ଭୁବନେଶ୍ବର : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ସୋମବାରଠାରୁ ଇଣ୍ଡିଆ ୱାନ୍ ଏୟାର ସଂସ୍ଥା ପକ୍ଷରୁ ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ସିଧା ବିମାନ ଉଡ଼ାଣ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଏହି ବିମାନର ପ୍ରଥମ ଉଡ଼ାଣକୁ ଭୁବନେଶ୍ବର ବିମାନବନ୍ଦରରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରଥମ ଉଡ଼ାଣର ଯାତ୍ରୀମାନଙ୍କୁ ବିମାନବନ୍ଦରରେ ସ୍ବାଗତ କରାଯାଇଥିବାବେଳେ ଜୟପୁରରେ ଅଗ୍ନିଶମ ବିଭାଗ ପକ୍ଷରୁ ୱାଟର୍ କ୍ୟାନନ୍ରେ ବିମାନକୁ ସ୍ବାଗତ କରାଯାଇଥିଲା। ଏହି ୯ସିଟ୍ ବିଶିଷ୍ଟ ବିମାନରେ ପ୍ରଥମ ଦିନରେ ସମସ୍ତ ସିଟ୍ ବୁକିଂ ହୋଇଥିବା ଦେଖିବାକୁ ମିଳିଛି। ଏପରିକି ନଭେମ୍ବର ୯ତାରିଖ ପର୍ଯ୍ୟନ୍ତ ସଂସ୍ଥା ପକ୍ଷରୁ ବୁକିଂ ରଖାଯାଇଥିବାବେଳେ ସମସ୍ତ ସିଟ୍ ଆଗୁଆ ବୁକିଂ ହୋଇଯାଇଛି।
ଭୁବନେଶ୍ବର, ଝାରସୁଗୁଡ଼ା, ରାଉରକେଲା ପରେ ଏବେ ଜୟପୁର ଓଡ଼ିଶାର ଚତୁର୍ଥ ଲାଇସେନ୍ସପ୍ରାପ୍ତ ବିମାନବନ୍ଦରର ମାନ୍ୟତା ପାଇଛି। ଏହାସହ ରାଜ୍ୟ ସରକାରଙ୍କ ଅଧୀନରେ ଏହା ପ୍ରଥମ ଲାଇସେନ୍ସପ୍ରାପ୍ତ ବିମାନବନ୍ଦର ହୋଇଛି। ଏବେ ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦର ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବାବେଳେ ରାଉରକେଲା ବିମାନବନ୍ଦର ଆର୍ଏସ୍ପି ଅଧୀନରେ ଅଛି।
ବିମାନଟି ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରେ ଭୁବନେଶ୍ବରରୁ ଉଡ଼ାଣ କରି ଅପରାହ୍ନ ୧ଟା ୨୦ରେ ଜୟପୁରରେ ଅବତରଣ କରିବ। ଏହାପରେ ବିଶାଖାପାଟଣା ଯିବ। ବିଶାଖାପାଟଣାରୁ ଜୟପୁର ଫେରିବା ପରେ ସେଠାରୁ ଅପରାହ୍ନ ୪ଟା ୫ରେ ଭୁବନେଶ୍ବର ଅଭିମୁଖେ ବାହାରିବ। ଏଠାରେ ଅପରାହ୍ନ ୫ଟା ୫୦ରେ ଅବତରଣ କରିବ। ଏହି ବିମାନ ଉଡ଼ାଣ ଦ୍ବାରା ଭୁବନେଶ୍ବରରୁ ଲୋକମାନେ ୧ଘଣ୍ଟା ୪୫ମିନିଟରେ ଜୟପୁରରେ ପହଞ୍ଚିପାରିବେ।
ସୂଚନାଯୋଗ୍ୟ ଯେ, ଜୟପୁର ବିମାନବନ୍ଦରରୁ ବ୍ୟବସାୟିକ ବିମାନ ଉଡ଼ାଣ ପାଇଁ ‘ଉଡାନ୍’ ଯୋଜନାରେ ଏହି ଏୟାରଷ୍ଟ୍ରିପ୍କୁ ସାମିଲ୍ କରାଯାଇଥିଲା। ହେଲେ ବିମାନବନ୍ଦର ନିର୍ମାଣ କାମ ଶେଷ ହେବାରେ ବିଳମ୍ବ ହେବାରୁ ବିମାନ ଉଡ଼ାଣ ନେଇ ଘୋଷଣା ହେବାର ଦୀର୍ଘବର୍ଷ ପରେ ଜୟପୁରକୁ ବିମାନ ଉଡ଼ାଣ ସମ୍ଭବ ହୋଇଛି। ଏହି ବିମାନବନ୍ଦର ପାଇଁ ରାଜ୍ୟ ସରକାର ଜମି, ସୁରକ୍ଷା ଏବଂ ଅଗ୍ନିଶମ କର୍ମଚାରୀ, ବିଦ୍ୟୁତ୍ ଏବଂ ଜଳ ଦେୟ, ମାନବ ଶକ୍ତି ପ୍ରଦାନ କରିବା ସହ ଭାଏବୁଲ୍ ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍)ରେ ଟିକେଟ ମୂଲ୍ୟ ଉପରେ ସବ୍ସିଡି ପ୍ରଦାନ କରିବେ। ଏହି ରୁଟ୍ରେ ଟିକେଟ୍ ମୂଲ୍ୟ ସର୍ବାଧିକ ୨,୫୦୦ଟଙ୍କା ରହିବ ବୋଲି ଜଣାପଡ଼ିଛି।
ଅପରପକ୍ଷେ ଜୟପୁର ଏବେ ଦକ୍ଷିଣ ଓଡ଼ିଶାର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଭାବେ ଉଭା ହୋଇଥିବାବେଳେ ଏଠାରେ ଏବେ ବହୁ ଉତ୍ପାଦନକ୍ଷମ କାରଖାନା ଅଛି। ଏହାସହ ପର୍ଯ୍ୟଟନ ଦୃଷ୍ଟିରୁ କୋରାପୁଟର ସ୍ବତନ୍ତ୍ର ପରିଚୟ ଅଛି। ଏହି ବିମାନ ଉଡ଼ାଣ ଦ୍ବାରା ଓଡ଼ିଶା ପର୍ଯ୍ୟଟନ ଓ ଶିଳ୍ପ ଦୃଷ୍ଟିରୁ ଲାଭବାନ ହେବ ବୋଲି କୁହାଯାଉଛି।
ଆଜିର ବିମାନ ଉଡ଼ାଣ ଶୁଭାରମ୍ଭ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।