କେନ୍ଦୁଝର ଷ୍ଟେସନରେ ଫ୍ଲାଗମାର୍ଚ୍ଚ

କେନ୍ଦୁଝର: ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ରାଜ୍ୟ ସମତେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି। ଦେଶର ଅନେକ ସ୍ଥାନରେ ଏହାକୁ ନେଇ ହିଂସା ଦେଖିବାକୁ ମିଳୁଛି। ବିହାର ସମେତ ବିଭିନ୍ନ ରାଜ୍ୟରେ ଚାକିରି ଆଶାୟୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି। ରେଳଷ୍ଟେସନରେ ବ୍ୟାପକ ଭଙ୍ଗରୁଜା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝରଗଡ଼ ରେଳଷ୍ଟେସନରେ ରେଳବାଇ ସୁରକ୍ଷା ବଳ (ଆରପିଏଫ୍‌) ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ପ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଇନ୍‌ସପେକ୍ଟର ମନୋଜ ଜଗତାବଙ୍କ ନେତୃତ୍ୱରେ ରେଳଷ୍ଟେସନରେ ଆଜି ସଶସ୍ତ୍ର ଫୋର୍ସ ପଇଁତରା ମାରିଥିଲେ।

ପୁରୀ-ବଡ଼ବିଲ ଇଣ୍ଟରସିଟି ଟ୍ରେନ୍‌ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚିବା ପରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ଲାଟ୍‌ଫର୍ମରେ ଟ୍ରେନ୍‌ ଲାଗିବା ପରେ ତନତନ କରି ଯାଞ୍ଚ କରାଯାଇଛି। ବିଶେଷ କରି ଯୁବବର୍ଗଙ୍କ ଉପରେ ସତର୍କ ନଜର ରଖାଯାଇଛି। ଆର୍‌ପିଏଫ୍ ପକ୍ଷରୁ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ସେହିପରି ଗୋଟିଏ ସ୍ଥାନରେ ଯୁବଗୋଷ୍ଠୀ ଯେପରି ଏକତ୍ରିତ ନ ହୁଅନ୍ତି ସେଥିପାଇଁ ରେଳଷ୍ଟେସନ ଏବଂ ରେଳଷ୍ଟେସନ ବାହାରେ ସତର୍କ ନଜର ରଖାଯାଇଛି।

ସମ୍ବନ୍ଧିତ ଖବର