ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଛୋଟ ବଡ଼ କାରଖାନା ଭିତରୁ ଅଧିକାଂଶ ଭୀଷଣମାତ୍ରାରେ ପ୍ରଦୂଷଣ କରି ଆସୁଛନ୍ତି। ସେମାନେ ପ୍ରଦୂଷଣ ମାମଲାରେ ଥିବା ନୀତି ନିୟମର ଖୋଲା ଉଲଂଘନ କରି ଆସୁଛନ୍ତି। ଏ ସଂପର୍କରେ ଗଣମାଧ୍ୟମରେ ନିରନ୍ତର ଭାବେ ଖବର ପ୍ରକାଶିତ ହେଉଛି। କିନ୍ତୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଦାୟିତ୍ବରେ ଥିବା ବିଭାଗ ତଥା ପ୍ରଶାସନ ଏହାକୁ ଏକପ୍ରକାର ଅଣଦେଖା କରି ଆସିଛି। ସ୍ଥାନୀୟ ଲୋକେ ଅଧିକ ଅଭିଯୋଗ କଲେ, କାରଖାନାଗୁଡ଼ିକୁ ପ୍ରଶାସନ ପକ୍ଷରୁ କେବଳ କାରଣ ଦର୍ଶାଅ ନୋଟିସ୍ ଜାରି କରା ଯାଉଛି। କିନ୍ତୁ ସେଥିରେ କିଛି ପରିବର୍ତ୍ତନ ହେଉନାହିଁ। ଉଲ୍ଲେଖନୀୟ ଯେ ରାଉରକେଲା ଉପକଣ୍ଠର କଲୁଙ୍ଗା ଶିଳ୍ପାଞ୍ଚଳରେ ଥିବା କିଛି ସ୍ପଞ୍ଜ ଆଇରନ କାରଖାନା ଏତେ ମାତ୍ରାରେ ପ୍ରଦୂଷଣ କରୁଛନ୍ତି ଯେ ଆଖପାଖର ଚାଷୀ ଚାଷ କରିଥିବା ଫୁଲକୋବି ଭିତରୁ ମଧ୍ୟ କଳାକଳା ଗୁଣ୍ଡ ବାହାରିବା, ଏପରିକି ପୋଖରିର ମାଛ ପେଟରୁ ମଧ୍ୟ ସେମିତି କଳାଗୁଣ୍ଡ ବାହାରିବାର ଉଦାହରଣ ରହିଛି। ତଥାପି ଉକ୍ତ କାରଖାନାଗୁଡ଼ିକ ବିରୋଧରେ ପ୍ରଭାବ ପକାଇବା ଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନଜିର ନାହିଁ।
ତେବେ ହକି ବିଶ୍ବକପ୍ ଏ ପ୍ରଦୂଷଣର ସତ୍ୟତାକୁ ସାମ୍ନାକୁ ଆଣିଛି। ବିଶ୍ବକପ୍ ପାଇଁ ରାଉରକେଲାକୁ ରାଜ୍ୟ ବାହାରୁ ତଥା ବିଦେଶରୁ ଖେଳାଳି ଓ ଦର୍ଶକ ଆସୁଥିବାରୁ ପ୍ରଶାସନ ସହରକୁ ପ୍ରଦୂଷଣମୁକ୍ତ କରିବାଲାଗି ଅଣ୍ଟା ଭିଡ଼ିଛି। ସେଥିପାଇଁ ରାଉରକେଲା ସହର ଓ ଆଖପାଖର, ମୁଖ୍ୟତଃ କୁଆରମୁଣ୍ଡା ଓ କଲୁଙ୍ଗା ଶିଳ୍ପାଞ୍ଜଳର ୨୧ଟି କାରଖାନାକୁ ବନ୍ଦ ରଖିବାଲାଗି ନିର୍ଦ୍ଦେଶ ହୋଇଛି। ରାଉରକେଲାରେ ବିଶ୍ବକପ୍ର ପ୍ରଥମ ମ୍ୟାଚ୍ ଜାନୁଆରି ୧୩ ତାରିଖରେ ଓ ଶେଷ ମ୍ୟାଚ୍ ୨୮ ତାରିଖରେ ହେଉଥିବାରୁ ଜାନୁଆରି ୫ରୁ ଜାନୁଆରି ୨୮ ପର୍ଯ୍ୟନ୍ତ ଏହି କାରଖାନାଗୁଡ଼ିକୁ ବନ୍ଦ ରଖିବାଲାଗି କୁହା ଯାଇଛି। ଅର୍ଥାତ୍ ପରୋକ୍ଷରେ ପ୍ରଶାସନ ସ୍ବୀକାର କରିଛି ଯେ ଏହି କାରଖାନାଗୁଡ଼ିକ ଦ୍ବାରା ପ୍ରଦୂଷଣ ହେଉଛି। ତେବେ ଆଶ୍ଚର୍ଯ୍ୟର କଥା, ବିଦେଶୀ ଖେଳାଳି ଓ ଦର୍ଶକଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ପ୍ରଶାସନ ଏହି ପ୍ରଦୂଷଣ ଭିତରେ ସାରା ଜୀବନ ଘାଣ୍ଟି ହେଉଥିବା ସ୍ଥାନୀୟ ଲୋକଙ୍କ ପାଇଁ କେବେ ସେତିକି ଚିନ୍ତା କରିବାର ଉଦାହରଣ ନାହିଁ।
ଉଲ୍ଲେଖନୀୟ ଯେ କେବଳ କଲୁଙ୍ଗା ବା କୁଆରମୁଣ୍ଡା ନୁହେଁ, ସୁନ୍ଦରଗଡ଼ ଜିଲ୍ଲାର ବଣାଇ, ଲହୁଣିପଡା, କୁତ୍ରା ଓ ରାଜଗାଙ୍ଗପୁର ଆଦି ବ୍ଲକରେ ଥିବା ମାଳ ମାଳ ସ୍ପଞ୍ଜ ଓ ଅନ୍ୟ କାରଖାନା କରୁଥିବା ପ୍ରଦୂଷଣକୁ ନେଇ ଅନେକ ଅଭିଯୋଗ ରହିଛି। କାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁକୁ ଉକ୍ତ କାରଖାନାଗୁଡ଼ିକ ସିଧା ବାୟୁମଣ୍ଡଳକୁ ଛାଡି ଦେଉଛନ୍ତି। ତା’ର ପ୍ରଭାବରେ ସ୍ଥାନୀୟ ଅଞ୍ଚଳର ଲୋକେ ବର୍ଷ ବର୍ଷ ଧରି ବିଭିନ୍ନ ରୋଗରେ ଘାଣ୍ଟି ହେଉଛନ୍ତି। କିଛିଦିନ ତଳେ ପ୍ରଦୂଷଣ ନିୟମ ଭଙ୍ଗକାରୀ ବଣାଇ ବ୍ଲକର ଓର୍ସ ଇସ୍ପାତ ଓ କୁଆରମୁଣ୍ଡାର ସ୍ବସ୍ତିକ ଇସ୍ପାତ କାରଖାନାକୁ ସିଲ୍ କରାଯାଇଥିଲା। ବଣାଇର ଶ୍ରୀ ହରି ସ୍ପଞ୍ଜ ଓ କୁଆରମୁଣ୍ଡାର ଖେଦେରିଆ କାରଖାନାକୁ ବନ୍ଦ ନୋଟିସ୍ ଦିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଉଭୟ ସିଲ୍ ଓ ବନ୍ଦ ନୋଟିସ୍ ପାଇଥିବା କାରଖାନାଗୁଡ଼ିକ ଚାଲୁ ରହିଥିଲା। ସେସବୁକୁ କାହିଁକି ବନ୍ଦ କରା ଯାଇଥିଲା ଓ ସେଗୁଡ଼ିକ କେଉଁ ସର୍ତ୍ତ ପୂରଣ କରିବାରୁ ପୁଣି ଚାଲିବାକୁ ଅନୁମତି ଦିଆଗଲା, ତାହା ସଂପୃକ୍ତ ଅଧିକାରୀମାନେ ହିଁ ଜାଣନ୍ତି! ଜିଲ୍ଲାରେ ପ୍ରଦୂଷଣ ନିୟନ୍ତ୍ରଣ ନାଁରେ କାରଖାନାଗୁଡ଼ିକୁ ଏଭଳି ନୋଟିସ୍ ଜାରି କରିବା; ସିଲ୍ ଲଗାଇବା ଓ ସିଲ୍ ଖୋଲିବା ତଥା କିଛିଦିନ ବନ୍ଦ କରି ପୁଣି ଖୋଲିବାର ନାଟକ ହିଁ ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି।