କାଳବୈଶାଖୀ ଯୋଗୁଁ ବିମାନ ଅବତରଣ କରିପାରିଲା ନାହିଁ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର: ରାଜ୍ୟର ୧୫ ଟି ଜିଲ୍ଲାରେ ସକାଳ ୮ଟାରୁ ପୂର୍ବାହ୍ନ ସାଢ଼େ ୧୧ଟା ଯାଏ କାଳବୈଶାଖୀଜନିତ ବର୍ଷା ପବନ, ଘଡ଼ଘଡ଼ି ଲାଗି ରହିବ ବୋଲିି ଆଜି ସକାଳୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆଜି ସକାଳୁ କାଳବୈଶାଖୀ ବର୍ଷା ପ୍ରାୟ ୨/୩ ଘଣ୍ଟା ଧରି ଲାଗି ରହଥିଲା। ଏହି କାଳବୈଶାଖୀ ବର୍ଷା ପବନ ଯୋଗୁଁ ଆଜି ସକାଳେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିବା ଭିସ୍ତାରା ଏୟାରେଓ୍ଵଜ୍‌ର ଏକ ବିମାନ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରି ପାରି ନାହିଁ ର୍। ବିମାନକୁ ଗଆଉଣ୍ଡ କ୍ଲିୟରାନ୍ସ ନ ମିଳିବାରୁ ବିମାନଟି ଏଠାରେ ଅବତରଣ କରି ନ ପାରି କୋଲକାତା ଅଭିମୁଖେ ଯାତ୍ରା କରିଛି। ସେହିପରି ଟ୍ରେନ୍‌ ଲାଇନ ଉପରେ ଗଛ ପଡ଼ି ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିବାରୁ ପାଇଁ ବିଭିନ୍ନ ସ୍ଥାନରେ ଟ୍ରେନ୍‌ ଯାତ୍ରା ବାଧାପ୍ରାପ୍ତ ହୋଇଛି। କେତେକ ସ୍ଥାନରେ ସିଗ୍‌ନାଲିଂରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ପୁରୀ-କଟକ- ଭଦ୍ରକ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟରେ ଟ୍ରେନ୍‌ ଲାଇନ୍‌ ଉପରେ ତାର ଛିଡ଼ି ପଡ଼ିବା ଫଳରେ କଟକ-ପୁରୀ ସଟଲ୍‌ ଟ୍ରେନ ଷ୍ଟେସନ ପୂର୍ବରୁ ଅଟକି ରହିଛି।
ଟ୍ରେନ୍‌ ସିଗନାଲିଂ ବ୍ୟବସ୍ଥାରେ ସମସ୍ୟା ଦେଖାଦେବାରୁ ଭଦ୍ରକ-ଭୁବନେଶ୍ୱର-ପୁରୀ ରୁଟରେ ଟ୍ରେନ୍‌ ଚଳାଚଳ ବିଳମ୍ବ ହୋଇଛି। ବହୁ ଯାତ୍ରୀ ବାଧ୍ୟବାଧକତାରେ ଷ୍ଟେସନରେ ଅଟକି ରହିଛନ୍ତି।

ସମ୍ବନ୍ଧିତ ଖବର