ଜୟପୁର: ଭୁବନେଶ୍ବର-ଜୟପୁର ଚାଳୁଥିବା ଇଣ୍ଡିଆ ୱାନ ଏୟାରର ଦ୍ବିତୀୟ ବିମାନ ଜୟପୁର ବିମାନବନ୍ଦରରେ ଓହ୍ଲାଇ ନ ପାରି ଫେରିଯାଇଥିଲା। କୋହଳା ପାଗ ସାଙ୍ଗକୁ ମେଘୁଆ ଥିବାରୁ ନିର୍ଦ୍ଧାରିତ ସମୟରେ ବିମାନଟି ଆସିଥିଲେ ହେଁ ଚାରି ରାଉଣ୍ଡ ଘେରା ବୁଲି ପଳାଇଥିଲା। ତେବେ ଟିକେଟ ସଂରକ୍ଷିତ କରିଥିବା ଏବଂ ବିମାନରେ ଆସୁଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗୋଟିଏ ପଟେ ଖର୍ଚ୍ଚାନ୍ତ ଅପର ପଟେ ଘଣ୍ଟାକର ଯାତ୍ରାକୁ ୨ଦିନ ଧରି ଯାତ୍ରା କରିବାକୁ ପଡ଼ୁଛି। ମାନସିକ ଅବସାଦ ସହ ଭୟ ମଧ୍ୟରେ ଯାତ୍ରା କରିବାକୁ ପଢ଼ୁଛି ବୋଲି କହିଛନ୍ତି ବହୁ ଯାତ୍ରୀ।
ସୂଚନା ଅନୁଯାୟୀ ଆଜି ଭୁବନେଶ୍ବରରୁ ସକାଳ ୭ଟା ୧୦ରେ ବାହାରିଥିଲା ବିମାନ। ଜୟପୁର ବିମାନବନ୍ଦରରେ ବିମାନ ୮ଟା ୪୫ରେ ଓହ୍ଲାଇବାର ରହିଥିଲା। ଏଠାରୁ ପୁଣି ୯ଟାରେ ବାହାରି ଭୁବନେଶ୍ବରରେ ସକାଳ ସାଢ଼େ ୧୦ଟାରେ ପହଚିଂବାର ଥିଲା। ପାଗ ସାମାନ୍ୟ ମେଘୁଆ ଥିଲେ ହେଁ ଅନ୍ୟ ବର୍ଷା ଦିନ ଅପେକ୍ଷା ଆଜି ପାଗ ବି ଭଲ ରହିଥିଲା। ଅଳ୍ପ ସମୟ ପାଇଁ କୁଣ୍ଡା ବର୍ଷା ହୋଇ ବି ଛାଡ଼ି ଯାଇଥିଲା। ବିମାନଟି ଜୟପୁର ବିମାନବନ୍ଦରର ଆକାଶ ଉପରକୁ ଆସିବା ପରେ ଓହ୍ଲାଇବା ପାଇଁ ବିମାନବନ୍ଦରରୁ ଯେଉଁ ଅନୁମତି ମିଳିବା କଥା କୁଆଡେ ମିଳି ନଥିଲା। ବହୁ ସମୟ ଧରି ବିମାନଟି ସହର ଉପରେ ଚାରି ଚକ୍କର ମାରିଥିଲା। ଇନ୍ଦନକୁ ଦୃଷ୍ଟିରେ ରଖି ପାଇଲଟ୍ ଆଉ ଅଧିକା ସମୟ ନ ବୁଲାଇ ପୁଣି ବିମାନକୁ ଭୁବନେଶ୍ବରକୁ ଫେରାଇ ନେଇଥିଲେ। ତଳେ ଜୟପୁରରୁ ଭୁବନେଶ୍ବର ଯିବା ପାଇଁ ଯାତ୍ରୀ ମାନେ ଟିକେଟ୍ କାଟି ବିମାନକୁ ଅପେକ୍ଷା କରି ସେଭଳି ଜଳକା ହୋଇ ଫେରିଥିଲେ। ସେଭଳି ଜୟପୁରରେ ଓହ୍ଲାଇବାକୁ ଥିବା ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଆକାଶ ଉପରୁ ଦେଖି ସୁଦ୍ଧା ଓହ୍ଲାଇ ନ ପାରି ପୁଣି ଭୁବନେଶ୍ବର ଫେରି ଯାଇଥିଲେ। ଆଜି ଯାତ୍ରୀମାନେ ନାହିଁ ନଥିବା ହଇରାଣ ହୋଇଥିଲେ। ବର୍ଷା ମାସରେ ଏହି ପ୍ରକ୍ରିୟା ଜାରୀ ରହିଥିଲା। ଏଭଳି ପୁଣି ହେବା ଦ୍ବାରା ଯାତ୍ରୀ ମାନେ ଏହି ବିମାନରେ ଯିବା ପାଇଁ ଭରସା ଓ ଆସ୍ଥା ରହିବ କି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।