ରାଉରକେଲା: ପୂର୍ଣ୍ଣ କାର୍ଯ୍ୟକ୍ଷମ ରାଉରକେଲା ବିମାନବନ୍ଦର ସ୍ବପ୍ନ ଧୂଳିସାତ୍‌ ହେବାରେ ଲାଗିଛି। ଏବେ ବିମାନ ଚଳାଚଳ ପୁନର୍ବାର ବନ୍ଦ ହୋଇଯାଇଛି। ଆସନ୍ତା ୬ ତାରିଖ ଯାଏ ବିମାନସେବା ବନ୍ଦ ରହିବବୋଲି ଜଣାପଡ଼ିଛି। ବାସ୍ତବରେ ଇନ୍‌ଷ୍ଟ୍ରୁମେଣ୍ଟ୍‌ ଲ୍ୟାଣ୍ଡିଂ ସିଷ୍ଟମ(ଆଇଏଲ୍‌ଏସ୍‌)ର ଅଭାବ ଯୋଗୁଁ ଏହି ସମସ୍ୟାର ସମାଧାନ ହୋଇପାରୁନି।
Advertisment
ସଂପ୍ରତି ରାଉରକେଲା ବିମାନବନ୍ଦରରେ ସ୍ବତନ୍ତ୍ର ଭିଏଫ୍‌ଆର୍‌ରେ ମାତ୍ର ୧୫ ଶହ ମିଟର ଦୃଶ୍ୟମାନତାରେ ବିମାନ ଉଡ଼ାଣ/ଅବତରଣ କରାଯାଇପାରିବ। ଏନେଇ ଦୁଇ ଜଣ ତାଲିମପ୍ରାପ୍ତ ଏଟିସି ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି। କିନ୍ତୁ ଆଲିଆନ୍ସ ଏୟାର ପାଖରେ ଅଭିଜ୍ଞ ପାଇଲଟ୍‌ର ଅଭାବ ଯୋଗୁଁ ଏଠାରେ ବିମାନ ଅବତରଣ ସମ୍ଭବ ହେଉନି।
ଏହି ବିମାନ ପରିଚାଳନକାରୀ ସଂସ୍ଥାର ପାଇଲଟ୍‌ଙ୍କ ପାଖରେ ୧୫ଶହ ମିଟର ଦୃଶ୍ୟମାନତାରେ ବିମାନ ଅବତରଣ କରିବାର ଅଭିଜ୍ଞତା ନାହିଁ। ଏଣୁ ସର୍ବନିମ୍ନ ଦୃଶ୍ୟମାନତାକୁ ୧୫ଶହ ମିଟର ପରିବର୍ତ୍ତେ ୨୮ ଶହ ମିଟର କରିବାକୁ ଆଲିଆନ୍ସ ଏୟାର୍‌ ପକ୍ଷରୁ ଡିଜିସିଏକୁ ନିବେଦନ କରାଯାଇଛି। ଫେବ୍ରୁଆରି ୬ ତାରିଖ ସୁଦ୍ଧା ଡିଜିସିଏ ଅନୁମତି ମିଳିବାର ସମ୍ଭାବନା ରହିଛି। ନିର୍ଦ୍ଧାରିତ ସମୟରେ ଅନୁମତି ମିଳିଲେ ୭ ତାରିଖରୁ ବିମାନସେବା ପୁନଃ ଆରମ୍ଭ ହେବବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ଉଲ୍ଲେଖଯୋଗ୍ୟ, ୨୦୨୩ ଜାନୁଆରି ୭ ତାରିଖରେ ବିମାନସେବା ଆରମ୍ଭ ହେବା ଦିନଠାରୁ ନଭେମ୍ବର ଯାଏଁ ପ୍ରାୟ ୩୦ ଦିନରୁ ଅଧିକ ବାତିଲ ହୋଇଥିଲା। ତେବେ ଡିସେମ୍ବର ୧୧ ତାରିଖରୁ ୫୦ ଦିନଧରି ସେବା ବାତିଲ ହୋଇଥିଲା। ଦୀର୍ଘ ୫୦ ଦିନ ବନ୍ଦ ରହିବାପରେ ଜାନୁଆରି ୨୯ ତାରିଖରୁ ପୁନର୍ବାର ବିମାନସେବା ଆରମ୍ଭ ହୋଇଥିଲା। ଏଥର ସେବା ନିୟମିତ ହେବାନେଇ ସହରବାସୀଙ୍କ ମନରେ ଆଶା ଜନ୍ମିଥିଲା;କିନ୍ତୁ ତାହା କ୍ଷଣସ୍ଥାୟୀ ଥିଲା। ଦିନକପରେ, ଅର୍ଥାତ୍‌ ଜାନୁଆରି ୩୦ ତାରିଖରୁ ସେବା ପୁନର୍ବାର ବନ୍ଦ ହୋଇଯାଇଛି।