ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ମେଣ୍ଡରା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ୫ ବର୍ଷ ବୟସର ଶିଶୁପୁତ୍ରକୁ ବାପା ସମ୍ମୁଖରେ ସେହି ଗ୍ରାମର ଜଣେ ଯୁବକ ଅମାନୁସିକ ଭାବେ ମୁଣ୍ଡରେ ପଥରରେ ଛେଚି ହତ୍ୟା କରିଛି। ଶିଶୁଟିକୁ ହତ୍ୟା ପରେ ତାର ହାତ ଓ ଗୋଡ଼କୁ କାଟି ସାଥିରେ ଘରକୁ ନେଇ ଯାଇଛି। ହତ୍ୟାକାରୀକୁ ପୁଲିସ ଧରିବାକୁ ସକ୍ଷମ ହୋଇଥିବା ବେଳେ ଯୁବକ କାହିଁକି ଏପରି ଜଘନ୍ୟ ହତ୍ୟାକାଣ୍ଡ କରିଛି ତାହା ଜଣାପଡି ନାହି। ମୃତ ଶିଶୁ ମେଣ୍ଡରା ଗ୍ରାମର ଶିବ ମନ୍ଦିରର ପୂଜକ ସନାଧର ପୂଜାରୀଙ୍କ ପୁଅ ହୋଇଥିବା ବେଳେ ହତ୍ୟାକାରୀ ଜଳ ସାନ୍ତା (୨୩)।

Advertisment

ପୁଲିସ କହିବା ଅନୁସାରେ ଡାବୁଗାଁ ଥାନା ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ମେଣ୍ଡରା ଗ୍ରାମର ଶିବ ମନ୍ଦିର ପୂଜକ ସନାଧର ପୂଜାରୀ ପ୍ରତିଦିନ ପରି ଆଜି ମଧ୍ୟ ସକାଳେ ପୂଜା କରିବାକୁ ଗ୍ରାମ ନିକଟ ଏକ ଛୋଟ ପାହାଡ଼ ଉପରେ ଥିବା ସରଧେଶ୍ୱର ଶିବ ମନ୍ଦିରକୁ ଯାଇଥିଲେ। ସାଥିରେ ଗ୍ରାମର ଦୁଇଜଣ ଲୋକ ମଧ୍ୟ ମନ୍ଦିରକୁ ଯାଇଥିଲେ। ପୂଜକ ସନାଧରଙ୍କ ଗୋଟିଏ ବୋଲି ପୁଅ ଚନ୍ଦନ ଅଳି କରିବାରୁ ତା ଅଜା ହରିଦାସ ସାଥିରେ ତାକୁ ଆଜି ଦିନ ୯ଟାରେ ଶିବ ମନ୍ଦିରରେ ପୂଜା କରୁଥିବା ବାପା ନିକଟକୁ ନେଇଥିଲେ।

ତେବେ ପୂଜକ ସନାଧର ପୂଜା କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ମନ୍ଦିର ସମ୍ମୁଖରେ ଖେଳୁଥିବା ୫ ବର୍ଷର ପୁଅ ଚନ୍ଦନକୁ ଗ୍ରାମର ଜଳ ସାନ୍ତା ଅଚାନକ ମୁଣ୍ଡକୁ ଲକ୍ଷ୍ୟ କରି ପଥର ଛେଚି ହତ୍ୟା କରିଥିଲା। ବାପା ସନାଧର ପୂଜାରୀ ପୁଅର ହତ୍ୟା ଦେଖି ଅଚେତ୍ ହୋଇଯାଇଥିଲେ। ଶିଶୁକୁ ହତ୍ୟା ପରେ ହତ୍ୟାକାରୀ ଜଣକ ଅତି ବୀଭତ୍ସ ଭାବେ ଶିଶୁର ଡାହାଣ ହାତ ଓ ବାମ ଗୋଡ଼ ଛିଣ୍ଡାଇ ହାତରେ ଧରି ନିଜ ଘରକୁ ଯାଇଥିଲା। ସନାଧରଙ୍କ ଚେତା ଫେରିବା ପରେ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ଚିତ୍କାର କରିଥିଲେ।

ଗାଁର ଲେକେ ସଙ୍ଗେ ସଙ୍ଗେ ଗାଁ ମନ୍ଦିର ନିକଟରେ ପହଞ୍ଚି ଥିଲେ। କିନ୍ତୁ ସେଠାରେ ଜଣେ ୫ ବର୍ଷର ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖିଥିଲେ। ତୁରନ୍ତ ଗ୍ରାମବାସୀ ପୁଲିସକୁ ଏ ନେଇ ଖବର ଦେଇଥିଲେ। ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ଯୁବକ ଜଳ ସାନ୍ତାକୁ ମଧ୍ୟ ଗିରଫ କରିଛି। ତେବେ କାହିଁକି ଜଣେ ୫ ବର୍ଷ ର ଶିଶୁକୁ ଜଳ ସାନ୍ତା ଏଭଳି ନୃଶଂସ ଭାବେ ହତ୍ୟା କଲା ତାହା ଜଣାପଡ଼ି ନ ଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।