ସରକାରୀ ଜମିରେ ୫୦ କୋଟିର ପଞ୍ଚତାରକା ହୋଟେଲ୍‌!

ଚନ୍ଦନେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ସାହାବାଜିପୁର ପଞ୍ଚାୟତ ଅଧୀନ ଉଦୟପୁର ବେଳାଭୂମି ଜଙ୍ଗଲ ବିଭାଗ ଡାକବଙ୍ଗଳା ନିକଟରେ ୨୦୦୭ ମସିହାରେ ପଶ୍ଚିମବଙ୍ଗର ଅର୍ଥ ଲଗାଣକାରୀ ଘରୋଇ ସଂସ୍ଥା ବେସିଲ ଇଣ୍ଟେରନ୍ୟାସନାଲ୍‌ ପକ୍ଷରୁ ଏକ ପଞ୍ଚତାରକା ହୋଟେଲ୍‌ ତିଆରି ହୋଇଥିଲା। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଯାବତୀୟ ବ୍ୟବସ୍ଥା ଥିଲା। ତେବେ ହୋଟେଲ୍‌ ନିର୍ମାଣ ପାଇଁ ୧.୩୨ ଏକର ସରକାରୀ ଜମି ଜବରଦଖଲ କରାଯାଇଥିବା ନେଇ ଅଭିଯୋଗ ଆସିଥିଲା।

ଏହି ଘଟଣାରେ ଭୋଗରାଇ ବ୍ଲକ୍‌ର କେତେକ ପ୍ରଭାବଶାଳୀ ନେତାଙ୍କ ହାତ ଥିବା ପ୍ରାକ୍ତନ ସାଂସଦ ସ୍ବର୍ଗତ ଡ.କାର୍ତ୍ତିକେଶ୍ବର ପାତ୍ର ଅଭିଯୋଗ କରିଥିଲେ। ପରେ ଏହାକୁ କଂଗ୍ରେସ ଓ ବିଜେପି ଅସ୍ତ୍ର କରିବା ସହ ତତ୍କାଳୀନ ବାଲେଶ୍ୱର ଜିଲ୍ଲାପାଳ, ଭୋଗରାଇ ତହସିଲଦାର ଓ କିଛି ରାଜନେତାଙ୍କୁ ଟାର୍ଗେଟ୍‌ କରିଥିଲେ। ଫଳରେ ରାଜ୍ୟ ସରକାର ଉଚ୍ଚସ୍ତରୀୟ ତଦନ୍ତ କରାଇବା ସହ ୨୦୧୩ ମସିହାରେ ଉକ୍ତ ହୋଟେଲ୍‌କୁ ସିଲ୍ କରିଥିଲେ। ସେହିଦିନଠାରୁ ହୋଟେଲ୍‌ଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ହୋଟେଲ୍‌ରେ ଲାଗିଥିବା ଦାମିକା ଆସବାବପତ୍ର ସହ ପଙ୍ଖା, କୁଲର, ଏସି, ଜେନେରେଟର ଆଦି ଚୋରି ହୋଇଯାଇଛି। ଲୋକେ ହୋଟେଲ୍‌ର କାନ୍ଥ ଭାଙ୍ଗି ଇଟା, ପଥର, ରଡ୍‌ ନେଇଯାଉଛନ୍ତି। ‌ଏପରି ସମୟରେ ହୋଟେଲ୍‌ଟି ବିପଦସଙ୍କୁଳ ଅବସ୍ଥାକୁ ଚାଲିଆସିଛି। ଏହା କେତେବେଳେ ଯେ ଭୁଶୁଡ଼ିପଡ଼ିବ ଏବଂ ଧନଜୀବନ ହାନି ହେବ, କହିହେବନି। ତେଣୁ ପ୍ରଶାସନ ଏ ନେଇ ଦୃଷ୍ଟି ଦେବା ସହ ବିହତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର