ଶୀତଳପଡ଼ାର ୫ ଯୁବକ ନିଖୋଜ ଘଟଣା : ଦ୍ୱିତୀୟ ଦିନରେ ତଲାସୀ ଫେଲ୍‌

ରାଉରକେଲା : ରାଉରକେଲା ଶୀତଳପଡ଼ାର ନିଖୋଜ ୪ ଯୁବକଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ, ଅଗ୍ନିଶମ, ସିଆଇଏସ୍‌ଏଫ, ଓଡ଼ିଶା ପୁଲିସ ଓ ଆର୍‌ଏସ୍‌ପି ଯାନ୍ତ୍ରିକ ବିଭାଗର ଦ୍ୱିତୀୟ ଦିନର ଉଦ୍ୟମ ଫେଲ୍‌ ମାରିଛି। ଡ୍ରେନ୍‌ ଭିତରୁ ମୃତ ଶରୀର ବାହାର କରିବା ପାଇଁ ଗତକାଲିର ଫର୍ମୁଲା ଆଜି କାମ ଦେଇନଥିଲା। ତେଣୁ ଡ୍ରେନ୍‌ ପାଇପ୍‌କୁ ଫଟାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ତଦନ୍ତକାରୀ ଦଳ ଉଦ୍ୟମ ଆରମ୍ଭ କରିଛି।

ନିଖୋଜ ଯୁବକଙ୍କୁ ଠାବ କରିବା ପାଇଁ ଆଜି ସକାଳୁ ପୁଣି ଉଦ୍ୟମ ହୋଇଥିଲା। ଟ୍ୟୁବ୍‌ରେ କଣ୍ଟା ଲଗାଇ ଦମକଳ ଗାଡ଼ି ପାଣି ସ୍ପ୍ରେରେ ମୃତ ଶରୀର କାଢିବାକୁ ଉଦ୍ୟମ ହୋଇଥିଲା। ଅନେକ ଥର ଏଭଳି ପ୍ରୟାସ ସତ୍ତ୍ୱେ ଉଦ୍ଧାରକାରୀ ଦଳକୁ କୌଣସି ସଫଳତା ମିଳିନଥିଲା। ୯ ନମ୍ବର ଆଉଟ୍‌ଫଲ୍‌ ଡ୍ରେନ୍‌ ଭିତରୁ ପାଣି ଓ ଆବର୍ଜନା ବାହାର କରିବାକୁ ୫ଟି ସେଲ୍‌ ପୁଲ୍‌ ମେସିନ ବ୍ୟବହାର କରାଯାଇଥିଲା। ସେସ୍‌ ପୁଲ୍‌ ମେସିନ ଗୁଡ଼ିକ ଆଜି ଦିନ ସାରା ଡ୍ରେନ୍‌ରୁ ଆବର୍ଜନା ବାହାର କରୁଥିଲେ ମଧ୍ୟ ନିଖୋଜ ଯୁବକଙ୍କ ମୃତ ଶରୀର ମିଳିନଥିଲା। ମୃତ ଶରୀରକୁ ବାହାର କରିବା ପାଇଁ ଡ୍ରେନ୍‌ ପାଇପ୍‌କୁ ଭାଂଗିବା ଜରୁରୀ । ତେଣୁ ଡ୍ରେନ୍‌ ପାଇପ୍‌ ଉପରେ ଜମା ହୋଣ ରହିଥିବା ଆର୍‌ଏସ୍‌ପି ସ୍ଲାଗ୍‌କୁ ବାହାର କରିବାକୁ ନିଷ୍ପତ୍ତି ହୋଇଥିଲା। ଜେସିବି ମାଧ୍ୟମରେ ଡ୍ରେନ୍‌ ପାଇପ୍‌ ଉପରୁ ସ୍ଲାଗ୍‌ ଉଠାଚାଲିଛି। ଆଜି ରାତିରେ ମଧ୍ୟ ଏହି ଅଭିଯାନ ଜାରି ରହିଛି। ଗତକାଲି ଡ୍ରେନ୍‌ ଭିତରୁ ଉଦ୍ଧାର ଶବ ଆଜି ମଧ୍ୟ ଚିହ୍ନଟ ହୋଇନାହିଁ। ନିଖୋଜ ଯୁବକଙ୍କ ପରିବାର ଲୋକେ ଥାନାକୁ ଆସୁନଥିବାରୁ ପୁଲିସ ଅଡୁଆରେ ପଡ଼ିଛି। ଉଦ୍ଧାର ମୃତ ଶରୀର ଗେହେନୁ ଲୋହାର(୨୬)ଙ୍କର ବୋଲି ତାର କେତେକ ବନ୍ଧୁ କହୁଥିବା ବେଳେ ପରିବାର ଲୋକେ ମୁହଁ ଖୋଲୁନାହାନ୍ତି। ତେଣୁ ଶବଟି ଆରଜିଏଚ ମର୍ଗ ହାଉସରେ ପଡ଼ିରହିଛି।

ସମ୍ବନ୍ଧିତ ଖବର