କଳାପଥର ସୈରାତ ଟେଣ୍ଡରରେ ଫିକ୍ସିଂ! ଚୂଡ଼ାନ୍ତ ପ୍ରକ୍ରିୟା ପାଇଁ ଚାଲିଛି ମୂଲଚାଲ

ଯାଜପୁର: ଯାଚପୁରର ଧର୍ମଶାଳା ତହସିଲରେ ଶହ ଶହ କଳାପଥର ସୈରାତକୁ ବର୍ଷ ବ‌ର୍ଷ ଧରି ମାଫିଆମାନେ ବିନା ଲିଜ୍‌ରେ ଖୋଳିତାଡ଼ି କୋଟି କୋଟି ଟଙ୍କା ମୁନାଫା କରୁଛନ୍ତି। ଏପରିକି ପ୍ରଶାସନ ନୂତନ ସୈରାତ ଚିହ୍ନଟ କରି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିଲେ ବି ଚୂଡ଼ାନ୍ତ କରୁନାହିଁ। ମାସ ମାସ ଧରି ଟେଣ୍ଡର ଖୋଲାଯାଇ ସର୍ବାଧିକ ବିଡରଙ୍କ ନାମ ଘୋଷଣା କରାଯାଉ ନଥିବାରୁ ଟେଣ୍ଡର ଫିକ୍ସିଂ ପାଇଁ ମୂଲଚାଲ ଚାଲିଥିବା ଅଭିଯୋଗ ହେଉଛି।

କଳାପଥର(ଗ୍ରାନାଇଟ୍) ଚୋରା କାରବାରକୁ ନେଇ ରୋଚକ ତଥ୍ୟ ବି ପଦାକୁ ଆସିଛି। ଧର୍ମଶାଳା ତହସିଲ ଅଧୀନରେ ଶହ ଶହ ବେଆଇନ୍ କଳାପଥର ଖାଦାନ ଚାଲିଥିବାବେଳେ କୋଟି କୋଟି ଟଙ୍କା ସରକାର ରାଜସ୍ବ ହରାଉଛନ୍ତି। ଏପରିକି ମାସ ମାସ ବିତିଯାଉଥିଲେ ମଧ୍ୟ ଟେଣ୍ଡର ଖୋଲାଯାଇ ଲିଜ୍‌ଧାରୀଙ୍କ ନାମ ଘୋଷଣା ଓ ଏଗ୍ରିମେଣ୍ଟ କରାଯାଇପାରୁନାହିଁ। ଫଳରେ ମାଫିଆମାନେ କୋଟି କୋଟି ଟଙ୍କାର କଳାପଥର ବିନା ଲିଜ୍‌ରେ ଖୋଳି ଚାଲିଛନ୍ତି। ଟେଣ୍ଡର ଖୋଲିବାରେ ଜାଣିଶୁଣି ବିଳମ୍ବ କରାଯାଉଥିବା ଅଭିଯୋଗ ହେଉଛି।

ପ୍ରକାଶଥାଉକି, ଧର୍ମଶାଳା ତହସିଲର ୩୬ଟି କଳାପଥର ଖାଦାନ ଲିଜ୍ ପାଇଁ ଫେବ୍ରୁଆରିରେ ବିଜ୍ଞାପନ ପ୍ରକାଶ ପାଇଥିବାବେଳେ ଗତ ମାର୍ଚ୍ଚ ମାସ ୨୪ତାରିଖରେ ଟେଣ୍ଡର ଖୋଲାଯାଇ ବିଡରମାନଙ୍କର ନାମ ଘୋଷଣା କରି ସେମାନଙ୍କ ସହିତ ଏଗ୍ରିମେଣ୍ଟ କରିବାର ବ୍ୟବସ୍ଥା ଥିଲା। ମାତ୍ର ଏହା ମଧ୍ୟରେ ଆଉ ଏକ ମାସ ବିତିଯିବାକୁ ବସିଲାଣି ଅଥଚ ସର୍ବାଧିକ ବିଡରମାନଙ୍କର ନାମ ଘୋଷଣା କରାଯାଇନାହିଁ। ବିଡ଼ରମାନଙ୍କ ସହିତ ଲକ୍ଷ ଲକ୍ଷ ଟଙ୍କାର ମୂଲଚାଲ ଚାଲିଥିବାର ଅଭିଯୋଗ ହେଉଛି।

ଏ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ ଅଭିଯୋଗକୁ ଅସ୍ବୀକାର କରିବା ସହିତ କହିଛନ୍ତି ମାର୍ଚ୍ଚ ମାସ ବ୍ୟସ୍ତତା ଯୋଗୁଁ ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ହୋଇଛି। ଗତବର୍ଷ କରୋନା ସମୟରେ ଯେଉଁ ୮୩ ସଇରାତର ଜନଶୁଣାଣି ହୋଇଥିଲା; ସେଥିମଧ୍ୟରୁ ୪୦ ଖାଦାନ ଚାଲିଛି। ଅବଶିଷ୍ଟ ୪୩ ମଧ୍ୟରୁ ୩୬ଟି ଟେଣ୍ଡର କରାଯାଇଥିଲା। ୯ଟି ହାଇକୋର୍ଟ ରହିତାଦେଶ ଫଳରେ ବନ୍ଦ ରହିଲା। ବାକି ୨୭ଟି ମଧ୍ୟରୁ ୧୫ଟି ସଇରାତର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି କମିଟିକୁ ଯାଇଛି । ୨ଦିନ ମଧ୍ୟରେ ତାହା ଚୂଡ଼ାନ୍ତ ହୋଇଯିବ। ଅବିଶଷ୍ଟ ୧୨ଟି ସଇରାତ ମଧ୍ୟରୁ କେତେକ ସିଙ୍ଗଲ୍ ଓ ଆବେଦନ କରାଯାଇ ନାହିଁ। ତହସିଲ ଓ ପୁଲିସ ପକ୍ଷରୁ ମଧ୍ୟ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ଦ୍ବାରା ଚଢଉ କରାଯାଇ ଚୋରା କାରବାରକୁ ରୋକା ଯାଉଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ରାସ୍ତାଘାଟରେ ପୁଲିସ ଓ ରାଜସ୍ବ ବିଭାଗ କେବଳ ଗାଡ଼ିକୁ ଜବତ କରି ଡ୍ରାଇଭର ଓ ହେଲପର ଉପରେ କାର୍ଯ୍ୟାନୁଷ୍ଠାନ ସୀମିତ ରଖିଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ବେଆଇନ ଖାଦାନ ମାଲିକ ଅବା ମାଫିଆଙ୍କୁ ଗିରଫ କରିବାରେ ପ୍ରଶାସନର ଦକ୍ଷତା ଦେଖାଇପାରି ନାହିଁ। ପ୍ରଶାସନ ତଥ୍ୟ ମୁତାବକ ୧୨ଟି ସଇରାତ ବିଭିନ୍ନ କାରଣରୁ ନିଲାମ ହୋଇପାରିଲା ନାହିଁ। ଅଥଚ ସେହି ଖାଦାନ ଗୁଡ଼ିିକ ମାଫିଆ ଦ୍ବାରା ପରିଚାଳିତ ହେଉଛି। ଏବେ ସଇରାତ ସମ୍ପର୍କରେ ତହସିଲ ପକ୍ଷରୁ ସବିଶେଷ ତଥ୍ୟ ଦେଇ ଦେବା ପରେ ମାଫିଆମାନେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ଯଦି ଟେଣ୍ଡରରେ କେହି ଭାଗ ନେଲେ ନାହିଁ କିମ୍ବା ସିଙ୍ଗଲ ଟେଣ୍ଡର ହୋଇଥିଲା ମାସେ ପର୍ଯ୍ୟନ୍ତି କାହିଁକି ପୁନଃଟେଣ୍ଡର କରାଗଲା ନାହିଁ? ଇତ୍ୟାଦି ବୈଧାନିକ ପ୍ରଶ୍ନ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରୁଛି। ଧର୍ମଶାଳା କଳାପଥର ଟେଣ୍ଡରରେ କେଳେଙ୍କାରୀ ନେଇ ପ୍ରଶ୍ନ ଉଠିଛି।
ଟେଣ୍ଡରରେ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିବା ସହିତ ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ କେତେକ ସଚେତନ ନାଗରିକ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର