ଯୌତୁକ ନିର୍ଯାତନା ଓ ସ୍ତ୍ରୀ’କୁ ଆତ୍ମହତ୍ୟା ନିମନ୍ତେ ବାଧ୍ୟ କରିବା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ୫ବର୍ଷ ସଶ୍ରମ କାରାଦଣ୍ଡ

ବାରିପଦା: ‌‌‌ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେବା ଏବଂ ଆତ୍ମହତ୍ୟା ନିମନ୍ତେ ବାଧ୍ୟ କରିବା ଘଟଣାରେ ଅଭିଯୁକ୍ତ ସ୍ବାମୀକୁ ଆଜି ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌-(୧) ଚୌଧୁରୀ ପ୍ରଣବ କୁମାର। ଉଦଳା ଥାନା ନୂଆଗାଁ ଗ୍ରାମର ବିଷ୍ଣୁ ବିନ୍ଧାଣୀ(୪୩)ଙ୍କୁ ନିଜ ପତ୍ନୀଙ୍କୁ ‌ଯୌତୁକ ନିର୍ଯାତନା ଏବଂ ଆତ୍ମହତ୍ୟା ନିମନ୍ତେ ପ୍ରବର୍ତ୍ତାଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ସହିତ ଭାରତୀୟ ଦଣ୍ଡବିଧି ଆଇନ ୩୦୬ ଅନୁସାରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ଅଧିକ ୪ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି ।

ସେହିପରି ଧାରା ୪୯୮(ଏ)ରେ ୨ ବର୍ଷ କାରାଦଣ୍ଡ, ୩ ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୨ ମାସ କାରାଦଣ୍ଡ ଭୋଗିବାକୁ ହେବ । ଏହି ସମସ୍ତ ଦଣ୍ଡାଦେଶ ଏକକାଳୀନ ଲାଗୁ କରାଯିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ନୂଆଗାଁର ଜିପା ବିନ୍ଧାଣୀଙ୍କ ପୁଅ ବିଷ୍ଣୁ ବିନ୍ଧାଣୀ ବାରିପଦା ପୌରପରିଷଦର ତକତପୁର(ତୁଳସୀଚୌରା)ର ସୀତାରାମ ବିନ୍ଧାଣୀଙ୍କ ଝିଅ ସୁବର୍ଣ୍ଣଙ୍କୁ ୨୦୦୪ରେ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ବିବାହ ସମୟରେ ବର ପକ୍ଷ ଦାବି ଅନୁସାରେ ସମସ୍ତ ଯାନି ଯୌତୁକ ବେଦୀ ଉପରେ ଦିଆଯାଇଥିଲା । ମାତ୍ର ପରବର୍ତ୍ତି ସମୟରେ ବାପ ଘରୁ ଅଧିକ ଯୌତୁକ ଆଣିବା ନିମନ୍ତେ ସ୍ୱାମୀ ବିଷ୍ଣୁ ତାଙ୍କ ସ୍ତ୍ରୀ ଉପରେ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ।

ନିର୍ଯାତନା ସହି ନ ପାରି ସ୍ତ୍ରୀ ସୁବର୍ଣ୍ଣ ୨୦୧୦ ମେ ୪ ସକାଳ ସମୟରେ ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ଭାଇ ସାଇବ ଓରଫ ଶିବ ବିନ୍ଧାଣି ଉଦଳା ଥାନାରେ ଉକ୍ତ ଦିନ ଲିଖିତ ଅଭିଯୋଗ କରିଥିଲେ । ଆଜି ମାମଲାରେ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା। ସରକାରଙ୍କ ପକ୍ଷରୁ ମାମଲାକୁ ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ପରମାନନ୍ଦ ଷଢ଼ଙ୍ଗୀ ମାମଲା ପରିଚାଳନା କରିଥିଲେ ।

 

ସମ୍ବନ୍ଧିତ ଖବର