ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ

ଝାରସୁଗୁଡ଼ା: ଆଜିଠାରୁ ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଛି । ସ୍ପାଇସଜେଟ୍‌ର ୭୮ ସିଟ୍ ବିଶିଷ୍ଟ ବିମାନ ପ୍ରତିଦିନ ଝାରସୁଗୁଡାରୁ ପାଟନାକୁ ଚଳାଚଳ କରିବ। ଏହି ବିମାନଟି ଅମ୍ରିତସରରୁ ବାହାରି ପାଟନା ଦେଇ ଅପରାହ୍ଣ ୪ଟା୨୦ ମିନିଟରେ ଝାରସୁଗୁଡ଼ାକୁ ପହଂଚିବାସହ ଅପରାହ୍ନ ୪ଟା ୪୦ ମିନିଟରେ ପାଟନା ଅଭିମୁଖେ ଯାତ୍ରା କରିବ। ଏହାପରେ ପାଟନା ଦେଇ ଏହି ବିମାନ ଗୌହାଟି ଅଭିମୁଖେ ଉଡ଼ିବ ।ଫଳରେ ପାଟନା ଓ ଗୌହାଟିକୁ ଝାରସୁଗୁଡ଼ାରୁ ଯାତ୍ରୀମାନେ ଯାତାୟାତ କରି ପରିବେ ।

ଆଜି ପ୍ରଥମ ଦିନରେ ପାଟନାରୁ ଝାରସୁଗୁଡାକୁ ୧୬ ଜଣ ଯାତ୍ରୀ ଆସିଥିଲେ। ସେହିପରି ଭାବରେ ଝାରସୁଗୁଡା ରୁ ୩୯ ଜଣ ଯାତ୍ରୀ ଯାତ୍ରା କରିଥିଲେ । ତାହା ମଧ୍ୟରୁ ୩୧ ଜଣ ପାଟନାକୁ ଯାତ୍ରା କରିଥିବା ବେଳେ ୯ ଜଣ ଗୌହାଟୀକୁ ଯାତ୍ରା କରିଥିଲେ। ଉତ୍ତର-ପୂର୍ବ ଭାରତ ସହ ଆକାଶ ମାର୍ଗରେ ଝାରସୁଗୁଡ଼ା ତଥା ପଶ୍ଚିମ ଓଡ଼ିଶା ଯୋଡ଼ି ହେବା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ସମୟକ୍ରମେ ଝାରସୁଗୁଡ଼ା ଦେଶର ପ୍ରମୁଖ ସହର ଗୁଡ଼ିକ ସହ ଆକାଶ ମାର୍ଗରେ ଯୋଡ଼ି ହେବା ସହ ପଶ୍ଚିମ ଓଡ଼ିଶା ଏବଂ ପଡ଼ୋଶୀ ଛତିଶଗଡ଼ର ସୀମାନ୍ତ ଅଂଚଳବାସୀଙ୍କ ପାଇଁ ବିମାନସେବା କ୍ଷେତ୍ରରେ ଏକ ପସନ୍ଦଯୋଗ୍ୟ ବିମାନବନ୍ଦର ହେବାକୁ ବସିଛି । ପ୍ରକାଶ ଯୋଗ୍ୟ ଯେ, ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବର୍ତମାନ ଭୁବନେଶ୍ୱର, ରାୟପୁର, କୋଲକାତା, ହାଇଦ୍ରାବଦ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ବିମାନ ଚଳାଚଳ କରୁଛି ।

ସମ୍ବନ୍ଧିତ ଖବର