ କରାଯିବ।
ଏଥିସହ ୫ ବର୍ଷ ପାଇଁ ମୋଟ୍ ୨୫ଜଣ ଶିଳ୍ପୀଙ୍କୁ ‘ଶିଳ୍ପୀ ସମ୍ବର୍ଧନା’ ମଧ୍ୟ ପ୍ରଦାନ କରାଯିବ। ୨୫ ଶିଳ୍ପୀଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ତାମ୍ରଫଳକ ଓ ଉପଢୌକନ ଦେଇ ପୁରସ୍କୃତ କରାଯିବ। ଆଜି ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ନିର୍ଦେଶକ ରଂଜନ କୁମାର ଦାସ, ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ସଚିବ ଗଜେନ୍ଦ୍ର ସାହୁ ଉପସ୍ଥିତ ରହି ପୁରସ୍କାର ଘୋଷଣା କରିଛନ୍ତି।
ଚଳିତ ବର୍ଷ ସେପ୍ଟେମ୍ବର ୫ ସୁଦ୍ଧା ଉଭୟ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଧନା ପାଇଁ ଆବେଦନ ଆହ୍ବାନ କରାଯାଇଥିଲା। ମୋଟ୍ ୫୭ଜଣ ଶିଳ୍ପୀ ଆବେଦନ କରିଥିଲେ। ସର୍ଚ୍ଚ କମିଟି ପକ୍ଷରୁ ୬ ଜଣିଆ ଜୁରି କମିଟି ଚୟନ କରାଯିବା ପରେ ବିଚାରକମଣ୍ଡଳୀ ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ଚୟନ କରିଥିଲା। ପ୍ରାକ୍ତନ ପ୍ରଶାସକ ରବିନାରାୟଣ ସେନାପତି, ଗୌହାଟିରେ ହସ୍ତକଳାର ଆଞ୍ଚଳିକ ନିର୍ଦେଶିକା ଭାବେ ଅବସ୍ଥାପିତ ନୀରାଲକ୍ଷ୍ମୀ ପଲେଇ, ପୂର୍ବତନ ଧର୍ମପଦ ପୁରସ୍କାର ବିଜେତା ଦୁର୍ଗାପ୍ରସାଦ ଦାସ, ଓଡ଼ିଶୀ ଗୁରୁ ରାମହରି ଦାସ, ଓଡ଼ିଶା ଲଳିତ କଳା ଏକାଡେମି ସଭାପତି ସୁଦର୍ଶନ ପଟ୍ଟନାୟକ ଓ ସଚିବ ଗଜେନ୍ଦ୍ର ସାହୁ ଜୁରି କମିଟିରେ ବିଚାରକ ଭାବେ ଶିଳ୍ପୀଙ୍କୁ ଚୟନ କରିଥିଲେ। ଆଜି ପୂର୍ବାହ୍ନ ୧୧ଟା ବେଳେ ୧୮ଜଣ ସଦସ୍ୟଙ୍କୁ ନେଇ ସାଧାରଣ ପରିଷଦର ବୈଠକରେ ଚୂଡ଼ାନ୍ତ ପୁରସ୍କାର ତାଲିକା ଘୋଷଣା ପରେ ଅନୁମୋଦନ ପାଇଁ ପଠାଯାଇଥିଲା। ଅନୁମୋଦନ ପରେ ସନ୍ଧ୍ୟାରେ ପୁରସ୍କାର ଘୋଷଣା କରାଯାଇଛି।
ଶିଳ୍ପୀ ସମ୍ବର୍ଧନ ପୁରସ୍କାର (୨୦୧୬)
ଚନ୍ଦ୍ର କୁମାର ସାମନ୍ତରାୟ
ଶରତ ଚନ୍ଦ୍ର ମହାନ୍ତି
ବସନ୍ତ କୁମାରୀ ସାମନ୍ତ
ବାଞ୍ଛାନିଧି ପଟ୍ଟନାୟକ
ଯୋଗେଶ ପ୍ରସାଦ ଦାନୀ
ଶିଳ୍ପୀ ସମ୍ବର୍ଧନା ପୁରସ୍କାର (୨୦୧୭)
ରାଧାଶ୍ୟାମ ବିଶୋଇ
ଦେବେନ୍ଦ୍ର ଦାସ
ବନମାଳୀ ମହାପାତ୍ର
ଲଲାଟ ମୋହନ ପଟ୍ଟନାୟକ
ଡ. ଅଲେଖ ଚରଣ ସାହୁ
ଶିଳ୍ପୀ ସମ୍ବର୍ଧନା ପୁରସ୍କାର (୨୦୧୮)
ଶ୍ରୀଧର ମହାରଣା
ଗୋକୁଳାନନ୍ଦ ଦାସ
ଟୁନେନ୍ଦ୍ର ପଟ୍ଟନାୟକ
କଳ୍ପତରୁ ମହାରଣା
ଅଶୋକ କୁମାର ମହାନ୍ତି
ଶିଳ୍ପୀ ସମ୍ବର୍ଧନା ପୁରସ୍କାର (୨୦୧୯)
ଶ୍ରୀନିବାସ ପଢ଼ିଆରୀ
ଲକ୍ଷ୍ମୀଧର ରଣା
ବ୍ରଜକିଶୋର ଜେନା
ପ୍ରଶାନ୍ତ କୁମାର ଦାସ
ଗୌରାଙ୍ଗ ବାରିକି
ଶିଳ୍ପୀ ସମ୍ବର୍ଧନା ପୁରସ୍କାର (୨୦୨୦)
ରବିନାରାୟଣ ରଥ
ବିଜୟ କୁମାର ପରିଡ଼ା
ପ୍ରଭାକର ମହାରଣା
ଦିନବନ୍ଧୁ ମହାପାତ୍ର
ବୃନ୍ଦାବନ ମହାରଣା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/dharmapada-1.jpg)