ରାଉରକେଲା: କୌଣସି ପ୍ରତିନିଧି ନଥିବାରୁ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ରେ ଚାଲିଛି ଅଫିସରରାଜ। ବିଭିନ୍ନ କାମର ଦୁର୍ନୀତିକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଛି ଆର୍ଏମ୍ସି। ନିକଟରେ ‘ଜାଗା ମିଶନ‘, ‘ମୁକ୍ତା ଯୋଜନା’ରେ ବସ୍ତି ବିକାଶ ନାଁରେ ଚାଲଥିବା ଅନେକ କାମର ଦୁର୍ନୀତି ଗନ୍ଧ ବାହାରିଥିଲା। କାଗଜପତ୍ରରେ ଯେତିକି କାମ ହୋଇଥିବା ଦର୍ଶାଯାଇଛି, ବାସ୍ତବରେ ତା’ର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ଏବେ ସଫେଇ କାର୍ଯ୍ୟରେ ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଛି। ତାହା ପୁଣି ୧୦ କି ୨୦ ଲକ୍ଷ ଟଙ୍କାର ନୁହେଁ, ପାଖାପାଖି ୯ କୋଟିର। ଏଥିରେ ଏକ ନିର୍ଦ୍ଦିଷ୍ଟ ଠିକା ସଂସ୍ଥାକୁ ଅହେତୁକ ଅନୁକମ୍ପା ଦିଆଯାଇଛି। ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସହ ଏହି ସଫେଇ ଠିକା ସଂସ୍ଥାର ଭିତିରି ସଲାସୁତୁରା ସାଙ୍ଗକୁ ଦୁର୍ନୀତିର ପ୍ରମାଣ ସାମ୍ନାକୁ ଆସିଛି। ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ସହ ଆର୍ଏମସି କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସର ପୂର୍ବତନ ସମ୍ପାଦକ ରଶ୍ମି ରଞ୍ଜନ ପାଢ଼ୀ ଦାବି କରିଛନ୍ତି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଆର୍ଏମ୍ସିର ପୁରୁଣା ୱାର୍ଡ ନମ୍ବର ୧୫ରୁ୨୨ ପର୍ଯ୍ୟନ୍ତ ୮ଟି ୱାର୍ଡର ସଫେଇ କାର୍ଯ୍ୟ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ଦିଆଯାଇଥିଲା। ୧୬ ୱାର୍ଡର ସଫେଇ କାର୍ଯ୍ୟ ରାଜେନ୍ଦ୍ର ପଞ୍ଚଭାୟା, ୧୭ ଓ ୧୮ ନଂ ୱାର୍ଡର ସଫେଇ ମେସର୍ସ ଏନ୍ଭି କେୟାର, ୨୦ ନଂ ୱାର୍ଡର ସଫେଇ କାର୍ଯ୍ୟ ଡାନିଏଲ୍ ବୋଦରା, ୨୧ ନଂ ୱାର୍ଡର ସଫେଇ କାର୍ଯ୍ୟ ସୁରେଶ ବାରିକଙ୍କୁ ଦିଆଯାଇଥିଲା। ପ୍ରାୟ ୭ ମାସ ଧରି ଏହି ବ୍ୟକ୍ତି ଓ ସଂସ୍ଥା ଜରିଆରେ ୱାର୍ଡଗୁଡ଼ିକରେ ସଫେଇ କରାଯାଇଥିଲା। ପରେ ସମସ୍ତଙ୍କୁ ୱାର୍ଡ ସଫେଇ କାର୍ଯ୍ୟରୁ ହଟାଇ ଏକ ନିର୍ଦ୍ଦିଷ୍ଠ ସଂସ୍ଥାକୁ କାମ ଟେକି ଦିଆଯାଇଥିଲା। ସଫେଇ କାର୍ଯ୍ୟ ପାଇଁ କୌଣସି ଖୋଲା ଟେଣ୍ଡର ଆହ୍ବାନ ନକରି ପ୍ରାୟ ଦେଢ଼ବର୍ଷ ସେହି ସଂସ୍ଥାକୁ କାମ ଦିଆଯାଇଥିଲା। ଏହାର ଅର୍ଥ ହେଲା ସମସ୍ତ ବ୍ୟକ୍ତିଙ୍କର ସଫେଇ ଠିକା କାର୍ଯ୍ୟକୁ ବାତିଲ କରାଯାଇ ଏକ ଠିକା ସଂସ୍ଥାକୁ ଅନୁକମ୍ପା ଓ ଅଗ୍ରାଧିକାର ଦିଆଗଲା କାହିଁକି ? ତା’ ପୁଣି ବିନା ଟେଣ୍ଡରରେ ସମ୍ଭବ ହେଲା କିପରି ? ପୁନର୍ବାର ୨୦୧୬ ସେପ୍ଟେମ୍ବରରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ୮ଟି ୱାର୍ଡର ସଫେଇ କାର୍ଯ୍ୟ ବିନା ଟେଣ୍ଡରେ ସେହି ସମାନ ଠିକା ସଂସ୍ଥାକୁ ଟେକି ଦିଆଯାଇଛି। ସେପଟେ ୮ଟି ୱାର୍ଡର ସଫେଇ କାର୍ଯ୍ୟ ପାଇଁ ଠିକା ସଂସ୍ଥାକୁ ନିଯୁକ୍ତି ସମ୍ପର୍କରେ ରାଜ୍ୟ ସରକାର କିମ୍ବା ନଗର ଉନ୍ନୟନ ବିଭାଗ ତରଫରୁ କୌଣସି ପ୍ରକାର ନିର୍ଦ୍ଦେଶନାମା ବା ଆଦେଶ ଆର୍ଏମ୍ସିକୁ ଆସିନାହିଁ।
ଏପରିସ୍ଥଳେ ଆର୍ଏମ୍ସି କର୍ତ୍ତୃପକ୍ଷ ନିଜର ନିହିତ ସ୍ବାର୍ଥ ପାଇଁ ସମସ୍ତ ସରକାରୀ ନୀତିନିୟମକୁ ଜଳାଞ୍ଜଳି ଦେଇ ବିନା ଖୋଲା ଟେଣ୍ଡରରେ ଠିକାଦାରଙ୍କୁ ନିଯୁକ୍ତି କରିଛନ୍ତି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ। ତେବେ ଠିକା ସଂସ୍ଥା ଓ ଆର୍ଏମ୍ସି ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଚାଲିଥିବା ଏଭଳି ବେଆଇନ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଗଲେ ଦୁର୍ନୀତିଖୋର ଅଧିକାରୀଙ୍କ ଅସଲି ମୁଖା ଖୋଲିପାରନ୍ତା। ଉଲ୍ଲେଖଯୋଗ୍ୟ, ଆର୍ଏମ୍ସିରେ କେବଳ ଗୋଟିଏ କାନ ନୁହେଁ ଅନେକ କାମରେ ମାଳ ମାଳ ଅନିୟମିତା ଅଭିଯୋଗ ଆସୁଛି। ତେବେ ଆଗାମୀ ଦିନରେ ଆର୍ଏମ୍ସି କର୍ତ୍ତୃପକ୍ଷ ଏ ଦିଗରେ କି ପଦକ୍ଷେପ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।