ଗୋପାଳପୁର: ଦୀର୍ଘ ବର୍ଷର ଅପେକ୍ଷା ପରେ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରୁ ଗତ ରବିବାର ଠାରୁ ବିମାନ ଚଳାଚଳ ଆରମ୍ଭ ହୋଇଛି। ଏହା ମଧ୍ୟରେ ରଙ୍ଗେଇଲୁଣ୍ଡା ଠାରୁ ଭୁବନେଶ୍ବର ମଧ୍ୟରେ ତିନିଥର ବିମାନ ଚଳାଚଳ କରିସାରିଲାଣି। ଆଜି ତୃତୀୟ ଥର ପାଇଁ ୯ ସିଟ୍‌ ବିଶିଷ୍ଟ ବିମାନଟି ଭୁବନେଶ୍ବରରୁ ମାତ୍ର ଜଣେ ଯାତ୍ରୀଙ୍କୁ ଆଣି ବିମାନଟି ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରେ ଅବତରଣ କରିଥିବା ବେଳେ ଯିବା ‌ବେଳେ ୮ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଗସ୍ତ କରିଥିଲା।

Advertisment

ଗତ ରବିବାର ଠାରୁ ବହୁ ପ୍ରତୀକ୍ଷିତ ଏହି ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଛି। ଉଦ୍‌ଘାଟନୀ ଦିବସରେ ଭୁବନେଶ୍ବରରୁ ୬ ଜଣ ଯାତ୍ରୀଙ୍କୁ ନେଇ ପ୍ରଥମ ବିମାନ ରଙ୍ଗେଇଲୁଣ୍ଡାରେ ଅବତରଣ କରିଥିଲା। ସେଥିମଧ୍ୟରୁ ୪ ଜଣ ଭୁବନେଶ୍ବର ସରକାରୀ ଆଇଟିଆଇ ଛାତ୍ରୀ ହୋଇଥିବା ବେଳେ ଦୁଇ ଜଣ କର୍ମଚାରୀ ରହିଥିଲେ। ରଙ୍ଗେଇଲୁଣ୍ଡାରୁ ୪ ଜଣ ଜନପ୍ରତିନିଧିଙ୍କୁ ନେଇ ଉକ୍ତ ବିମାନ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲା। ସେହିପରି ଗତ ବୁଧବାର ଭୁବନେଶ୍ବରରୁ ଖାଲି ବିମାନ ଆସି ରଙ୍ଗେଇଲୁଣ୍ଡାରେ ଅବତରଣ କରିଥିଲା। ଏଠାରୁ ମାତ୍ର ୪ଜଣ ଯାତ୍ରୀଙ୍କୁ ନେଇ ବିମାନ ଉଡ଼ିଥିଲା। ‘ଇଣ୍ଡିଆ ୱାନ୍‌ ଏୟାର୍‌’ ୯ ସିଟ୍‌ ବିଶିଷ୍ଟ ଏହି ବିମାନ ସପ୍ତାହକ ମଧ୍ୟରେ ତିନିଥର ଉଡ଼ାଣ ଭରି ଆତଯାତ କରିଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଥର ଏହାର ସମସ୍ତ ସିଟ୍ ଭର୍ତ୍ତି ହୋଇନାହିଁ। ଆଗକୁ ଏହାର ସ୍ଥିତି କଣ ରହିବ ତାହାରି ଉପରେ ସମସ୍ତଙ୍କ ନଜର ରହିଛି।

ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ତଥା ରାଜ୍ୟର ପ୍ରମୁଖ ପୁରାତନ ସହର ବ୍ରହ୍ମପୁରରୁ ସବୁଦିନିଆ ଯାତ୍ରୀବାହୀ ବିମାନ ଚଳାଚଳ କରିବାକୁ ବହୁଦିନରୁ ଦାବି ହୋଇଆସୁଥିଲା। କିନ୍ତୁ ୨୦୧୮ରୁ ରାଜ୍ୟରେ ଉଡ଼ାଣ ‌ଯୋଜନାରେ ରାଉରକେଲା, ଝାରସୁଗୁଡ଼ା ଆଦି ସହରରୁ ବିମାନ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ବ୍ରହ୍ମପୁରକୁ ଅଣଦେଖା କରାଯାଇଥିଲା। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ତରବରିଆ ଭାବେ ବିଟ୍ରିସ୍‌ ଅମଳର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌କୁ ମରାମତି କରି ସେଠାରୁ ବିମାନ ଚଳାଚଳ ଆରମ୍ଭ କରିଦିଆଗଲା। କିନ୍ତୁ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରାଗଲା ନାହିଁ। ଫଳରେ ମାତ୍ର ୯ସିଟ୍ ବିଶିଷ୍ଟ ନନ୍‌ସିଡ୍ୟୁଲ୍‌ ବିମାନ ଚଳାଚଳ ସମ୍ଭବ ହୋଇପାରିଲା। ବିମାନ ଚଳାଚଳ ଆରମ୍ଭ କରିବା ପରେ ଯାତ୍ରୀଙ୍କ ପାଇଁ ଟିକଟର ମୂଲ୍ୟ କେତେ ତାହା ସ୍ପଷ୍ଟ ହୋଇନଥିଲା।

ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍ଚ୍ଚ ୧୨ରୁ ୨୯ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳର ସମୟ ଓ ଟିକଟର ମୂଲ୍ୟ ସ୍ପ‌ଷ୍ଟ କରାଯାଇଥିଲା। ମାର୍ଚ୍ଚ ୧୨, ୧୫, ୧୯, ୨୨, ୨୬ ଓ ୨୯ ତାରିଖ ଦିନ ଭୁବନେଶ୍ବର- ରଙ୍ଗେଇଲୁଣ୍ଡା ମଧ୍ୟରେ ବିମାନ ଚଳାଚଳ କରିବ ଏବଂ ଏଥିପାଇଁ ଟିକଟର ମୂଲ୍ୟ ୧୨୦୦ ଟଙ୍କା ସହ ଅତିରିକ୍ତ କର ଦେବାକୁ ପଡ଼ିବ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଥିଲା। ଦର ନିର୍ଦ୍ଧାରଣ ପରେ ଆଜି ପ୍ରଥମ ଥର ପାଇଁ ବିମାନଟି ଯାତ୍ରା କରିଛି। ଯଦିଓ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ମାତ୍ର ଜଣେ ଯାତ୍ରୀ ଆସିଥିଲେ କିନ୍ତୁ ଫେରିବା ବେଳେ ୮ ଜଣ ଯାତ୍ରୀ ଏଠାରୁ ଭୁବନେଶ୍ବର ଯାତ୍ରା କରିଛନ୍ତି। ବ୍ରହ୍ମପୁରରେ ଗ୍ରୀନ୍‌ ଫିଲ୍ଡ ବିମାନ ବନ୍ଦର ପ୍ରତିଷ୍ଠା ସାଂଗକୁ ସବୁଦିନିଆ ବିମାନ ସେବା ନେଇ ଦାବି ହୋଇ ଆସୁଥିବା ବେଳେ ସରକାର ପ୍ରାଥମିକ ପର୍ଯ୍ୟାୟରେ ଉଡାଣ ଯୋଜନାରେ ଭୁବନେଶ୍ବର ରଙ୍ଗେଇଲୁଣ୍ଡା ମଧ୍ୟରେ ବିମାନ ସେବା ଆରମ୍ଭ କରିଛନ୍ତି। ସଂପ୍ରତି ରଙ୍ଗେଇଲୁଣ୍ଡା ବିମାନ ବନ୍ଦରର ସଂପ୍ରସାରଣ କାମ ଆରମ୍ଭ ହୋଇଛି। ସଂପ୍ରସାରଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବା ପରେ ନନ୍‌ସିଡ୍ୟୁଲ୍‌ରୁ ସିଡ୍ୟୁଲ୍‌ ବିମାନ ସେବା ସମ୍ଭବ ହୋଇପାରିବ ବୋଲି ପୂର୍ତ୍ତ ବିଭାଗର ଜଣେ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଅପରପକ୍ଷରେ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାବାସୀଙ୍କୁ ଭୂଆଁ ବୁଲାଇ ଏଭଳି ବିମାନ ବନ୍ଦର କାର୍ଯ୍ୟକ୍ଷମ କରିଛନ୍ତି ବୋଲି ବିରୋଧୀ ମହଲରେ ମତପ୍ରକାଶ ପାଇଛି।