ବିମାନ ଟିକେଟ୍‌ ବୁକିଂ ବନ୍ଦ, ଜୁନ୍‌ ୧ରୁ ଆରମ୍ଭ ହୋଇପାରେ ଅନ୍ତର୍ଜାତୀୟ ବିମାନ ସେବା

ଭୁବନେଶ୍ବର : ସାରା ଦେଶରେ ଲକ୍‌ଡାଉନ୍‌ ଅବଧି ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ବିଭିନ୍ନ ବିମାନ କମ୍ପାନି ମେ’ ୪ ପରେ ବିମାନ ଉଡ଼ାଣ ପାଇଁ ବୁକିଂ ଆରମ୍ଭ କରିଦେଇଛନ୍ତି। କିଛି ଲୋକ ମଧ୍ୟ ‌ଟିକେଟ୍‌ ବୁକିଂ କରିଛନ୍ତି। ଠିକ୍ ଏହି ସମୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଲକ୍‌ଡାଉନ୍‌ ଅବଧି ଏବେ ମେ’ ୩ ପର୍ଯ୍ୟନ୍ତ ଥିଲେ ବି କୌଣସି ବିମାନ କମ୍ପାନି ମେ’ ୪ ପର ସମୟ ପାଇଁ ଟିକେଟ୍‌ ବୁକିଂ କରିପାରି‌ବେନି। ଯେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନ ଚଳାଚଳ ନେଇ ଘୋଷଣା ହେବ, ସେବେଠାରୁ ଟିକେଟ୍ ବୁକିଂ ଆରମ୍ଭ ହେବ।

ଅପରପକ୍ଷେ ଏକ ବିମାନ କମ୍ପାନି କର୍ତ୍ତୃପକ୍ଷ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ‌ଘରୋଇ ବିମାନ ଉଡ଼ାଣ ମେ’ ୩ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବା ବେଳେ ଏହି ସମୟ‌ ପାଇଁ ବୁକିଂ ନ ରଖିବାକୁ କୁହାଯାଇଛି। ସେହିପରି ମେ’ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ପାଇଁ ବୁକିଂ ନ ରଖିବାକୁ କୁହାଯାଇଛି। ତେଣୁ ଆମେ ବୁକିଂ ରଖୁନୁ। ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭରେ ବିଳମ୍ବ ଥିବାରୁ ଆମେ ଏନେଇ କୌଣସି ବୁକିଂ ରଖୁନୁ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବେ ଜୁନ୍‌ ୧ରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ହେଲେ ଘରୋଇ ବିମାନ ସେବା ଆରମ୍ଭ ହେବା ‌ପରେ ହିଁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ। ଯେଉଁ ଦେଶ କରୋନା ଆକ୍ରାନ୍ତ ମୁକ୍ତ ଥିବ ସେହି ଦେଶକୁ ପ୍ରଥମେ ବିମାନ ସେବା ଆରମ୍ଭ ହେବ।

ସମ୍ବନ୍ଧିତ ଖବର