ଝାରସୁଗୁଡ଼ା: ପାଗ ଖରାପ ଯୋଗୁଁ ସୋମବାର ବୀର ସୁରେନ୍ଦ୍ର ସାଏ ଏୟାର ପୋର୍ଟରୁ ସମସ୍ତ ବିମାନକୁ ବାତିଲ କରି ଦିଆଯାଇଥିବା ବେଳେ ମଙ୍ଗଳବାର ମଧ୍ୟ ଭୁବନେଶ୍ବର ବିମାନ ବ୍ୟତୀତ ଅନ୍ୟ ରୁଟ୍‌ରେ ଥିବା ବିମାନକୁ ବାତିଲ କରି ଦିଆଯାଇଥିବା ଏୟାର ପୋର୍ଟ ଡାଇରେକ୍ଟର ସୂଚନା ଦେଇଛନ୍ତି। ଆଜି ପାଗ ଖରାପ ସତ୍ତ୍ବେ ଏଲାୟନ୍ସ ଏୟାରର ବିମାନ ଭୁବନେଶ୍ବରୁ ଆସି ପୁଣି ଭୁବନେଶ୍ବରକୁ ସଫଳ ଉଡ଼ାଣ କରିଥିଲା। ମାତ୍ର ଏହାର ରାୟପୁର ଉଡ଼ାଣ ବାତିଲ ହୋଇଥିଲା। ସେହିପରି ସ୍ପାଇସ ଜେଟ୍‌ର ଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତା ବିମାନ ସେବା ବାତିଲ ହୋଇଥିଲା। ଏହି ବିମାନଗୁଡ଼କରେ ଯିବା ପାଇଁ ପୂର୍ବରୁ ଟିକେଟ କରି ପ୍ରସ୍ତୁତ ଥିବା ଯାତ୍ରୀମାନେ ବାତିଲ ଫଳରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଇଏଲ୍‌ଏସ୍‌ ବ୍ୟବସ୍ଥା ନଥିବାରୁ କମ୍‌ ଭିଜିବିଲିଟିରେ ବିମାନ ଅବତରଣ ଓ ଉଡ଼ାଣ ସମ୍ଭବ ହେଉନାହିଁ। ତେଣୁ ପାଗ ଖରାପ ହେଲେ ଏଭଳି ବାରମ୍ବାର ବିମାନ ସେବା ବାତିଲ କରିବାକୁ ପଡ଼ୁଛି। ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ବିମାନ ବନ୍ଦରରେ ଲାଗିବାକୁ ଥିବା ଆଇଏଲ୍‌ଏସ୍‌ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।