ପୋଷାକ, କ୍ରୀଡ଼ା ସାମଗ୍ରୀ ଯୋଗାଣରେ ଫିକ୍ସିଂ! ନିର୍ଦ୍ଦିଷ୍ଟ ଦୋକାନରୁ କିଣାଯାଉଛି ସାମଗ୍ରୀ

କେସିଙ୍ଗା : କଳାହାଣ୍ଡି ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ କୋଭିଡ୍‌ ଟଙ୍କା ହଡ଼ପ, ଇଂରାଜୀ ମିଡିୟମ୍‌ ସ୍କୁଲ୍‌ରେ ପାଠପଢ଼ା ପାଇଁ ଆସୁଥିବା ଅନୁଦାନର ଜାଲିଆତି ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ବର୍ତ୍ତମାନ ସରକାରୀ ସ୍କୁଲ୍‌ରେ ମାଗଣା ପୋଷାକ ବଣ୍ଟନ ପାଇଁ ଦିଆଯାଉଥିବା ଅନୁଦାନରେ ବି ଫିକ୍ସିଂ ହେଉଥିବା ଅଭିଯୋଗ ଉଠିଛି। ପୋଷାକ କିଣା ପାଇଁ ସରକାରଙ୍କ ନିୟମ ରହିଥିଲେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦୋକାନରୁ ବର୍ଷ ବର୍ଷ ଧରି ପୋଷକ ଓ କ୍ରୀଡ଼ା ସାମଗ୍ରୀ ଯୋଗାଣ ହେଉଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରତିବର୍ଷ ଭଳି କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ୍‌ ପାଇଁ ସ୍କୁଲ ପୋଷାକ, ଜୋତା ଓ କ୍ରୀଡ଼ା ସାମଗ୍ରୀ ପାଇଁ ଅନୁଦାନ ଆସିଛି। ପୂର୍ବ ବର୍ଷ ମାନଙ୍କରେ ଯେଉଁ ଦୋକାନ/ସଂସ୍ଥା ଏହି ସବୁ ସାମଗ୍ରୀ ଯୋଗାଣ କରୁଥିଲେ, ଚଳିତ ବର୍ଷ ମଧ୍ୟ ସମାନ ସଂସ୍ଥା ଦାୟିତ୍ବ ନେଇଛନ୍ତି। କୌଣସି ଶିକ୍ଷକ ଯଦି ଅନ୍ୟ ଦୋକାନରୁ ସାମଗ୍ରୀ ଆଣିବାର ପ୍ରୟାସ କରିଥାଏ, ସେହି ଶିକ୍ଷକଙ୍କୁ ନାଲି ଆଖି ଦେଖାଯାଉଥିବା ପରୋକ୍ଷରେ ଅଭିଯୋଗ ହୋଇଛି। କିଛିଲୋକ ସେମାନଙ୍କ ଯୋଗାଣ ଏଜେନ୍ସି ଥିବା ଦର୍ଶାଇ ସ୍କୁଲକୁ ସାମଗ୍ରୀ ଯୋଗାଉଛନ୍ତି। ପୋଷାକ ୨ ହଳ ପିଛା ୪ ଶହ, ଜୋତା ହଳ ପିଛା ୨୦୦ ଟଙ୍କା ଓ କ୍ରୀଡ଼ା ସାମଗ୍ରୀ ପାଇଁ ୫ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଆସୁଛି। ପୋଷାକ ବଣ୍ଟନ ପାଇଁ ୧୦ କୋଟିରୁ ଊର୍ଦ୍ଧ୍ବ ଏବଂ କ୍ରୀଡ଼ା ସାମଗ୍ରୀ ପାଇଁ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଅନୁଦାନ ଦିଆଯାଉଛି। ସ୍କୁଲର ଛାତ୍ରଛାତ୍ରୀଙ୍କ ହିସାବରେ ଏହି ଅନୁଦାନ ଦିଆଯାଇଛି।

ନିୟମ ଅନୁଯାୟୀ ସ୍କୁଲ ପରିଚାଳନା କମିଟି ତିନିଟି ଯୋଗାଣ ଏଜେନ୍ସିର ମୂଲ୍ୟ ଆଣି ତାର ମାନ ଦେଖିବା ପରେ ଏଜେନ୍ସି ଚୟନ ହେବା କଥା। କିନ୍ତୁ କେଉଁ ଏଜେନ୍ସି ସାମଗ୍ରୀ ଯୋଗାଇବ, ତାହା ପୂର୍ବରୁ ଫିକ୍ସିଂ ହେଉଥିବା ଅଭିଯୋଗ ହେଉଛି। ପୂର୍ବରୁ ଯୋଗାଉ ଥିବା ଦୋକାନଗୁଡ଼ିକ ହିଁ ବାରମ୍ବାର ସାମଗ୍ରୀ ଯୋଗାଉଛନ୍ତି ବୋଲି ସୂଚନା ଅଧିକାର ଆଇନରେ ଜଣାପଡ଼ିଛି। ଉକ୍ତ ପୋଷାକ ଅତି ନିମ୍ନମାନର ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। କେଉଁ ବ୍ଲକ୍‌ରେ କେଉଁ ଦୋକାନ କିମ୍ବା ଏଜେନ୍ସି ଅଛି ତାହାର ପୂର୍ବରୁ ତାଲିକା ରହିଛି, ସେହି ଅନୁଯାୟୀ ଯୋଗାଣ ଚାଲିଛି ବୋଲି ଅଭିଯୋଗରୁ ପ୍ରକାଶ। ବଜାରରେ ଅନେକ ଦୋକାନ ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଦୋକାନ ବର୍ଷ ବର୍ଷ ଧରି ଯୋଗାଣ କରୁଥିବାରୁ ବ୍ୟବସ୍ଥାକୁ ସନ୍ଦେହ ଘେରକୁ ଟାଣିଦେଇଛି। କ୍ରୀଡ଼ା ସାମଗ୍ରୀ ପ୍ରତିବର୍ଷ କିଣାଯାଉଛି। କୋଭିଡ୍‌ ପାଇଁ ସ୍କୁଲ ବନ୍ଦ ରହିବା ସତ୍ତ୍ବେ ପୁଣିଥରେ ଅଧିକାଂଶ କ୍ରୀଡ଼ା ସାମଗ୍ରୀ କିଣାଯାଉଛି।

ଅନ୍ୟପଟେ ସରକାରୀ ଟଙ୍କାକୁ ଏଭଳି ଭାବେ ଲୁଟ୍‌ କରାଯାଉଛି। ଏହି ଘଟଣାର ଭିଜିଲାନ୍ସ ତଦନ୍ତ କଲେ ବହୁ ଗୁମର ଫିଟିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର