ରାଉରକେଲାକୁ ଉଡ଼ାଣ ନେଇ ବିବାଦ ତୁଟିବ!

ଜାନୁଆରି ୧୫ରୁ ଝାରସୁଗୁଡ଼ାକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଉଡ଼ାଣ ଯୋଜନାରେ ରାଉରକେଲାକୁ ବିମାନ ସଂଯୋଗ ପାଇଁ ରହିଥିବା ବିବାଦର ସମାଧାନ ପାଇଁ ବାଟ ଫିଟିଛି। ଏ ନେଇ ଆସନ୍ତା ୧୬ ତାରିଖରେ ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସମ୍ଭବତଃ ସେଠାରେ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ୱାକ୍ଷରିତ ହେବ। ସେହିପରି ଆସନ୍ତା ଜାନୁଆରି ୧୫ ତାରିଖରୁ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ବିମାନ ଯାତ୍ରା ପାଇଁ ଚୂଡ଼ାନ୍ତ ହୋଇଛି।
ଆଜି ଏ ନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ମୁତାବକ ରାଉରକେଲା ବିମାନ ବନ୍ଦରର ବିକାଶ କରିବ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ(ଏଏଆଇ)। କିନ୍ତୁ ବିମାନ ବନ୍ଦରର ମାଲିକାନା ପୂର୍ବବତ୍‌ ରାଉରକେଲା ଇସ୍ପାତ କାରଖାନା ଅଧୀନରେ ରହିବ। ରାଜ୍ୟ ସରକାର ପୁଲିସ ଏବଂ ଅଗ୍ନିଶମ ସେବା ସଂପର୍କିତ ସହଯୋଗ ଯୋଗାଇଦେବେ। ଏ ନେଇ ଆସନ୍ତା ୧୬ ତାରିଖରେ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ଚୂଡ଼ାନ୍ତ ଆଲୋଚନା ହେବ। ଆଲୋଚନା ପରେ ଏମ୍‌ଓୟୁ ସ୍ୱାକ୍ଷରିତ କରାଯିବ। ୨୦୧୮ ଜାନୁଆରି ୧୫ ତାରିଖରୁ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ବିମାନ ଯାତ୍ରା କରିବ। ସେଠାରୁ ରାଞ୍ଚିକୁ ଯାତ୍ରା କରିବ। ଏହି ବିମାନ ଚଳାଚଳ ପରିଚାଳନା ଦାୟିତ୍ୱ ନେବ ‘ଏୟାର ଓଡ଼ିଶା’। ସୂଚନାଯୋଗ୍ୟ, ମେକ୍‌-ଇନ୍‌-ଓଡ଼ିଶା ଅଭିଯାନକୁ ଫଳପ୍ରଦ କରିବା ପାଇଁ ରାଜ୍ୟ ସରକାର ଉଡ଼ାଣ ଯୋଜନା ନିମନ୍ତେ ବିଭିନ୍ନ ସୁବିଧା ଯୋଗାଇ ଦେଇଥିବା ବୈଠକରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର