ଜଳ ଯୋଗାଣ ପ୍ରକଳ୍ପରେ ଫିକ୍ସିଂ!

ଅଧିକ ଟଙ୍କା ଖର୍ଚ୍ଚ କରିବାକୁ କାରସାଦି

ଓପିଡବ୍ଲ୍ୟୁଡି କୋଡ୍‌ ଆଳ ଦେଖାଇ ଫାଙ୍କୁଛନ୍ତି
ଏଲ୍‌ଆଣ୍ଡ୍‌ଟି ପାଇଁ ଗୋଟିଏ ନିୟମ, ବାକି ସଂସ୍ଥା ପାଇଁ ଆଉ ଗୋଟିଏ
ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ରେ ଟେଣ୍ଡର ଫିକ୍ସିଂ ଅଭିଯୋଗ

ଭୁବନେଶ୍ୱର : ୨୦୨୪ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମାଞ୍ଚଳକୁ ପାଇପ୍ ପାଣି ଯୋଗାଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏଥିପାଇଁ ପ୍ରାୟ ୫୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ଅଛି। ହେଲେ ଏହି ଜଳ ଯୋଗାଣ ପ୍ରକଳ୍ପ କାମ ଯେପରି କିଛି ହାତଗଣତି ସଂସ୍ଥା ପାଇବେ ସେଥିପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଫିକ୍ସିଂ ଆରମ୍ଭ ହୋଇଯାଇଛି।

ରାଜ୍ୟର ୫୩୮୪୫ଟି ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଟେଣ୍ଡର ଆହ୍ବାନ କରୁଛି। ପ୍ରାୟ ସମସ୍ତ ପ୍ରକଳ୍ପ ଇପିସି ମୋଡରେ ହେଉଛି। ହେଲେ ବିଭାଗୀୟ ଅଧିକାରୀଙ୍କ ପରିଚିତ ସଂସ୍ଥା କିଭଳି ଏହି ପ୍ରକଳ୍ପ କାମ ପାଇବେ ସେଥିପାଇଁ ଅଧିକାରୀମାନେ ଯେନେତେନ ଉପାୟରେ ବାକି ସଂସ୍ଥାକୁ କାଟିବାକୁ ବାଟ କରୁଛନ୍ତି। ଏପରିକି ସରକାରୀ ତହବିଲରୁ ଶହ ଶହ କୋଟି ଅଧିକ ଖର୍ଚ୍ଚ ହେଉଥିଲେ ବି ଅଧିକାରୀମାନେ ନିୟମ ଫାଙ୍କିବାକୁ ପଛାଉନାହାନ୍ତି। ଯେଉଁଥିପାଇଁ ଏବେ ୪ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିବାଦ ଘେରକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ୍‌, ସମ୍ବଲପୁରର ୨୬ଟି ଓ ଝାରସୁଗୁଡ଼ାର ୨ଟି ଗ୍ରାମପଞ୍ଚାୟତ, ଯାଜପୁରର ବିଞ୍ଝାରପୁର ଓ ଯାଜପୁର ବ୍ଲକ ଏବଂ ଢେଙ୍କାନାଳର ଗଁଦିଆ ଓ ଭୁବନ ବ୍ଲକକୁ ପାଣି ଯୋଗାଣ ପାଇଁ ହୋଇଥିବା ଚାରିଟି ଟେଣ୍ଡରରେ ବିଭାଗୀୟ ଅଧିକାରୀମାନେ ଏଲ୍‌-୧ ସଂସ୍ଥାଙ୍କୁ କାଟି ଏଲ୍‌-୨ ସଂସ୍ଥାକୁ ଟେଣ୍ଡର ଦେବାକୁ ନିଷ୍ପତ୍ତି ‌ନେଇଛନ୍ତି। ଏହାପରେ ଏଲ୍‌-୧ ହୋଇଥିବା ସଂସ୍ଥାଗୁଡ଼ିକ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ବି ବିଭାଗୀୟ ଅଧିକାରୀଙ୍କ ଆଗରେ ମନ୍ତ୍ରୀଙ୍କ ନିଷ୍ପତ୍ତି କାମ କଲାନି। ଏଲ୍‌-୨ ସଂସ୍ଥା କିପରି ଟେଣ୍ଡର ପାଇବେ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ‌କାର୍ଯ୍ୟାଦେଶ ଦେବା ପାଇଁ କ୍ୟାବିନେଟ୍‌କୁ ପଠାଯିବ ବୋଲି ଜଣାପଡ଼ିଛି।

ହେଲେ ବିଭାଗୀୟ ଅଧିକାରୀ ଯେଉଁ ଢଙ୍ଗରେ, ଯେଉଁ କାରଣ ଦେଖାଇ ଏଲ୍‌-୧ ସଂସ୍ଥାର ବିଡିଂ ବାତିଲ୍‌ କରିଛନ୍ତି ତାହା ସନ୍ଦେହକୁ ଟାଣୁଛି।

ଇପିସି (ଇଞ୍ଜିନିୟରିଂ- ପ୍ରୋକ୍ୟୁରମେଣ୍ଟ-କନଷ୍ଟ୍ରକସନ୍‌) ପ୍ରକଳ୍ପରେ ଯେଉଁମାନେ ଏଲ୍‌-୧ ହୋଇଥିଲେ ସେମା‌ନଙ୍କର ଡିଜାଇନ୍ ଏବଂ କେଉଁ ସାମଗ୍ରୀ ବ୍ୟବହାର କରିବେ ତାହାକୁ ଟେକ୍ନିକାଲ୍‌ ବିଡ୍‌ରେ ଅନୁମୋଦନ କରାଯାଇଥିଲା। ଏପରିକି ଇ-ଟେଣ୍ଡର ସାଇଟ୍‌ରେ ଏଲ୍‌-୧ ବିଡର ବୋଲି ଉଲ୍ଲେଖ କରାଯାଇଥିଲା। କିନ୍ତୁ ଫାଇନାନ୍‌ସିଆଲ୍‌ ବିଡ୍‌ ଖୋଲା ହେଲା ବେଳକୁ କାଟି ଦିଆଗଲା। ଅଧିକାରୀଙ୍କ ଉତ୍ତର ହେଲା ଟେଣ୍ଡର ଆହ୍ବାନ ବେଳେ ପ୍ରକଳ୍ପ ମୂଲ୍ୟ ଯେତିକି ସୂଚନା ଦିଆଯାଇଥିଲା ଏଲ୍‌-୧ ସଂସ୍ଥାଗୁଡ଼ିକ ତାହାଠାରୁ ୧୫%ରୁ ଅଧିକ କମ୍‌ରେ ଟେଣ୍ଡର ପକାଇଛନ୍ତି। ତେଣୁ ଓପିଡବ୍ଲ୍ୟୁଡି କୋଡ୍‌ ଅନୁଯାୟୀ ସମସ୍ତ ୪ଟି ଯାକ ପ୍ରକଳ୍ପର ଏଲ୍‌-୧ ବିଡରଙ୍କ ବିଡ୍‌ ବାତିଲ୍‌ ହେଲା।

ଏଠାରେ ପ୍ରଶ୍ନ ଉଠୁଛି ଯେ, ଇପିସି ପ୍ରକଳ୍ପ ଓପିଡବ୍ଲ୍ୟୁଡି କୋଡ୍‌ ଅଧୀନରେ ଆସୁନଥିବା ବେଳେ ଆରଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ କାହିଁକି ଏହି ନିୟମ ଲାଗୁ କଲେ? ଦ୍ବିତୀୟରେ ଓପିଡବ୍ଲ୍ୟୁଡି କୋଡ୍‌ର ଧାରା ୩୬ ଅନୁଯାୟୀ, କେବଳ (ପରସେଣ୍ଟେଜ୍‌ ରେଟ୍‌ ଅଫ୍ କଣ୍ଟ୍ରାକ୍ଟରେ) ୧୫%ରୁ ଅଧିକ କମ୍‌ରେ ଟେଣ୍ଡର ପକାଇଲେ ଟେଣ୍ଡର ବାତିଲ୍‌ ହେବ। ଏହା ଓପିଡବ୍ଲ୍ୟୁଡି କୋଡ୍‌ର ୩.୫.୫(ଭି) ପାଇଁ କେବଳ ଲାଗୁ ହେବ ବୋଲି ଓପିଡବ୍ଲ୍ୟୁଡଇ କୋଡ୍‌ ଭଲ୍ୟୁମ୍‌-୧ ପୁସ୍ତକରେ ଲେଖା ହୋଇଛି। ହେଲେ ବିଭାଗୀୟ ଅଧିକାରୀମାନେ ଏହାକୁ ମାନିବାକୁ ନାରାଜ।

News Vibes of India

କେବଳ ଏତିକି ନୁହେଁ; ପୂର୍ବରୁ ବୃହତ ବ୍ରହ୍ମପୁରକୁ ଜଳ ଯୋଗାଣ ପାଇଁ ୨୦୧୫-୧୬ରେ ହୋଇଥିବା ଇପିସି ଟେଣ୍ଡର ସମୟରେ ଏହି ସମସ୍ୟା ହୋଇଥିଲେ ହେଁ ଜନସ୍ବାସ୍ଥ୍ୟ ବିଭାଗ ଏଲ୍‌-୧ ସଂସ୍ଥାକୁ କାର୍ଯ୍ୟାଦେଶ ଦେଇଥିଲା। ସେହି ପ୍ରକଳ୍ପ ପାଇଁ ବିଭାଗ ୪୫୨କୋଟି ୩୨ଲକ୍ଷ ଟଙ୍କା ସୂଚିତ ମୂଲ୍ୟ ରଖିଥିବା ବେଳେ ଏଲ୍‌ଆଣ୍ଡ୍‌ଟି ସଂସ୍ଥା ୧୭.୦୩% କମ୍‌ରେ ଟେଣ୍ଡର ପକାଇଥିଲା। ଏହାପରେ ବିଭାଗୀୟ ଅଧିକାରୀମାନେ ଆଡଭୋକେଟ୍‌ ଜେନେରାଲଙ୍କ ମତ ଲୋଡ଼ିଥିଲେ। ତତ୍କାଳୀନ ଆଡଭୋକେଟ୍‌ ଜେନେରାଲ୍‌ ଜଣାଇଥିଲେ ଯେ, ଇପିସି ପ୍ରକଳ୍ପରେ ଠିକା ସଂସ୍ଥା ସମସ୍ତ କାମ କରୁଥିବାରୁ ଏଠାରେ ଓପିଡବ୍ଲ୍ୟୁଡି କୋଡ୍‌ର ଧାରା ୩୬ ଲାଗୁ ହେବନି। ଏହାପରେ ଉକ୍ତ ସଂସ୍ଥା କାମ ପାଇଥିଲା। ଯାହାକୁ ପରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ।

ଏଠାରେ ପ୍ରଶ୍ନ ଉଠୁଛି ସମାନ ପରିସ୍ଥିତିରେ ଏଲ୍‌ଆଣ୍ଡ୍‌ଟି ପାଇଁ ସରକାର ଯେଉଁ ନିୟମ କଲେ ତାହାକୁ କିପରି ଏବେ ପଞ୍ଚାୟତିରାଜ ବିଭାଗ ମାନିବନି? ଏଲ୍‌ଆଣ୍ଡ୍‌ଟି ପାଇଁ କ’ଣ ଗୋଟିଏ ନିୟମ, ବାକି ସଂସ୍ଥାଙ୍କ ପାଇଁ ଆଉ ଏକ ନିୟମ?

ଯେଉଁ ସଂସ୍ଥାଗୁଡ଼ିକର ଟେଣ୍ଡର ବାତିଲ୍‌ ହୋଇଛି ସେମାନେ ବିଭାଗୀୟ ମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ଯେ, ଇପିସି ମୋଡରେ ହେଉଥିବା ପ୍ରକଳ୍ପରେ ଆମେ ସର୍ଭେ କରି ଡିପିଆର୍‌ ପ୍ରସ୍ତୁତ କରିବା ପରେ ଟେଣ୍ଡରରେ ଭାଗ ନେଇଥିଲୁ। ଆରଡବ୍ଲୁଏସ୍‌ଏସ୍‌ ପକ୍ଷରୁ ଯେଉଁ ସର୍ଭେ ହୋଇଥିଲା କି ସୂଚୀତ ମୂଲ୍ୟ ଦିଆଯାଇଛି ସେଥିରେ କେଉଁ ସାମଗ୍ରୀ ବ୍ୟବହାର ହେବ, ‌କେଉଁଥିପାଇଁ କେତେ ଖର୍ଚ୍ଚ ହେବ ତା’ର ସୂଚନା କୌଣସି ସଂସ୍ଥାକୁ ଦିଆଯାଇନି। ସବୁ ସଂସ୍ଥା ନିଜ ସମ୍ବଳରେ ସର୍ଭେ କରି, ଡିଜାଇନ୍ ପ୍ରସ୍ତୁତ କରିବା ପରେ, ଯେଉଁ ପାଇପ୍ ଲାଗିବ ସେହି ଅନୁଯାୟୀ ଟେଣ୍ଡର ପକାଇଥିଲେ। ଯଦି ଠିକା ସଂସ୍ଥାଙ୍କ ଡିଜାଇନ୍ ଅନୁସାରେ ପ୍ରକଳ୍ପ କାମ ହେବ ତେବେ ଏଠାରେ ୧୫%ରୁ କମିବା, ବଢ଼ିବା ପ୍ରଶ୍ନ ଉଠିଲା କେଉଁଠୁ? ଆରଡବ୍ଲ୍ୟୁଏସ୍‌ଏସ୍‌ ଯେଉଁ ମାନଦଣ୍ଡ ଦେଇଥିଲା ସେହି ଅନୁଯାୟୀ ଟେଣ୍ଡର ପକାଯାଇଥିଲା। ହେଲେ ଟେଣ୍ଡରରେ ଭାଗ ନେଇଥିବା ସଂସ୍ଥାଙ୍କୁ କାଟିବା ବେଳକୁ ବିଭାଗର ଡିପିଆର୍‌ ମୂଲ୍ୟ ଦେଖାଯାଉଛି। ଏହା କେଉଁ ପ୍ରକାରର ନିୟମ? ଏପରିକି ଯଦି ଠିକା ସଂସ୍ଥାଙ୍କ ସର୍ଭେ ଓ ଡିଜାଇନ୍‌ ଅନୁସାରେ କାମ ହେବ ତେବେ ବିଭାଗ କାହିଁକି ବିଭିନ୍ନ ଘରୋଇ ସଂସ୍ଥା ମାଧ୍ୟମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସର୍ଭେ କରୁଥିଲା।

ଏ ନେଇ ଆରଡବ୍ଲ୍ୟୁଏସ୍‌ଏସ୍‌ର ସର୍ବୋଚ୍ଚ ଯନ୍ତ୍ରୀ ଅଭୟ ବିଶ୍ବାଳଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ପାନୀୟ ଜଳ ଯୋଗାଣ ଟେଣ୍ଡରରେ କୌଣସି ପ୍ରକାରର ଫିକ୍ସିଂ ହୋଇନି। ଇ-ଟେଣ୍ଡରରେ ସବୁ କାମ ସ୍ବୟଂକ୍ରିୟ ହେଉଛି। ମୁଁ କେବଳ ଟେଣ୍ଡର ଡାକିଥିଲି। ୬କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡରରେ ମୁଁ ନିଷ୍ପତ୍ତି ନିଏ। ଏହି ଟେଣ୍ଡର ନେଇ ଆମ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଆଇନ, ଅର୍ଥ ବିଭାଗର ଅଧିକାରୀ ନିଷ୍ପତ୍ତି ନେଉଛନ୍ତି। ମୁଁ ଅଧିକ କିଛି କହିପାରିବିନି।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ୍‌ ପାଇଁ କେଇସି ସଂସ୍ଥା ୧୭୧.୪୪କୋଟି ଟଙ୍କା (୧୫.୬୫% କମ୍‌), ସମ୍ବଲପୁରର ୨୬ଟି ଓ ଝାରସୁଗୁଡ଼ାର ୨ଟି ଗ୍ରାମପଞ୍ଚାୟତ ପାଇଁ ୟୁଏମ୍‌ଏସ୍‌ଏଲ୍‌ ସଂସ୍ଥା ୧୭୯.୨୯କୋଟି (୧୫.୩୦% କମ୍‌), ଯାଜପୁରର ବିଞ୍ଝାରପୁର ଓ ଯାଜପୁର ବ୍ଲକ ପାଇଁ ଲକ୍ଷ୍ମୀ ସଂସ୍ଥା ୨୩୬.୯୦କୋଟି (୧୮.୧୩% କମ୍‌) ଏବଂ ଢେଙ୍କାନାଳର ଗଁଦିଆ ଓ ଭୁବନ ବ୍ଲକ ପାଇଁ ବ୍ଲୁ ଷ୍ଟାର ସଂସ୍ଥା ୨୮୩.୩୪ କୋଟି (୧୬.୫୧%)ର ଟେଣ୍ଡର ପକାଇ ଏଲ୍‌-୧ ହୋଇଥିଲେ। ହେଲେ ଏହି ଚାରିଟି ପ୍ରକଳ୍ପର ଏଲ୍‌-୨କୁ କାମ ଦେବା ପାଇଁ ଏବେ କାର୍ଯ୍ୟ ଚାଲିଛି। ଯଦି ଏଲ୍‌-୧ ସଂସ୍ଥା କାମ ପାଇଥାନ୍ତେ ତେବେ ରାଜ୍ୟ ସରକାର ୩୮.୧୮କୋଟି ବଞ୍ଚାଇ ପାରିଥାନ୍ତେ। କିନ୍ତୁ କିଛି ଅଧିକାରୀଙ୍କ ପାଇଁ ଏବେ ରାଜକୋଷରୁ ଅଧିକ ୩୮କୋଟି ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର